ବିଟ୍‌କଏନ୍‌ କ’ଣ? କେଉଁମାନେ ବ୍ୟବହାର କରୁଛନ୍ତି?

ଦାମ୍ ୨୩ ଲକ୍ଷ ଟଙ୍କା, ୨୦୩୦ ସୁଦ୍ଧା ଏହ‌ାର ମୂଲ୍ୟ ୧ କୋଟି ଟଙ୍କାରେ ପହଞ୍ଚିପାରେ

ଦେଶବିଦେଶରେ ପ୍ରଚଳିତ ବିଭିନ୍ନ ମୁଦ୍ରାର ଏକ ବିକଳ୍ପ ହେଇଛି ବିଟ୍‌କଏନ୍‌। ଭାରତର ଟଙ୍କା, ଆମେରିକାର ଡଲାର, ବ୍ରିଟେନ୍‌ର ପାଉଣ୍ଡ୍‌, ଜାପାନର ୟେନ୍ ଆଦି ସେହି ଦେଶର ‌କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ପରିଚାଳିତ। ଏହି ସବୁ ମୁଦ୍ରା ଉପରେ କେନ୍ଦ୍ରୀୟ ବ୍ୟାଙ୍କର ନିୟନ୍ତ୍ରଣ ଅଛି। କିନ୍ତୁ ବିଟ୍‌କଏନ୍‌ ହେଉଛି ଏଭଳି ଏକ ମୁଦ୍ରା ଯାହା ଉପରେ କାହାର ନିୟନ୍ତ୍ରଣ ନାହିଁ। କମ୍ପ୍ୟୁଟର ଦୁନିଆରେ ଏହା ପରିଚାଳିତ ହେଉଛି। ପ୍ରକୃତରେ ଏହା ହେଉଛି ଏକ କମ୍ପ୍ୟୁଟର ଫାଇଲ୍‌। ବିଶ୍ବର ବିଭିନ୍ନ ସ୍ଥାନରେ ଏହାକୁ ଲୋକମାନେ ସାମଗ୍ରୀ ଓ ସେବା ହାସଲ କରିବା ଲାଗି ବ୍ୟବହାର କରୁଛନ୍ତି। ଯେହେତୁ ବିଟ୍‌କଏନ୍ ଉପରେ କୌଣସି ଦେଶର ନିୟନ୍ତ୍ରଣ ନା‌ହିଁ ତେଣୁ ଏହାକୁ ବ୍ୟବହାର କଲେ ଟିକସ ଗଣିବାକୁ ପଡ଼ୁନାହିଁ

Bitcoinist

ନଗଦ ରାଶିର ବିକଳ୍ପ
ଏହା ଏକ ପ୍ରକାର କ୍ରିପ୍‌ଟୋକରେନ୍ସି। ଏହାକୁ ଭର୍ଚୁଆଲ୍ ବା ଡିଜିଟାଲ୍ ମୁଦ୍ରା ମଧ୍ୟ କୁହାଯାଉଛି। ନଗଦ ଟଙ୍କାର ଏହା ଏକ ବିକଳ୍ପ ଭାବେ ଉଭା ହୋଇଛି। ପ୍ରତି ବିଟ୍‌କଏନ୍‌ର ଏକ ଗୋପନ କୋଡ୍ ରହିଛି। ସେହି କୋଡ୍‌ ବିନା ବିଟ୍‌କଏନ୍ ମୂଲ୍ୟହୀନ। ବିଟ୍‌କଏନ୍‌ର କେହି ମାଲିକ ନାହାନ୍ତି। କୌଣସି ଦେଶ କିମ୍ବା ସଂସ୍ଥାର ଏହା ଉପରେ ନିୟନ୍ତ୍ରଣ ନାହିଁ। ଏହାକୁ କେବଳ ଅନ୍‌ଲାଇନ୍‌ରେ ହିଁ ବ୍ୟବହାର କରାଯାଇପାରିବ। କମ୍ପ୍ୟୁଟରର ଜଟିଳ ପ୍ରଣାଳୀ ଜରିଆରେ ବିଟ୍‌କଏନ୍ ସୃଷ୍ଟି କରାଯାଏ। ଏହି ପ୍ରକ୍ରିୟାକୁ ‘ମାଇନିଂ’ କୁହାଯାଏ।

କେଉଁଠୁ ମିଳିବ?
ବିଟ୍‌କଏନ କାରବାର ଲାଗି ଏକ୍ସଚେଞ୍ଜ୍‌ ରହିଛି। ଟଙ୍କା, ଡଲାର ଆଦି ମୁଦ୍ରା ବଦଳରେ ଏହାକୁ କିଣିହେବ। ବିଶ୍ବର ଅନେକ କଂପାନି ଓ ବ୍ୟବସାୟୀ ନିଜର ଆର୍ଥିକ କାରବାର ପାଇଁ ବିଟ୍‌କଏନ୍‌କୁ ବ୍ୟବହାର କରୁଛନ୍ତି। ସୋତସି ନାକାମୋତେ ନାମକ ଜଣେ ବ୍ୟକ୍ତି ବିଟ୍‌କଏନ୍‌କୁ ବିକଶିତ କରିଥିଲେ ବୋଲି ବିଶ୍ବାସ କରାଯାଉଛି। ୨୦୦୯ ଜାନୁଆରି ୩ରେ ଏହା ଆରମ୍ଭ ହୋଇଥିଲା।

