ଏଣିକି ହ୍ୱାଟସଆପରେ ପଠାଇ ପାରିବେ ଟଙ୍କା : ଖୁବ୍‌ ଶୀଘ୍ର ଭାରତରେ ହ୍ଵାଟସ୍‌ଆପ୍‌ ପେ’ର ସୁବିଧା ଉପଲବ୍ଧ ହେବ ବୋଲି ସୂଚନା ଦେଲେ ହ୍ଵାଟସ୍‌ଆପ୍‌ର ଅନ୍ତର୍ଜାତୀୟ ମୁଖ୍ୟ ଉଇଲ୍‌ କୈଥାର୍କ

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଭାରତରେ ଗୁଗଲ ପେ’ ଭଳି ହ୍ଵାଟସ୍‌ଆପ୍‌ ପେ’ର ସୁବିଧା ମଧ୍ୟ ଉପଲବ୍ଧ ହେବ ବୋଲି ଜଣା ପଡ଼ିଛି। ଏ ନେଇ ହ୍ଵାଟସ୍‌ଆପ୍‌ର ଅନ୍ତର୍ଜାତୀୟ ମୁଖ୍ୟ ଉଇଲ୍‌ କୈଥାର୍କ ବୁଧବାର ଦିଲ୍ଲୀରେ ଆୟୋଜିତ ଏକ ଇଭେଣ୍ଟରେ ଯୋଗ ଦେଇ ଜଣାଇଛନ୍ତି। ଭାରତରେ ହ୍ଵାଟସ୍‌ଆପ୍‌ର ୪୦୦ମିଲିୟନ ବ୍ୟବହାରକାରୀ ଥିବା ବେଳେ ଗତବର୍ଷଠାରୁ କିଛି ବ୍ୟବହାରକାରୀକୁ ନେଇ ପେମେଣ୍ଟର ପରୀକ୍ଷଣ କରାଯାଉଥିବା ସେ କହିଛନ୍ତି। ଟଙ୍କା ପଠାଇବାକୁ ହ୍ଵାଟସ୍‌ଆପ୍‌ରେ ମେସେଜ ପଠାଇବା ଭଳି ସହଜ ଏବଂ ଅନ୍ୟ ପେମେଣ୍ଟ ଆପ୍‌ଠାରୁ ଦ୍ରୁତ କରିବା ହେଉଛି କମ୍ପାନୀର ଲକ୍ଷ ବୋଲି କହିଛନ୍ତି ଅନ୍ତର୍ଜାତୀୟ ମୁଖ୍ୟ ଉଇଲ୍‌ କୈଥାର୍କ।

CNBC.com

ଯଦି ଏହାର ପରୀକ୍ଷଣ ସଫଳ ହେଉଛି, ତେବେ ଭାରତରେ ଏହାର ଗଭୀର ପ୍ରଭାବ ପଡ଼ିବା ସହ ଡିଜିଟାଲ ଅର୍ଥବ୍ୟବସ୍ଥା ଉପରେ ଏକ ବଡ଼ ପରିବର୍ତ୍ତନ ଆସିବ। ଏଇ ବର୍ଷ ଶେଷ ସୁଦ୍ଧା ହ୍ଵାଟସ୍‌ଆପ୍‌ ପେ’ର ସୁବିଧା ଭାରତରେ ଅଧିକରୁ ଅଧିକ ବ୍ୟବହାରକାରୀଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଉଇଲ୍‌ କୈଥାର୍କ। ତେବେ ଏହାର ପ୍ରଭାବ ଫୋନ ପେ, ଗୁଗଲ ପେ ଓ ପେଟିଏମ୍‌ ଭଳି ପେମେଣ୍ଟ ଆପ୍‌ରେ ପଡ଼ିପାରେ ବୋଲି ଆଶା କରାଯାଉଛି।

ଅନ୍ୟ ପକ୍ଷରେ, ଏହି ଇଭେଣ୍ଟରେ ଉପସ୍ଥିତ ଥିବା ନୀତି ଆୟୋଗର ସିଇଓ ଅମିତାଭ କାନ୍ତ କହିଥିଲେ, ଆମେ ହ୍ଵାଟସ୍‌ଆପ୍‌ ପେ’କୁ ଭାରତକୁ ସ୍ୱାଗତ କରୁୁଛୁ। ଭାରତରେ ହ୍ଵାଟସ୍‌ଆପ୍‌ ଆପ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ। ଯଦି ହ୍ଵାଟସ୍‌ଆପ୍‌ ପେ’କୁ ଭାରତରେ ଲଞ୍ଚ କରାଯାଉଛି ତେବେ ଏହାକୁ ଅଧିକରୁ ଅଧିକ ଲୋକ ବ୍ୟବହାର କରିବେ।

ସମ୍ବନ୍ଧିତ ଖବର