ଡିଜିଟାଲ ମୁଦ୍ରା ପାଇଁ କେଉଁ ଦେଶର ନିୟମ କ’ଣ

ନୂଆଦିଲ୍ଲୀ: ନିକଟରେ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍‌ର ମୂଲ୍ୟ ରେକର୍ଡ ୪୮ ହଜାର ଡଲାର ଅତିକ୍ରମ କରିଛି। ଏହି ଭର୍ଚୁଆଲ ମୁଦ୍ରାର ମୂଲ୍ୟ ଗତ କିଛିମାସ ହେଲା ଅଧିକ ମାତ୍ରାରେ ବୃଦ୍ଧିପାଉଛି। ମୂଲ୍ୟ ଏଭଳି ବୃଦ୍ଧି ପାଉଛି ଯେ କୌଣସି ସମୟରେ ଏହାର ବିସ୍ଫୋରଣ ବା ହଠାତ୍ ବହୁମାତ୍ରାରେ କମିଯିବା ଆଶଙ୍କା ମଧ୍ୟ ରହିଛି। ତେଣୁ ଏହି ପରିପ୍ରେକ୍ଷୀରେ କ୍ରିପ୍ଟୋକରେନ୍ସି ପାଇଁ କେଉଁ ଦେଶରେ କି ପ୍ରକାର ନିୟମ ରହିଛି ତାହାର ସୂଚନା ଏଠାରେ ଦିଆଯାଇଛି।

ଭାରତ: ଭାରତରେ କ୍ରିପ୍ଟୋକରେନ୍ସିର ବ୍ୟବହାର ଏବେ ବି ସ୍ବପ୍ନରେ ରହିଛି। କାରଣ ଭାରତ ସରକାର ଏହାକୁ ଏପର୍ଯ୍ୟନ୍ତ ଆଇନତଃ ବୈଧ ମୁଦ୍ରା ଭାବେ ଅନୁମତି ପ୍ରଦାନ କରିନାହାନ୍ତି। ତେଣୁ ସରକାର ଏଥିପାଇଁ ଏକ ବିଲ୍‌ ପ୍ରସ୍ତୁତ କରିଛନ୍ତି। ଦେଶରେ ସବୁ ପ୍ରକାର ଘରୋଇ କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ କରି ସରକାରୀ ଭାବେ ଏକ ଡିଜିଟାଲ କରେନ୍ସି ଆଣିବା ଯୋଜନା ଏଥିରେ ରହିଛି। ବିଲ୍‌ରେ ବିସ୍ତୃତ ଭାବେ କ’ଣ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ୨୦୧୮ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ପୂର୍ବରୁ କ୍ରିପ୍ଟୋକରେନ୍ସି ବ୍ୟବହାରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗତବର୍ଷ ମାର୍ଚ୍ଚରେ ସୁପ୍ରିମ କୋର୍ଟ ଏହି ନିଷେଧାଦେଶକୁ ଉଠାଇ ଦେଇଥିଲେ। ସମ୍ବିଧାନର ୧୯(୧)(ଗ) ଅଧୀନରେ ଏହା ବ୍ୟବସାୟ ଏବଂ ବୃତ୍ତିର ସ୍ବାଧୀନତାକୁ ଉଲ୍ଲଂଘନ କରୁଥିବାରୁ ସୁପ୍ରିମ କୋର୍ଟ ଏଭଳି ରାୟ ଦେଇଥିଲେ।

ଆମେରିକା: ଆମେରିକାରେ ସାଧାରଣତଃ ବିଟ୍‌କଏନ୍‌ର ବହୁଳ ବ୍ୟବହାର ହେଉଛି। ଦୁଇଟି ଆର୍ଥିକ ପ୍ରତିଷ୍ଠାନ ପକ୍ଷରୁ ଏହାକୁ ବିଶେଷ ସହାୟତା ପ୍ରଦାନ କରାଯାଉଛି। ଗତ ୧୦ ତାରିଖରେ ମାଷ୍ଟରକାର୍ଡ ପକ୍ଷରୁ କୁହାଯାଇଛି କମ୍ପାନି ନିର୍ଦ୍ଦିଷ୍ଟ କିଛି କ୍ରିପ୍ଟୋକରେନ୍ସିର ବ୍ୟବହାର ପାଇଁ ଏହାର କାର୍ଡଧାରକଙ୍କୁ ଅନୁମତି ପ୍ରଦାନ କରିବ। ସେହିଭଳି ଏଲନ ମସ୍କଙ୍କ ଟେସ୍‌ଲା କମ୍ପାନି ପକ୍ଷରୁ ମଧ୍ୟ ବିଟ୍‌କଏନ୍‌ରେ ୧୫୦ କୋଟି ଡଲାର ନିବେଶ କରାଯାଇଥିବା ଘୋଷଣା କରାଯାଇଛି। ବ୍ୟାଙ୍କ ଅଫ୍ ନ୍ୟୁୟର୍କ ମେଲନ ମଧ୍ୟ ଏହି ଡିଜିଟାଲ ମୁଦ୍ରାର ବ୍ୟବହାର ସଂପର୍କରେ ଘୋଷଣା କରିଛି। ଡିସ୍‌ ନେଟୱାର୍କ, ମାଇକ୍ରୋସଫ୍ଟ ଷ୍ଟୋର ଏବଂ ସବୱେ ଆଦି କମ୍ପାନି ବିଟକଏନ୍‌ରେ ପେମେଣ୍ଟ୍ ଗ୍ରହଣ କରୁଛନ୍ତି।

କାନାଡ଼ା: କାନାଡ଼ାରେ ବିଟ୍‌କଏନ୍‌ ପ୍ରତି ମଧ୍ୟ ସକାରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ତେବେ ଏହାକୁ ଯେଭଳି ମନି ଲଣ୍ଡରିଂରେ ଦୁରୁପଯୋଗ କରା ନଯାଇ ପାରିବ ତାହା ଉପରେ କଡ଼ା ନଜର ରଖାଯାଇଛି। ନିକଟରେ କାନାଡ଼ାର ଅଣ୍ଟାରିଓ ସିକ୍ୟୁରିଟିଜ୍ କମିସନ ଏକ ବିଟ୍‌କଏନ୍‌ ଏକ୍ସଚେଞ୍ଜ-ଟ୍ରେଡେଡ୍‌ ଫଣ୍ଡ୍‌କୁ ଅନୁମତି ପ୍ରଦାନ କରିଛି।

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆରେ କ୍ରିପ୍ଟୋକରେନ୍ସି ଏବଂ ଏହାର ଏକ୍ସଚେଞ୍ଜଗୁଡ଼ିକ ଆଇନସିଦ୍ଧ। ୨୦୧୭ ରେ ସରକାର କହି ସାରିଛନ୍ତି ଯେ ବିଟକଏନ୍‌କୁ ସମ୍ପତ୍ତି ଭାବେ ବିବେଚନା କରାଯିବ।

ସମ୍ବନ୍ଧିତ ଖବର