ପୁଣି ଚାଲିଲା ହ୍ବାଟ୍‌ସଆପ୍‌; ବ୍ୟବହାରକାରୀଙ୍କ ଅଭିଯୋଗ ପରେ ତୁରନ୍ତ କାମ ଆରମ୍ଭ କରିଥିଲା କମ୍ପାନି

ମୁମ୍ବାଇ: ପ୍ରାୟ ୨ ଘଣ୍ଟା ପରେ ସ୍ବାଭାବିକ ହୋଇଛି ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌। ଏବେ ବ୍ୟବହାରକାରୀ ପୁଣି ଥରେ ହ୍ବାଟ୍‌ସଆପ୍‌ରେ ଟେକ୍ସଟ୍‌, ଭଏସ୍‌ ମେସେଜ୍‌ କିମ୍ବା ଫଟୋ ଆଦି କିଛି ପଠାଇ ପାରୁଛନ୍ତି ଓ ଗ୍ରହଣ ବି କରିପାରୁଛନ୍ତି।

ଆଜି ଅପରାହ୍ନ ୧୨.୪୫ରୁ ହ୍ବାଟ୍‌ସଆପ୍‌ ପୂରାପୂରି ବନ୍ଦ ହୋଇ ଯାଇଥିଲା। ଏ ନେଇ ଅନେକ ବ୍ୟବହାରକାରୀ ଟ୍ବିଟର୍‌ରେ ସେମାନଙ୍କ ହ୍ବାଟ୍‌ସଆପ୍‌ ଡାଉନ୍‌ ହୋଇଥିବା କଥା ପୋଷ୍ଟ୍‌ କରିଥିଲେ।

ଅଧିକାଂଶ ବ୍ୟବହାରକାରୀଙ୍କ ୱେବ୍‌ ହ୍ବାଟସ୍‌ଆପ୍‌ ପୂରାପୂରି ବନ୍ଦ ହୋଇଯାଇଥିଲା। ଅନ୍ୟ କିଛି ବ୍ୟବହାରକାରୀ ହ୍ବାଟ୍‌ସଆପ୍‌ ଖୋଲି ପାରୁଥିଲେ ମାତ୍ର ଫଟୋ କି କୌଣସି ଫାଇଲ୍‌ ପଠାଇ ପାରୁନଥିଲେ।

ହ୍ବାଟ୍‌ସଆପ୍‌ର ପ୍ୟାରେଣ୍ଟ୍‌ କମ୍ପାନି ମେଟା ବ୍ୟବହାରକାରୀଙ୍କ ଅଭିଯୋଗ ପରେ ଏହା ଉପରେ କାମ କରିବା ଆରମ୍ଭ କରି ଦେଇଥିଲା। ତେବେ ଏ ସମସ୍ୟା ନେଇ ମେଟାର ମୁଖପାତ୍ର ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ ସମାଧାନର ବାଟ କାଢ଼ିବାକୁ ଗବେଷକମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ଖୁବ୍‌ ଶୀଘ୍ର ବ୍ୟବହାରକାରୀଙ୍କ ସମସ୍ୟା ଦୂର ହେବ। ସତକୁ ସତ ସମସ୍ୟା ଦୂର ହୋଇଛି। ପୁଣି ଥରେ ବ୍ୟବହାରକାରୀ ହ୍ବାଟ୍‌ସଆପ୍‌ ବ୍ୟବହାର କରିପାରୁଛନ୍ତି।

ହ୍ବାଟ୍ସଆପ୍‌ ସେବା ବନ୍ଦ ହୋଇ ଯାଇଥିବା ନେଇ ଜଣେ ନୁହେଁ, ୨ ଜଣ ନୁହେଁ, ହଜାର ହଜାର ବ୍ୟବହାରକାରୀ ଅଭିଯୋଗ କରିଥିଲେ। ହ୍ବାଟ୍‌ସଆପ୍‌ରେ କିଛି ଫାଇଲ୍‌ ଯାଉନାହିଁ କି ଆସୁନାହିଁ। ଏହା ଉଭୟ ବ୍ୟକ୍ତିଗତ୍‌ ଚାଟ୍‌ ଓ ଗ୍ରୁପ୍‌ ଚାଟ୍‌କୁ ପ୍ରଭାବିତ କରିଛି ବୋଲି ସୂଚନା ରହିଥିଲା।

ସମ୍ବନ୍ଧିତ ଖବର