କ‘ଣ ଏହି ସିମଲେସ, ପେନଲେସ ଓ ଫେସଲେସ ଟିକସ ବ୍ୟବସ୍ଥା ?

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାରଦର୍ଶୀ ଟିକସ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ସେ ଏହି ଅବସରରେ କହିଛନ୍ତି ଯେ ଆମର ଟିକସ ବ୍ୟବସ୍ଥାକୁ ବାଧାମୁକ୍ତ (ସିମଲେସ), ଯନ୍ତ୍ରଣାମୁକ୍ତ (ପେନଲେସ), ସାକ୍ଷାତମୁକ୍ତ (ଫେସଲେସ) କରିବା ଲାଗି ପ୍ର୍ରୟାସ କରାଯାଉଛି । ତେବେ କଣ ଏହି ସିମଲେସ ପେନଲେସ ଓ ଫେସଲେସ ଟିକସ ବ୍ୟବସ୍ଥା ?

ସିମଲେସ ବା ବାଧାମୁକ୍ତ ଟିକସ ବ୍ୟବସ୍ଥାରେ ଟିକସ ପ୍ରଶାସନ ପ୍ରତ୍ୟେକ ଟିକସଦାତାଙ୍କୁ ଫସାଇବା ବଦଳରେ ସମସ୍ୟା ସମାଧାନ କରିବାର କାମ କରିବ । ପେନଲେସ ବା ଯନ୍ତ୍ରଣାମୁକ୍ତ ଟିକସ ବ୍ୟବସ୍ଥାରେ ପ୍ରଯୁକ୍ତିଠାରୁ ଆରମ୍ଭ କରି ନିୟମ ପର୍ୟ୍ୟନ୍ତ ସବୁକିଛି ସହଜ ହେବ । ଫେସଲେସ ବା ସାକ୍ଷାତମୁକ୍ତ ଟିକସ ବ୍ୟବସ୍ଥାରେ ଟିକସଦାତା ଏବଂ ଟିକସ ଅଧିକାରୀ ଯିଏ ହୁଅନ୍ତୁ ନା କାହିଁକି ସେଥିରେ କିଛି ଯାଏଆସେ ନାହିଁ । ଆଜି ଠାରୁ ଲାଗୁ ହେଉଥିବା ସଂସ୍କାର ଏହି ଚିନ୍ତାଧାରାକୁ ଆଗକୁ ବଢ଼ାଇବ ।

ନିଜର ଅଭିଭାଷଣରେ ମୋଦୀ କହିଥିଲେ ବର୍ତ୍ତମାନ ସୁଦ୍ଧା ଏପରି ହୋଇଆସୁଥିଲା, ଯେଉଁ ସହରରେ ଆମେ ରହୁଛୁ, ସେହି ସହରର ଟିକସ ବିଭାଗ ଆମର ଟିକସ ସମ୍ବନ୍ଧୀୟ ସମସ୍ତ ମାମଲାଗୁଡ଼ିକୁ ଦେଖୁଥିଲା । ଯାଞ୍ଚ ହେଉ, ନୋଟିସ ହେଉ, ସର୍ବେକ୍ଷଣ ହେଉ କିମ୍ବା ବାଜ୍ୟାପ୍ତି, ଏଥିରେ ସେହି ସହରର ଆୟକର ବିଭାଗ, ଆୟକର ଅଧିକାରୀ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ । ଏବେ ଏହି ଭୂମିକା ଏକ ପ୍ରକାର ଶେଷ ହୋଇଯାଇଛି । ଏବେ ଏହାକୁ ଟେକ୍ନୋଲୋଜି ସହାୟତାରେ ବଦଳାଇ ଦିଆଯାଇଛି ।

ଏବେ ଯାଞ୍ଚ ମାମଲାକୁ ଦେଶର ଯେକୌଣସି କ୍ଷେତ୍ରରେ ଯେକୌଣସି ଅଧିକାରୀଙ୍କ ନିକଟକୁ ରାଣ୍ଡମ (ମିଶ୍ରିତ) ଭାବେ ଆବଣ୍ଟିତ କରିଦିଆଯିବ । ଧରାଯାଉ, ମୁମ୍ବାଇରେ କେହି ଜଣେ ଟିକସଦାତାଙ୍କ ରିଟର୍ଣ୍ଣ ସଂକ୍ରାନ୍ତ ମାମଲା ସାମ୍ନାକୁ ଆସିଛି, ଏବେ ଏହାର ଯାଞ୍ଚ ଦାୟିତ୍ୱ ମୁମ୍ବାଇର ଅଧିକାରୀଙ୍କ ପାଖକୁ ଯିବ ନାହିଁ, ବରଂ ସମ୍ଭବତଃ ଏହି ମାମଲା ଚେନ୍ନାଇର ଫେସଲେସ ଟିମ ପାଖକୁ ଯାଇପାରେ । ଆହୁରି ସେଠାରୁ ମଧ୍ୟ ଯେଉଁ ଆଦେଶ ଜାରି ହେବ ଅନ୍ୟ କୌଣସି ସହରରେ ତା’ର ସମୀକ୍ଷା କରାଯିବ, ଯେପରିକି ଜୟପୁର କିମ୍ବା ବେଙ୍ଗାଲୁରୁର ଟିମ କରିବ । ଫେସଲେସ ଟିମ କେଉଁଠି ହେବ, ଏଥିରେ କେଉଁମାନେ ରହିବେ, ତାହା ମଧ୍ୟ ମିଶ୍ରିତ ଭାବେ କରାଯିବ । ପ୍ରତିବର୍ଷ ଏଥିରେ ପରିବର୍ତ୍ତନ ଜାରି ରହିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର