ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍ ଆଗତ କରିବେ। ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଆଗତ ହେବାକୁ ଥିବା ଏହି ବଜେଟ୍ ଉପରେ ଏବେ ସାରା ଦେଶବାସୀଙ୍କ ନଜର ରହିଥିବାବେଳେ ଏଥରୁ ଓଡ଼ିଶା ଅନେକ କିଛି ଆଶା କରୁଛି। ଗତ ମାସ ୨୨ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପ୍ରାକ୍-ବଜେଟ୍ ପରାମର୍ଶ ବୈଠକରେ ଓଡ଼ିଶା ଦ୍ବାରା ଏକାଧିକ ଦାବି ଉପସ୍ଥାପନ କରାଯାଇଥିଲା। ବୈଠକରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଏକାଧିକ ଦାବି ରଖିଥିଲେ। ଶିଳ୍ପ ବିକାଶ ଠାରୁ ଆରମ୍ଭ କରି ଶିକ୍ଷା, ଗମନାଗମନ, ରାଜପଥ ନିର୍ମାଣ, ସହର ବିକାଶ, ବିଦ୍ୟୁତ୍, ଗ୍ରିନ୍ ହାଇଡ୍ରୋଜେନ୍ ଏବଂ ଶକ୍ତି କ୍ଷେତ୍ରରେ ପ୍ରତ୍ୟକ୍ଷଭାବେ ଓଡ଼ିଶା କେନ୍ଦ୍ରର ସହଯୋଗ ଲୋଡ଼ିଥିଲା। ଭିତ୍ତିଭୂମି ବିକାଶକୁ ତ୍ବରାନ୍ନିତ କରିବା ପାଇଁ ରାଜ୍ୟକୁ ବଜେଟ୍ରେ ଅଧିକ ସମ୍ବଳ ଆବଣ୍ଟନ, ସମ୍ବଲପୁରରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ବଜେଟ୍ରେ ଉପଯୁକ୍ତ ବ୍ୟବସ୍ଥା କରିବା, ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳା ସଶକ୍ତୀକରଣ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇଦେବାକୁ ବଜେଟ୍ରେ ବ୍ୟବସ୍ଥା ପାଇଁ ଓଡ଼ିଶାର ଦାବି ରହିଛି।
ଏଥିସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଓଡ଼ିଶାରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପାଇଁ ଅତିକମ୍ରେ ୫ ଲକ୍ଷ ଘର ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠି ନିମନ୍ତେ ଓଡ଼ିଶା ପକ୍ଷରୁ ଅନୁରୋଧ କରାଯାଇଛି। ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଆଗାମୀ ବଜେଟ୍ରେ ଓଡ଼ିଶାର ଦାବିଗୁଡ଼ିକୁ ଏଥିରେ ସାମିଲ ପାଇଁ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ଓଡ଼ିଶାର ସ୍ମାରକପତ୍ର ବିଶେଷ ଗୁରୁତ୍ବ ବହନ କରୁଛି। ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ଓଡ଼ିଶାର ଦାବିଗୁଡ଼ିକ ଉପରେ ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରତିଶ୍ରତି ଦେଇଥିବାରୁ ଆସନ୍ତାକାଲିର ବଜେଟ୍ରେ ଓଡ଼ିଶା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ବର୍ତ୍ତମାନ କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶ ଦିଗରେ ପ୍ରାଥମିକତା ଦେଉଥିବାରୁ ଯଦି ଏ ନେଇ କିଛି ଘୋଷଣା କରାଯାଏ ତା’ହେଲେ ଓଡ଼ିଶା ଏଥିରୁ ଫାଇଦା ପାଇବା ଆଶା କରାଯାଉଛି। ସେହିପରି ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପାଇଁ ଦାବି କରୁଥିବାରୁ କେନ୍ଦ୍ର ସରକାର ଏହି ରାଜ୍ୟ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଦେବା ନେଇ ବଜେଟ୍ରେ ଘୋଷଣା ହେବା ସମ୍ଭାବନା ରହିଛି। ଏଥର କେନ୍ଦ୍ର ବଜେଟ୍ରେ ଓଡ଼ିଶାରେ ରେଳ ବିକାଶ ବାବଦରେ କେତେ ପରିମାଣର ପାଣ୍ଠି ଦିଆଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। କାର୍ଯ୍ୟ ଆରମ୍ଭ ହୋଇଥିବା ଓ ନୂତନ ଭାବେ ହାତକୁ ନିଆଯାଇଥିବା ରେଳ ପ୍ରକଳ୍ପର କାର୍ଯ୍ୟ ଶେଷ କରିବା ପାଇଁ ବଜେଟ୍ରେ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା କରାଯିବା ନେଇ ଆଶା କରାଯାଉଛି। ୨୦୨୪-୨୫ର ଅନ୍ତରୀଣ ବଜେଟ୍ରେ ଓଡ଼ିଶାକୁ ୧୦,୫୩୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା।
୪୭୬ ପୃଷ୍ଠାର ବହିରେ ୧୩ଟି ଅଧ୍ୟାୟ
ନୂଆଦିଲ୍ଲୀ: ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩-୨୪ ବହିରେ ୧୩ଟି ଅଧ୍ୟାୟ ରହିଛି। ସୂଚୀପତ୍ର ଏବଂ ମୁଖବନ୍ଧ ପରେ ବିଷୟଗୁଡ଼ିକ ଆରମ୍ଭ ହୋଇଛି। ପ୍ରଥମ ବିଷୟ ଅର୍ଥନୀତିର ସ୍ଥିତି ସଂପର୍କରେ କୁହାଯାଇଛି। ଏହାପରେ ଆର୍ଥିକ ପରିଚାଳନା ରହିଛି। ତୃତୀୟ ଅଧ୍ୟାୟରେ ଦରଦାମ ଓ ମୁଦ୍ରାସ୍ଫୀତି, ଚତୁର୍ଥ ଅଧ୍ୟାୟରେ ବୈଦେଶିକ କ୍ଷେତ୍ର, ପଞ୍ଚମ ଅଧ୍ୟାୟରେ ନୂଆ ଭାରତ ପାଇଁ ମଧ୍ୟ ଅବଧି ଦୃଶ୍ୟପଟ ରହିଛି। ସେହିଭଳି ଷଷ୍ଠ ଅଧ୍ୟାୟରେ ଜଳବାୟୁ ପରିବର୍ତ୍ତନ ଏବଂ ଶକ୍ତି ପରିବର୍ତ୍ତନ, ସପ୍ତାମ ଧ୍ରରେ ସାମାଜିକ କ୍ଷେତ୍ର, ଅଷ୍ଟମ ଅଧ୍ୟାୟରେ ନିଯୁକ୍ତି ଓ ଦକ୍ଷତା ବିକାଶ, ନବମ ଅଧ୍ୟାୟରେ କୃଷି ଏବଂ ଖାଦ୍ୟ ପରିଚାଳନା, ଦଶମ ଅଧ୍ୟାୟରେ ଶିଳ୍ପ, ଏକାଦଶ ଅଧ୍ୟାୟରେ ସେବା, ଦ୍ବାଦଶ ଅଧ୍ୟାୟରେ ଭିତ୍ତିଭୂମି ଏବଂ ଏକାଦଶ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଓ ଭାରତ ବିଷୟ ରହିଛି।
ମୁଦ୍ରାସ୍ପୀତି ପାଇଁ ୨୦୨୪ ହେଉ ଆଧାର ବର୍ଷ
