ନୂଆଦିଲ୍ଲୀ/ୱାସିଂଟନ: ରୁଷ୍ ତେଲ ବିକ୍ରି ଉପରେ ଯୁକ୍ତରାଷ୍ଟ୍ର ଆମେରିକା ବଡ଼ଧରଣର କଟକଣା ଲଗାଇଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ହେବାକୁ ଥିବା ଆଲୋଚନାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାତିଲ କରିବା ପରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଘୋଷଣା କରାଯାଇଛି। ୟୁକ୍ରେନ ଯୁଦ୍ଧ ତୁରନ୍ତ ବନ୍ଦ ପାଇଁ ମସ୍କୋ ଓ ପୁଟିନଙ୍କ ଉପରେ ଚାପ ପ୍ରୟୋଗ ପାଇଁ ଆମେରିକା ଏଭଳି ପଦକ୍ଷେପ ନେଇଛି।
କଟକଣା ଲଗାଇବାର ସମୟ ଏବେ ବୋଲି ଟ୍ରମ୍ପ କହିଛନ୍ତି। ଆମେରିକାର ଟ୍ରେଜେରି ସଚିବ ସ୍କଟ ବେସେଣ୍ଟ ବୁଧବାର କହିଥିଲେ ହତ୍ୟା ବନ୍ଦ ସହିତ ତୁରନ୍ତ ଯୁଦ୍ଧ ବିରତିର ସମୟ ବର୍ତ୍ତମାନ ବୋଲି ସେ କହିଥିଲେ। ଯୁଦ୍ଧ ବନ୍ଦ ପାଇଁ ପୁଟିନ ମନା କରିବା ପରେ ଆମେରିକା ଟ୍ରେଜେରି ରୁଷ୍ର ଦୁଇଟି ବୃହତ୍ ତେଲ କମ୍ପାନି ଉପରେ କଟକଣା ଲଗାଇଛି। କ୍ରେମଲିନର ଯୁଦ୍ଧ ମେସିନକୁ ଏମାନେ ପାଣ୍ଠି ଯୋଗାଉଛନ୍ତି ବୋଲି ବେସେଣ୍ଟ୍ କହିଛନ୍ତି। ଯୁଦ୍ଧ ବନ୍ଦ କରିବା ପାଇଁ ଆବଶ୍ୟକ ପଡ଼ିଲେ ଅଧିକ କଟକଣା ମଧ୍ୟ ଲଗାଯାଇ ପାରେ ବୋଲି ବେସେଣ୍ଟ କହିଛନ୍ତି।
ଏହି କଟକଣା ଦ୍ବାରା ରୁଷ୍ର ଦୁଇ ବୃହତ୍ ତେଲ କମ୍ପାନି ରୋଜନେଫ୍ଟ ଏବଂ ଲୁକଅଏଲ୍ ସମେତ ସେମାନଙ୍କ ପ୍ରାୟ ୩ ଜଣ ସହାୟକ କମ୍ପାନି ପ୍ରଭାବିତ ହେବେ। ଗତ ସପ୍ତାହରେ ରୋଜନେଫ୍ଟ ଏବଂ ଲୁକ୍ଅଏଲ୍ ଉପରେ ବ୍ରିଟେନ କଟକଣା ଲଗାଇଥିଲା। ୟୁରୋପୀୟ ସଂଘ ମଧ୍ୟ ରୁଷ୍ ଉପରେ ଗୁରୁବାର ଆଉ ଏକ ପର୍ଯ୍ୟାୟ କଟକଣା ଲଗାଇଛି। ଏଥିରେ ରୁଷ୍ରୁ ଏଲ୍ଏନ୍ଜି ଆମଦାନିକୁ ନିଷିଦ୍ଧ କରାଯାଇଛି। ଆମେରିକାର କଟକଣାକୁ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ସ୍ବାଗତ କରିଛନ୍ତି। କିନ୍ତୁ ରୁଷ୍ ବିଦେଶ ମନ୍ତ୍ରାଳୟ ଆମେରିକାର ଏହି ପଦକ୍ଷେପକୁ ସମାଲୋଚନା କରିଛି। ଏହା ଆଦୌ ଫଳପ୍ରଦ ହେବନାହିଁ ବୋଲି ରୁଷ୍ କହିଛି। ଅର୍ଥନୀତି ପାଇଁ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ମଧ୍ୟ ମସ୍କୋ କହିଛି।