ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ଜାନୁଆରି ୮ ତାରିଖରେ ବିମୁଦ୍ରୀକରଣ ଘୋଷଣା କରିବା ପୂର୍ବରୁ ତରବରିଆ ଭାବେ ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡର ବୈଠକ ଡକାଇଥିଲେ। ସେହି ବୈଠକରେ ବିମୁଦ୍ରୀକରଣର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ବିମୁଦ୍ରୀକରଣର ଲାଭ ବିଷୟରେ ସରକାର ତଥ୍ୟ ରଖିଥିଲେ। କିନ୍ତୁ କେତେକ ନିର୍ଦିଷ୍ଟ ଦାବି ଉପରେ ରିଜର୍ଭ ବ୍ୟାଙ୍କ ଆପତ୍ତି ଉଠାଇଥିଲା। ବିମୁଦ୍ରୀକରଣ ଦ୍ବାରା କଳାଧନ ଓ ଜାଲ୍ ନୋଟ୍ ଉପରେ ଅଙ୍କୁଶ ଲଗାଇ ହେବ ବୋଲି ସରକାର ଯେଉଁ ଦାବି କରିଥିଲେ ରିଜର୍ଭ ବ୍ୟାଙ୍କ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲା। ସରକାରଙ୍କ ଛଅଟି ଦାବି ଉପରେ ରିଜର୍ଭ ବ୍ୟାଙ୍କ ଆପତ୍ତି ଉଠାଇଥିଲା। ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ ଭାବେ ଜଣାଇ ଦେଇଥିଲା ଯେ ବିମୁଦ୍ରୀକରଣ ଘୋଷଣା ହେଲେ ଜିଡିପି ଉପରେ ସାମୟିକ ସମୟ ପାଇଁ ପ୍ରଭାବ ପଡ଼ିବ। ଏହି ପଦକ୍ଷେପ ଦ୍ବାରା ୪୦୦ କୋଟି ଟଙ୍କାର ଜାଲ୍ ନୋଟ୍ ବାହାରିବ, ଯାହା ପ୍ରଚଳନରେ ଥିବା ମୋଟ ନୋଟ୍ର ଏକ ନଗଣ୍ୟ ଅଂଶ। ଯେହେତୁ ଲୋକମାନେ କଳାଧନକୁ ରିଅଲ ଇଷ୍ଟେଟ୍ ଓ ସୁନା ଆକାରରେ ରଖିଛନ୍ତି, ତେଣୁ ବିମୁଦ୍ରୀକରଣ ଦ୍ବାରା କଳାଧନ ବାହାର କରାଯାଇପାରିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ସରକାରଙ୍କୁ କହିଥିଲା। କିଛି ବିଷୟ ଉପରେ ଆପତ୍ତି ସତ୍ତ୍ବେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍କୁ ଅଚଳ କରିବା ପାଇଁ ସରକାର ଆଣିଥିବା ପ୍ରସ୍ତାବକୁ ରିଜର୍ଭ ବ୍ୟାଙ୍କ ବୋର୍ଡ ମଞ୍ଜୁରି ପ୍ରଦାନ କରିଥିଲା। ସରକାରଙ୍କ ଏହି ନିଷ୍ପତ୍ତି ‘ପ୍ରଶଂସାଯୋଗ୍ୟ’ ବୋଲି ମଧ୍ୟ ରିଜର୍ଭ ବ୍ୟାଙ୍କ କହିଥିଲା। ବିମୁଦ୍ରୀକରଣ ଦିନ ହୋଇଥିବା ବୈଠକର ମିନିଟ୍ସ୍ରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଊର୍ଜିତ ପାଂଚ ସପ୍ତାହ ପରେ ୨୦୧୬ ଡିେସମ୍ବର ୧୫ରେ ଦସ୍ତଖତ କରିଥିଲେ। କିଛି ଦିନ ତଳେ ଏ ବିଷୟରେ ଏକ ଟୁଇଟ୍ କରି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ ଜଣାଇଥିଲେ ଯେ ୨୦୧୬ ନଭେମ୍ବର ୮ ତାରିଖ ଦିନ ରିଜର୍ଭ ବ୍ୟାଙ୍କର ଯେଉଁ ବୈଠକ ଡକାଯାଇଥିଲା ସେଥିରେ ଅନେକ ସଦସ୍ୟ ଅନୁପସ୍ଥିତ ଥିଲେ। ସରକାରଙ୍କ ଅନେକ କଥାରେ ଅସହମତି ରହିଥିଲା, ତଥାପି ଆଜ୍ଞାକାରୀ ଭାବେ ରିଜର୍ଭବ୍ୟାଙ୍କ ପକ୍ଷରୁ ବିମୁଦ୍ରୀକରଣକୁ ମଞ୍ଜୁର କରାଯାଇଥିଲା। ଏହା ରିଜର୍ଭ ବ୍ୟାଙ୍କ ଇତିହାସରେ କଳାଦିନ ଥିଲା ବୋଲି ଚିଦମ୍ବରମ୍ ଜଣାଇଥିଲେ।
ବିମୁଦ୍ରୀକରଣ ଦିନ ବୈଠକରେ କ’ଣ ଘଟିଥିଲା?
ଆପତ୍ତି ଉଠାଇଥିଲା ରିଜର୍ଭ ବ୍ୟାଙ୍କ, କଳାଧନ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା