ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିସର୍ଚ୍ଚର ସଦ୍ୟତମ ଅଭିଯୋଗ ଉପରେ ପ୍ରଥମ ଥର ପାଇଁ ଭାରତୀୟ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ (ସେବି) ପ୍ରତିକ୍ରିୟା ରଖିଛି। ବଜାର ନିୟାମକ କହିଛି ଯେ ଅଧ୍ୟକ୍ଷ ମାଧବୀ ବୁଚ୍ ସମୟ ସମୟରେ ନିଜର ବ୍ୟକ୍ତିଗତ ଆର୍ଥିକ କାରବାର ସଂପର୍କରେ ବୋର୍ଡକୁ ସୂଚନା ଦେଇଛନ୍ତି । ସମ୍ଭାବ୍ୟ ସ୍ୱାର୍ଥ ସଂଘର୍ଷ ସହ ଜଡ଼ିତ ମାମଲାଗୁଡ଼ିକରୁ ସେ ନିଜକୁ ଦୂରେଇ ରଖିଥିଲେ।
ନିକଟରେ ଆସିଥିବା ଆମେରିକୀୟ ସର୍ଟସେଲର ହିଣ୍ଡେନବର୍ଗର ଏକ ରିପୋର୍ଟ ଉପରେ ସେବି କହିଛି ଯେ ଆଦାନୀ ଗ୍ରୁପ୍ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ କରାଯାଇଛି। ସେବି କହିଛି ଯେ ଯେଉଁ ମାମଲାରେ ତଦନ୍ତ ଶେଷ ହୋଇଛି ସେଠାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିନ୍ତୁ ତଦନ୍ତ ଜାରି ରହିଥିବା ସମୟରେ ସେବି କୌଣସି ପ୍ରସଙ୍ଗରେ କିଛି ମନ୍ତବ୍ୟ ଦେଇନଥାଏ । ’
ସୂଚନାଯୋଗ୍ୟ ଯେ ହିଣ୍ଡେନବର୍ଗର ନୂଆ ରିପୋର୍ଟରେ ସେବି ମୁଖ୍ୟ ମାଧବୀ ବୁଚ ଏବଂ ତାଙ୍କ ସ୍ୱାମୀ ଧୱଲ ବୁଚଙ୍କ ନାମ ଆଦାନୀ ଦୁର୍ନୀତି ସହ ଯୋଡାଯାଇଛି । ଶନିବାର ବିଳମ୍ବିତ ରାତିରେ ଆସିଥିବା ଏହି ରିପୋର୍ଟରେ ଅଭିଯୋଗ କରାଯାଇଛି ଯେ ଅଦାନି ମନି ଲଣ୍ଡରିଂ ଦୁର୍ନୀତିରେ ବ୍ୟବହୃତ ଅଜ୍ଞାତ ବିଦେଶୀ ପାଣ୍ଠିରେ ଏହି ଦମ୍ପତିଙ୍କର ଅଂଶଧନ ରହିଛି।