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଜାନୁଆରିରେ ଆମେରିକାର ବାଇଡେନ ପ୍ରଶାସନ ରୁଷ୍ର ଅନ୍ୟ ତେଲ କମ୍ପାନି ଉପରେ ଯଦିଓ କଟକଣା ଲଗାଇଥିଲା କିନ୍ତୁ ରୋଜନେଫ୍ଟ ଓ ଲୁକଅଏଲ ଉପରେ କଟକଣାକୁ ଅଟକ ରଖାଯାଇଥିଲା। ଆମେରିକାର କଟକଣା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇଛି। ଭାରତର ତୈଳ ଆମଦାନିକାରୀମାନେ ରୁଷ୍ ତେଲ ଆମଦାନିକୁ ହ୍ରାସ କରିବାକୁ ପଦକ୍ଷେପ ନେଉଛନ୍ତି ବୋଲି ରଏଟର୍ସ ପକ୍ଷରୁ କୁହାଯାଇଛି। ଯେଉଁ ଦୁଇଟି କମ୍ପାନି ଉପରେ ଆମେରିକା କଟକଣା ଲଗାଇଛି ସେମାନେ ରୁଷ୍ର ମୋଟ ଅଶୋଧିତ ତେଲ ରପ୍ତାନିରେ ଅଧାରୁ ଅଧିକ ଯୋଗଦାନ ରହିଛି। ୱାସିଂଟନସ୍ଥିତ ପିଟରସନ ଇନଷ୍ଟିଚ୍ୟୁଟ୍ ଫର୍ ଇଣ୍ଟରନ୍ୟାସନାଲ ଇକୋନୋମିକ୍ସର ବରିଷ୍ଠ ଗବେଷକ ଏଲିନା ରିବାକୋଭା କହିଛନ୍ତି ଯେ ଏଭଳି କମ୍ପାନି ସହିତ ଆର୍ଥିକ କାରବାର ଯୋଗାଇ ଦେଉଥିବା ସଂସ୍ଥା ଏହି କାର୍ଯ୍ୟ କରିବାକୁ ଆଉ ଥରେ ଚିନ୍ତା କରିବେ। କଟକଣା ଲଗାଯାଇଥିବା କମ୍ପାନି ସହିତ ଯଦି କୌଣସି ବ୍ୟାଙ୍କ କାରବାର କରୁଥିବା ଜଣାପଡ଼େ ତାହେଲେ ଆମେରିକା ବଜାର, ଆମେରିକା ମୁଦ୍ରା ଏବଂ ଆମେରିକା ପେମେଣ୍ଟ ବ୍ୟବସ୍ଥା ସହିତ ସେମାନଙ୍କ ସଂପର୍କକୁ ଛିନ୍ନ କରାଯିବ ବୋଲି ରିବାକୋଭା କହିଛନ୍ତି।
ରୁଷ୍ର ଏହି ଦୁଇ କମ୍ପାନି ଉପରେ ଆମେରିକା କଟକଣା ଲଗାଇବା ପରେ ଭାରତ ଏହାର ଆମଦାନି କମାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ବର୍ତ୍ତମାନ ରୁଷ୍ କମ୍ପାନିଠାରୁ ତେଲ କିଣିବା କମାଇବାକୁ କିମ୍ବା ବନ୍ଦ କରିବାକୁ ଯୋଜନା କରୁଛି ବୋଲି ଶିଳ୍ପ ସୂତ୍ରରୁ ଉଦ୍ଧାର କରି ରଏଟର୍ସ କହିଛି। ସେହିଭଳି ଇଣ୍ଡିଆନ୍ ଅଏଲ୍ ଏବଂ ଭାରତ ପେଟ୍ରୋଲିୟମ ଭଳି ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ରୋଜନେଫ୍ଟ ଏବଂ ଲୁକଅଏଲ୍ଠାରୁ ସିଧାସଳଖ ଯେଭଳି ଅଶୋଧିତ ତେଲ ନଆସିବ ତାହାକୁ ନିଶ୍ଚିତ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/24/sfssfsfxxcxc-2025-10-24-04-18-28.jpg)