କେଉଁମାନେ ବ୍ୟବହାର କରୁଛନ୍ତି?
ସାରା ବିଶ୍ବରେ ୫୦ ଲକ୍ଷରୁ ଅଧିକ ଲୋକ ବିଟ୍‌କଏନ୍‌କୁ ବ୍ୟବହାର କରୁଥିବା ବିଶ୍ବାସ କରାଯାଉଛି। ବିଟ୍‌କଏନ୍ ମାଇନର୍‌ ସଫ୍‌ଟଓୟାର ଜରିଆରେ ବିଟ୍‌କଏନ୍ ବିକଶିତ କରାଯାଉଛି। ସେହି ସଫ୍‌ଟଓୟାର ବିଟ୍‌କଏନ୍‌ ନେଟ୍‌ୱର୍କରେ ଏକ ସୁରକ୍ଷିତ ସ୍ଥାନ ପ୍ରଦାନ କରିବ। ଯେଉଁମାନେ ବିଟ୍‌କଏନ୍ ବ୍ୟବହାର କରୁଛନ୍ତି ସେମାନେ ତାହାକୁ ଏକ ଡିଜିଟାଲ୍ ୱାଲେଟ୍‌ରେ ରଖନ୍ତି। ୱିକିଲିକ୍ସ, ପି୨ପି ଫାଉଣ୍ଡେସନ, ୱାର୍ଡପ୍ରେସ୍ ଡଟ୍‌ କମ୍ ଏବଂ ବିଟ୍‌କଏନ୍‌.ଟ୍ରାଭେଲ୍‌ ଭଳି କିଛି ସଂସ୍ଥା ବିଟ୍‌କଏନ୍‌କୁ ଗ୍ରହଣ କରୁଛନ୍ତି। ହ୍ୟାକର୍‌ମାନେ ମଧ୍ୟ ବିଟ୍‌କଏନ୍‌ ମାଗୁଥିବାର ଉଦାହରଣ ରହିଛି। ସାରା ବିଶ୍ବରେ ବିଟ୍‌କଏନ୍‌କୁ ଅବାଧରେ ବ୍ୟବହାର କରିହେଉଛି। ଏଥିପାଇଁ କୌଣସି ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥାର ସାହାଯ୍ୟ ଦରକାର ପଡ଼ୁନାହିଁ।

ଦାମ୍ ୨୩ ଲକ୍ଷ ଟଙ୍କା
ବିଟ୍‌କଏନ୍‌ର ମୂଲ୍ୟ ୩୧ ହଜାର ଡଲାର ବା ପ୍ରାୟ ୨୩ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଛି। ଗତ ଡିସେମ୍ବରରୁ ବିଟ୍‌କଏନର ମୂଲ୍ୟବୃଦ୍ଧି ଜାରି ରହିଛି। କିନ୍ତୁ କରୋନା ମହାମାରୀ ବେଳେ ଗତ ମାର୍ଚ୍ଚ ବେଳେ ଏଥିରେ ୨୫ ପ୍ରତିଶତ ହ୍ରାସ ଘଟିଥିଲା। ବିଟ୍‌କଏନ୍ ମୂଲ୍ୟ ୪ ଲକ୍ଷ ଡଲାର ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଏପରିକି କିଛି ବିଶେଷଜ୍ଞଙ୍କ କହିବାନୁଯା‌ୟୀ ୨୦୩୦ ସୁଦ୍ଧା ଏହ‌ାର ମୂଲ୍ୟ ୧ କୋଟି ଟଙ୍କାରେ ପହଞ୍ଚିପାରେ।

କିଭଳି ବ୍ୟବହାର ହେଉଛି?
ମୋବାଇଲ୍‌ ଆପ୍‌ରେ ପେମେଣ୍ଟ୍‌ ‌‌ଯେତିକି ସରଳ ବିଟ୍‌କଏନ୍‌ରେ କାରବାର ସେତିକି ସହଜ। ଯେଉଁମାନଙ୍କ ପାଖରେ ବିଟ୍‌କଏନ୍‌ ଅଛି ସେମାନେ ତାହାକୁ ଏକ ୱାଲେଟ୍‌‌ରେ ରଖିଥାନ୍ତି। ସେହି ୱା‌ଲେଟ୍‌ ମାଧ୍ୟମରେ ପେମେଣ୍ଟ୍‌ କରୁଛନ୍ତି। ଏହା ଏକ କମ୍ପ୍ୟୁଟର ଫାଇଲ୍‌ ହୋଇଥିବାରୁ ଅତି ସହଜରେ ସାରା ବିଶ୍ବରେ ପ୍ରଚଳିତ ହେଉଛି।

ସମ୍ବନ୍ଧିତ ଖବର