ହ୍ଵାଟ୍‌ସଆପ୍‌ ଆଣୁଛି ଗ୍ରୁପ୍‌ ଭିଡିଓ କଲିଂ ସୁବିଧା!

ଏବେ ହ୍ଵାଟ୍‌ସଆପର ଜମାନା ଚାଲିଛି। ଯୋଗାଯୋଗ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ହ୍ଵାଟ୍‌ସଆପ। ଏହାସହ ନିଜ ଗ୍ରାହକଙ୍କ ପାଇଁ ନୂଆ ନୂଆ ଫିଚର ଆଣୁଥିବା ହ୍ଵାଟ୍‌ସଆପ ପୁଣିଥରେ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଅଡିଓ ଓ ଭିଡିଓ କଲ ଭଳି ନୂଆ ନୂଆ ଫିଚର ଆଣିଥିବା ହ୍ଵାଟ୍‌ସଆପ ଏବେ ଗ୍ରୁପ୍‌ ଭିଡିଓ କଲ ଭଳି ନୂଆ ଫିଚର ଆଣିବା ପାଇଁ ଚେଷ୍ଟା ଚଳାଇଛି । ଖୁବଶୀଘ୍ର ଏହି ନୂଆ ଫିଚରର ଫାଇଦା ଉଠାଇପାରିବେ ହ୍ଵାଟ୍‌ସଆପ ବ୍ୟବହାରକାରୀ। ଅନ୍ୟ ସୋସିଆଲ ମିଡିଆ ଆପ୍‌ ଭଳି ଏଣିକି ବ୍ୟବହାରକାରୀ ଭିଡିଓ କଲିଂର ସୁବିଧା ପାଇପାରିବେ।

ରିପୋର୍ଟ ମୁତାବିକ, ହ୍ଵାଟ୍‌ସଆପ ପାଇଁ ଗ୍ରୁପ୍‌ କଲିଂ ଭଳି ନୂଆ ଫିଚରର ପରୀକ୍ଷଣ କରାଯାଉଛି। ଏହି ନୂଆ ଫିଚରର ପରୀକ୍ଷଣ ଖୁବଶୀଘ୍ର ଶେଷ ହେବାକୁ ଯାଉଛି। ଏହାପରେ ବ୍ୟବହାରକାରୀ ଏହାର ଫାଇଦା ଉଠାଇ ପାରିବେ। କେବଳ ଏହି ଫିଚର ନୁହେଁ ଆଉ ଏକ ଜବରଦସ୍ତ ଫିଚର ବ୍ୟବହାରକାରୀଙ୍କ ପାଇଁ ହ୍ଵାଟ୍‌ସଆପ ଆଣିବାକୁ ପ୍ରସ୍ତୁତି ଚଳାଇଛି। ଏହି ନୂଆ ଫିଚର ଅନୁଯାୟୀ, ହ୍ଵାଟ୍‌ସଆପରେ ପଠାଯାଇଥିବା ମେସେଜକୁ ପୂନର୍ବାର କିଛି ସେକେଣ୍ଡ ମଧ୍ୟରେ ଫେରାଇ ଆଣିବାକୁ ଅପ୍ସନ ମିଳିବ। ଯାହାଦ୍ୱାରା ଯଦି ଭୁଲରେ କୌଣସି ମେସେଜ ଆପଣ ଅନ୍ୟ କାହାକୁ ପଠାଉଛନ୍ତି ତେବେ ତାହାକୁ ଫେରାଇ ଆଣିହେବ। ଦୁଇଟି ନୂଆ ଫିଚର ଏକା ସାଙ୍ଗରେ ଲଞ୍ଚ କରିବାକୁ ଯୋଜନା ରଖିଛି ହ୍ଵାଟ୍‌ସଆପ।

ହ୍ଵାଟ୍‌ସଆପ ଆଣ୍ଡ୍ରଏଡର ନୂଆ ବିଟା ଭର୍ସନରେ ଏହି ଦୁଇଟି ଫିଚର ଛଡା ଆଉ କିଛି ନୂଆ ଫିଚରର ଲାଭ ଉଠାଇପାରିବେ ବ୍ୟବହାରକାରୀ। ଏହି ନୂଆ ଫିଚର ଅନୁଯାୟୀ, ଯଦି ଆପଣ ହ୍ଵାଟ୍‌ସଆପ ନମ୍ବର ପରିବର୍ତ୍ତନ କରୁଥାନ୍ତି ତେବେ ଏନେଇ ଆପଣଙ୍କ ବନ୍ଧୁଙ୍କ ନିକଟକୁ ଏକ ନୋଟିଫିକେସନ ଆପଣାଛାଏଁ ଆସିଯିବ। ଯାହାଦ୍ୱାରା ନୂଆ ନମ୍ବରର ସୂଚନା ହ୍ଵାଟ୍‌ସଆପ ବନ୍ଧୁଙ୍କ ନିକଟରେ ବେଶ ଆରାମରେ ପହଞ୍ଚିଯିବ। ଏସବୁ ଭିତରେ ହ୍ଵାଟ୍‌ସଆପ ଆଉ ଏକ ନୂଆ ଫିଚର ବ୍ୟବହାରକାରୀଙ୍କ ପାଇଁ ଆଣିଛି। ଏହି ନୂଆ ଫିଚର ହେଉଛି ଲାଇଭ ଲୋକସେନ ସେୟାରିଙ୍ଗ। ଏହାଦ୍ୱାରା ବ୍ୟବହାରକାରୀ ନିଜ ବନ୍ଧୁଙ୍କ ନିକଟକୁ ସଠିକ୍‌ ଲୋକସନ ସୂଚନା ପଠାଇପାରିବେ ଏବଂ ଆପଣଙ୍କ ବନ୍ଧୁ ମଧ୍ୟ ଏହି ଫିଚର ମାଧ୍ୟମରେ ଆପଣଙ୍କୁ ଟ୍ରାକ କରିପାରିବେ।

ସମ୍ବନ୍ଧିତ ଖବର