ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିବାକୁ ଥିବା ବଜେଟ୍ ୨୦୨୫-୨୬ରୁ ଓଡ଼ିଶା ଅନେକ କିଛି ଆଶା ରଖିଛି। ଗତ ଡିସେମ୍ବର ତୃତୀୟ ସପ୍ତାହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାକ୍ ବଜେଟ୍ ଆଲୋଚନାରେ ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବାକୁ ଉପଯୁକ୍ତ ପରିବେଶ ସୃଷ୍ଟି ଲାଗି ବିଶେଷ ସହାୟତା ଲୋଡ଼ିଥିଲେ। ଓଡ଼ିଶା ପାଇଁ ସେ ୯ଟି ଦାବି ରଖିଥିଲେ। ରାଜ୍ୟରେ ପର୍ଯ୍ୟଟନ ବିକାଶ ପାଇଁ ୧୦ ହଜାର କୋଟିର ସ୍ବତନ୍ତ୍ର ପ୍ୟାକେଜ, ଜଳଜୀବନ ମିସନରେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ପର୍ଯ୍ୟାପ୍ତ ବଜେଟ୍ ବ୍ୟବସ୍ଥା, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅର୍ଥନୈତିକ ଗତିକୁ ତ୍ବରାନ୍ବିତ କରିବା ପାଇଁ ଗୋପାଳପୁର ସଲ୍ଟପ୍ୟାନ ଅଞ୍ଚଳ ଏବଂ ଝାରସୁଗୁଡ଼ାଠାରେ ନୂତନ ଶିଳ୍ପ ସହର ସ୍ଥାପନ, ଆକାଂକ୍ଷା ବ୍ଲକ ଯୋଜନା ଅନ୍ତର୍ଗତ ପୂର୍ବ ଅନୁମୋଦିତ ୨୯ଟି ବ୍ଲକ ବ୍ୟତୀତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୧୧ଟି ଅତିରିକ୍ତ ବ୍ଲକକୁ ଏଥିରେ ସାମିଲ ପ୍ରସ୍ତାବ ଦେଇଥିଲେ।
ଏଥିସହ ରାଜ୍ୟରେ ଭିତ୍ତିଭୂମି ବିକାଶ, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ବଜେଟ୍ରେ ଉପଯୁକ୍ତ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ଓଡ଼ିଶାର ଦାବିଗୁଡ଼ିକ ଉପରେ ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ବଜେଟ୍ରେ ଓଡ଼ିଶା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ତଥା ସ୍ବତନ୍ତ୍ର ଆର୍ଥିକ ଅନୁଦାନ ଘୋଷଣା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ସେହିଭଳି ବଜେଟ୍ରେ ଓଡ଼ିଶାରେ ରେଳ ବିକାଶକୁ ନେଇ କ’ଣ ସବୁ ଘୋଷଣା କରାଯିବ ତାହା ଉପରେ ମଧ୍ୟ ନଜର ରହିଛି। ମୋଦୀ ସରକାରଙ୍କ ତୃତୀୟ ପାଳିରେ ଓଡ଼ିଶାର ପରିବହନ ଭିତ୍ତିଭୂମି ବିକାଶକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଉ ଥିବାବେଳେ ଚଳିତ ବଜେଟ୍ରେ ରେଳ କ୍ଷେତ୍ର ପାଇଁ ଓଡ଼ିଶାକୁ ଅଧିକ ଅନୁଦାନ ମିଳିପାରେ। ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାରେ ରେଳ ବିକାଶ ପାଇଁ ବଜେଟ୍ ଅନୁଦାନ କ୍ରମାଗତ ବୃଦ୍ଧି ହୋଇଛି।
ଗତ ବଜେଟ୍ରେ ରେଳ କ୍ଷେତ୍ରରେ ଓଡ଼ିଶାକୁ ସର୍ବାଧିକ ୧୦,୫୮୬ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଥିଲା। ଏଥିସହିତ ଚଳିତ ବର୍ଷ ଅଗଷ୍ଟ ମାସରେ ରାଜ୍ୟର ରେଳ ଇତିହାସରେ ପ୍ରଥମ ଥର ପାଇଁ ୧୯ ହଜାର ୨୯୦ କୋଟି ଟଙ୍କା ବ୍ୟୟରେ ୮ଟି ନୂତନ ରେଳ ପ୍ରକଳ୍ପକୁ ସିସିଇଏର ମଂଜୁରି ମିଳିଥିଲା। ଏଥରର କେନ୍ଦ୍ର ବଜେଟ୍ରେ ରେଳବାଇ ପାଇଁ ତିନି ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ନେଇ ଚର୍ଚ୍ଚା ହେଉଥିବାରୁ ଓଡ଼ିଶା ପାଇଁ ରେଳ ବଜେଟ୍ ବୃଦ୍ଧି ହେବାର ଆଶା କରାଯାଉଛି। ଓଡ଼ିଶାରେ ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରିବା, ନୂତନ ରେଳଲାଇନ, ଦୋହରୀକରଣ ଆଦି ପାଇଁ ବଜେଟ୍ରେ ପର୍ଯ୍ୟାପ୍ତ ବ୍ୟବସ୍ଥା ନେଇ ଆଶା କରାଯାଉଛି। ସୂଚନାଯୋଗ୍ୟ, ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/01/LZMnXSgN0j0YnL9owIAv.jpg)