୨୦୧୭ ମସିହାଟି ଭାରତୀୟ ଟେଲିକମ ଶିଳ୍ପ ପାଇଁ ଏକ ସ୍ମରଣୀୟ ବର୍ଷ ଥିଲା ବୋଲି କୁହାଯାଇପାରେ । କାରଣ ଏହି ବର୍ଷ ଟେଲିକମ ଶିଳ୍ପରେ ଦେଖାଯାଇଥିଲା ଅଭୁତପୂର୍ବ ପ୍ରତିଯୋଗିତା । ରିଲାଏନ୍ସ ଜିଓର ଶସ୍ତା ଅଫରକୁ ଟକ୍କର ଦେବା ପାଇଁ ଅନ୍ୟ ଟେଲିକମ ଅପରେଟର ମାନେ ପ୍ରତିଯୋଗିତା ଆରମ୍ଭ କରିଦେଇଥିଲେ । ଫଳରେ ଏବର୍ଷ ଡାଟା ଦର ହ୍ରାସ ପାଇଥିଲା ଓ ଭାରତ ବିଶ୍ୱରେ ନଂ୧ ମୋବାଇଲ ଡାଟା ବ୍ୟବହାରକାରୀ ଦେଶର ମାନ୍ୟତା ପାଇଥିଲା । ସେହିପରି ଲାଇଭ୍‌ ମୋବାଇଲ ଟିଭିର ପ୍ରଚଳନ ବେଶ ବଢିଯାଇଥିଲା । ତେବେ ୨୦୧୮ରେ ଏହି କ୍ଷେତ୍ରରେ କଣ ଘଟିବ? ବିଶେଷଜ୍ଞମାନଙ୍କ ମତରେ ୨୦୧୭ ଭଳି ୨୦୧୮ ମଧ୍ୟ ଟେଲିକମ ଶିଳ୍ପ ପାଇଁ ଏକ ମାଇଲଖୁଣ୍ଟ ହୋଇ ରହିବ । ଏହାର ଏକ ସଂକ୍ଷିପ୍ତ ଝଲକ ନିମ୍ନରେ ଦିଆଗଲା ।

Advertisment

publive-image

୧. ଅବ୍ୟାହତ ରହିବ ଦର ହ୍ରାସ ପ୍ରତିଯୋଗିତା-
୨୦୧୭ ଭଳି ୨୦୧୮ରେ ମଧ୍ୟ ଶସ୍ତା ଟେଲିକମ ସେବା ଓ ହାଣ୍ଡସେଟ୍‌ ଯୋଗାଇବା ପାଇଁ ଜିଓ, ଏୟାରଟେଲ, ଭୋଡ଼ାଫୋନ ଆଦି କମ୍ପାନିଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିବ । ଫଳରେ ଦର ଆହୁରି କମିବାର ସମ୍ଭାବନା ରହିଛି । ଏହାଦ୍ୱାରା ଗ୍ରାହକ ଲାଭରେ ରହିବେ ।

୨. ଲାଇଫଟାଇମ ଫ୍ରି ଭଏସ୍‌ କଲ୍‌-
ଭୋଲଟେ ଟେକନଲୋଜୀ ବ୍ୟବହାର କରି ରିଲାଏନ୍ସ ଜିଓ ୨୦୧୬ରେ ଫ୍ରି ଭଏସ କଲିଂ ସୁବିଧା ଆରମ୍ଭ କରିଥିଲା । ଏହାପରେ ଏୟାରଟେଲ ମଧ୍ୟ ଭୋଲଟେ ସର୍ଭିସ ଆରମ୍ଭ କରିଥିଲା । ଚଳିତ ମାସରୁ ଭୋଡ଼ାଫୋନ ମଧ୍ୟ ଏହି ସେବା ଆରମ୍ଭ କରିବ । ଆଗାମୀ ଦିନରେ ଆଇଡିଆ ମଧ୍ୟ ଏମାନଙ୍କୁ ଅନୁସରଣ କରିବ । ଫଳରେ ଚଳିତ ବର୍ଷଠାରୁ ହିଁ ଲାଇଫ ଟାଇମ ଫ୍ରି ଭଏସ୍‌ କଲ ସୁବିଧା ବାସ୍ତବତାରେ ପରିଣତ ହେବ ।

୩. କଣ୍ଟେଣ୍ଟ ଉପରେ ଗୁରୁତ୍ୱ-
ମୋବାଇଲ କଣ୍ଟେଣ୍ଟ ଓ ଏଣ୍ଟରଟେନମେଣ୍ଟ ଉପରେ କମ୍ପାନି ଓ ଉପଭୋକ୍ତାଙ୍କ ଗୁରୁତ୍ୱ ରହିବ । ଅପରେଟରମାନେ ଆମାଜନ ପ୍ରାଇମ ଭିଡିଓ ଓ ନେଟଫ୍ଲିକ୍ସ ପରି ସେବାକୁ ମାଗଣା ସବସ୍କ୍ରିପସନ ପ୍ରଦାନ କରିବେ । ଅନ୍ୟପକ୍ଷରେ ମୋବାଇଲ ଟିଭିର ପ୍ରଚଳନ ଆହୁରି ବଢିବ ।

୪. ଆଇଓଟିର ଯୁଗ ଆସିବ
ଆଇଓଟି ବା ଇଣ୍ଟରନେଟ୍‌ ଅପ ଥିଙ୍କ୍‌ସ ହେଉଛି ନିଜ ଆଖପାଖରେ ଥିବା ସବୁ ବ୍ୟବହାରିକ ମେସିନ୍‌କୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ନେଟଓ୍ଵାର୍କରେ ଯୋଡିବା । ଏ କ୍ଷେତ୍ରରେ ଜିଓ, ଭୋଡାଫୋନ ଆଦି କମ୍ପାନି କାମ ଆରମ୍ଭ କରିଦେଇଛନ୍ତି । ଏହା ଫଳରେ ମୋବାଇଲ ମାଧ୍ୟମରେ ନିଜର କାର, ଘରେ ଥିବା ସାମଗ୍ରୀ, ସଂପତ୍ତିର ସୁରକ୍ଷା, ନିଜର ନିରାପତ୍ତା ଆଦିକୁ ନିୟନ୍ତ୍ରଣ କରିହେବ ।

୫. ସ୍ଥିରତା ଉପରେ ଗୁରୁତ୍ୱ
୨୦୧୭ରେ ପ୍ରବଳ ପ୍ରତିଯୋଗିତା ଫଳରେ ଟେଲିକମ କମ୍ପାନିମାନଙ୍କ ଲାଭ ହ୍ରାସ ପାଇଥିଲା । କିନ୍ତୁ ଏବର୍ଷ କମ୍ପାନିମାନେ କ୍ଷତି କମାଇବା ଉପରେ ଗୁରୁତ୍ୱ ଦେବେ ।