ଅମୃତକାଳ କ’ଣ? ବଜେଟ ଅଧିବେଶନ ସମୟରେ ନିର୍ମଳା ସୀତାରମଣ କାହିଁକି କଲେ ଏହାର ବ୍ୟବହାର ଜାଣନ୍ତୁ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ବେଳେ ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରି ଉଦ୍‌ବୋଧନ ଆରମ୍ଭ କରିଥିଲେ। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣ ଦେଉଛନ୍ତି। ଏହି ବଜେଟ୍ ଭାଷଣରେ ସେ ଅନେକ ବିଭାଗ ପାଇଁ କରାଯିବାକୁ ଥିବା କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି। ଏହି ସମୟରେ ସେ ଗୋଟିଏ ଶବ୍ଦ ‘ଅମୃତ କାଳ’ର ବ୍ୟବହାର କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ହେଉଛି।

ବଜେଟ୍ ଭାଷଣରେ ଏହାକୁ ଉଲ୍ଲେଖ କରିବାର ଅର୍ଥ କ’ଣ ଆପଣ ଜାଣନ୍ତି କି? ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଶବ୍ଦ ବ୍ୟବହାର କରିଛନ୍ତି। ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ଏହି ଶବ୍ଦଟି କେତେବେଳେ କହିଥିଲେ ଏବଂ ଏହି ଶବ୍ଦଟି କେଉଁଠାରୁ ଉତ୍ପନ୍ନ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଥମ ଥର ପାଇଁ ଏହି ଶବ୍ଦ  ଅର୍ଥାତ ‘ଅମୃତ କାଳ’ର ବ୍ୟବହାର କରିଥିଲେ । ଏଥିସହିତ ସେ ସେହି ସମୟରେ ୨୫ ବର୍ଷ ପାଇଁ ଏକ ନୂତନ ରୋଡମ୍ୟାପ୍ ଦେଶ ପାଇଁ ପ୍ରକାଶ କରିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ, ଯେ ‘ଅମୃତ କାଳ’ର ଉଦ୍ଦେଶ୍ୟ ହେଉଛି ଭାରତର ନାଗରିକଙ୍କ ଜୀବନରେ ଉନ୍ନତି ଆଣିବା। ଏଠାରେ ଗ୍ରାମ ଏବଂ ସହର ମଧ୍ୟରେ ଯେଉଁ ଫରକ ଅଛି ତାହାକୁ ହ୍ରାସ କରିବା ଏବଂ ଲୋକଙ୍କ ଜୀବନରେ ସରକାରଙ୍କ ହସ୍ତକ୍ଷେପକୁ କମ କରିବାକୁ ପଡ଼ିବ। ଏହା ବ୍ୟତୀତ ନୂତନ ଟେକ୍ନୋଲୋଜିକୁ ସ୍ୱାଗତ କରିବାକୁ ହେବ ।

ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ‘ଏଠାରୁ ଆସନ୍ତା ୨୫ବର୍ଷର ଯାତ୍ରା ହେଉଛି ନୂଆ ଭାରତର ‘ଅମୃତ କାଳ’। ଏହି ଅମୃତ କାଳ ଆମର ସଂକଳ୍ପ ପୂରଣ କରିବ ଏବଂ ଆମକୁ ସ୍ବାଧୀନତାର ୧୦୦ବର୍ଷ ପର୍ଯ୍ୟନ୍ତ ନେଇଯିବ।  ଭାରତ ଦ୍ରୁତ ଅଗ୍ରଗତି କରିଛି,  ଏମିତିରେ ବିକାଶର ‘ପରିପୂର୍ଣ୍ଣତା’ ହେବା ଉଚିତ ଏବଂ ପ୍ରତ୍ୟେକ ଗାଁରେ ରାସ୍ତା ରହିବା ଉଚିତ୍। ଏହା ବ୍ୟତୀତ ପ୍ରତ୍ୟେକ ପରିବାରର ବ୍ୟାଙ୍କ ଆକାଉଣ୍ଟ ରହିବା ଉଚିତ। ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ସ୍ୱାସ୍ଥ୍ୟ ବୀମା କାର୍ଡ ଏବଂ ଗ୍ୟାସ ସଂଯୋଗ ରହିବା ଉଚିତ।

‘ଅମୃତ କାଳ’ ଶବ୍ଦ ଏକ ଅତି ପ୍ରାଚୀନ ଶବ୍ଦ । ଏହାର ଉତ୍ପତ୍ତି ବୈଦିକ ଜ୍ୟୋତିଷ ଶାସ୍ତ୍ରରୁ ହୋଇଛି ବୋଲି ବିଶ୍ୱାସ କରାଯାଏ। ‘ଅମୃତ କାଳ’ ଅର୍ଥ ଯେତେବେଳେ ଅଣ-ମାନବ, ଦେବଦୂତ ଏବଂ ମାନବଙ୍କ ପାଇଁ ଅଧିକରୁ ଅଧିକ ସୁଖର ଦ୍ୱାର ଖୋଲାଯାଏ । ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ‘ଅମୃତ କାଳ’କୁ ସର୍ବୋତ୍ତମ ଏବଂ ଶୁଭ ସମୟ ଭାବରେ ବିବେଚନା କରାଯାଏ ।

ସମ୍ବନ୍ଧିତ ଖବର