ନୂଆଦିଲ୍ଲୀ: ଦରଦାମ୍ରେ ହେଉଥିବା ହ୍ରାସ/ବୃଦ୍ଧିର ଚିତ୍ର ଉପସ୍ଥାପନ କରିବା ଲାଗି ପ୍ରତି ମାସରେ ପାଇକାରୀ ଓ ଖୁଚୁରା ମୁଦ୍ରାସ୍ଫୀତି ହାର ଘୋଷଣା କରାଯାଉଛି। ଖୁଚୁରା ମୁଦ୍ରାସ୍ଫୀତି ହିସାବ କରିବା ଲାଗି ଏବେ ୨୦୧୨କୁ ଆଧାର ବର୍ଷ ଭାବେ ବ୍ୟବହାର କରାଯାଉଛି। ତାହାକୁ ବଦଳାଇ ୨୦୨୪କୁ ଆଧାର ବର୍ଷ ଭାବେ ଗ୍ରହଣ କଲେ ସ୍ଥିତିର ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ସର୍ଭେ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି। ସେହିପରି, ମୋଟ ଘରୋଇ ଉତ୍ପାଦ (ଜିଡିପି) ହିସାବ ଲାଗି ଆଧାର ବର୍ଷରେ ପରିବର୍ତ୍ତନ ପାଇଁ ଜାତୀୟ ଖାତା ପରିସଂଖ୍ୟାନ ଉପରେ ଏକ ଉପଦେଷ୍ଟା କମିଟି ଗଠନ କରିବାକୁ କୁହାଯାଇଛି।
ଅଣକୃଷି କ୍ଷେତ୍ରରେ ବର୍ଷକୁ ୭୮.୫ ଲକ୍ଷ ନିଯୁକ୍ତି ଆବଶ୍ୟକ
ନୂଆଦିଲ୍ଲୀ:ଦେଶରେ ବଢ଼ୁଥିବା ଶ୍ରମଶକ୍ତିଙ୍କୁ ଚାକିରି ଯୋଗାଇ ଦେବା ପାଇଁ ଭାରତରେ ୨୦୩୦ ମସିହା ପର୍ଯ୍ୟନ୍ତ ଅଣକୃଷି କ୍ଷେତ୍ରରେ ବର୍ଷକୁ ୭୮.୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ହେବ। ୨୦୨୩ରେ ଦେଶର ମୋଟ ଶ୍ରମଶକ୍ତିର ୪୫.୮ ପ୍ରତିଶତ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ ୨୦୪୭ ମସିହା ବେଳକୁ ଏହା ୨୫ ପ୍ରତିଶତକୁ ହ୍ରାସ ପାଇବ। ତଦନୁଯାୟୀ ଭାରତକୁ ଅଣକୃଷି କ୍ଷେତ୍ରରେ ବାର୍ଷିକ ୭୮.୫ ଲକ୍ଷ ଚାକିରି ସୃଷ୍ଟି କରିବାକୁ ହେବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩-୨୪ରେ ଦର୍ଶାଯାଇଛି। ବର୍ତ୍ତମାନ ଦେଶରେ କାର୍ଯ୍ୟକାରୀ ହେଉଥିବା ପିଏଲ୍ଆଇ ଯୋଜନା, ମିତ୍ର ବୟନଶିଳ୍ପ ଯୋଜନା ଏବଂ ମୁଦ୍ରା ଆଦି ଯୋଜନାକୁ ବ୍ୟାପକ କରାଯାଇ ଏହା ହୋଇପାରିବ। ପିଏଲଆଇ ଯୋଜନାରେ ଆସନ୍ତା ୫ ବର୍ଷରେ ୬୦ ଲକ୍ଷ, ମିତ୍ର ବୟନଶିଳ୍ପ ଯୋଜନାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯାଇ ପାରିବ।
ବିତ୍ତୀୟ ନିଅଣ୍ଟ ୫.୬ ପ୍ରତିଶତ
ନୂଆଦିଲ୍ଲୀ, ୨୨/୭: ବିଶ୍ବରେ ବିତ୍ତୀୟ ନିଅଣ୍ଟ ବଢ଼ୁଥିବାବେଳେ ଭାରତର ବିତ୍ତୀୟ ସ୍ଥିତି ଭଲ ହେବାରେ ଲାଗିଛି। ୨୦୨୨-୨୩ରେ ଭାରତ ବିତ୍ତୀୟ ନିଅଣ୍ଟ ଜିଡିପିର ୬.୪ ପ୍ରତିଶତ ଥିବାବେଳେ ୨୦୨୩-୨୪ରେ ଏହା ୫.୬ ପ୍ରତିଶତକୁ ହ୍ରାସ ପାଇଛି। ୨୦୨୦-୨୧ରେ ଏହା ୯.୨ ପ୍ରତିଶତ ଏବଂ ୨୦୨୧-୨୨ରେ ୬.୭ ପ୍ରତିଶତ ରହିଥିଲା ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩-୨୪ରେ କୁହାଯାଇଛି।