ନୂଆଦିଲ୍ଲୀ : ଭାରତୀୟ ପ୍ରତିଯୋଗିତା କମିସନଙ୍କ ତଦନ୍ତକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିବା ହ୍ବାଟସ୍ଆପ୍ ଆଜି ପଛଘୁଞ୍ଚା ଦେଇଛି। ଏହା ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରିଛି ଯେ ବିବାଦୀୟ ଗୋପନୀୟତା ନିୟମକୁ ଗ୍ରହଣ କରିବା ଲାଗି ଏହା କୌଣସି ବ୍ୟବହାରକାରୀଙ୍କୁ ବାଧ୍ୟ କରିବ ନାହିଁ କିମ୍ବା ଏହି ବାହାନାରେ ଆପ୍ର କୌଣସି ସୁବିଧାରୁ ମଧ୍ୟ ବଞ୍ଚିତ କରିବ ନାହିଁ। ସରକାରଙ୍କ ତଥ୍ୟ ସୁରକ୍ଷା ବିଲ୍ ପାସ୍ ନହେବା ପର୍ଯ୍ୟନ୍ତ କଂପାନି ଏହି ଧାରାରେ କାର୍ଯ୍ୟ କରିବ।
ହ୍ବାଟସ୍ଆପ୍ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ହରିଷ ସାଲ୍ଭେ କୋର୍ଟଙ୍କୁ ଜଣାଇଛି ଯେ ଗୋପନୀୟତା ନୀତିକୁ ସ୍ବେଚ୍ଛାଧୀନ ଭାବେ ସ୍ଥଗିତ ରଖିବା ଲାଗି କଂପାନି ନିଷ୍ପତ୍ତି ନେଇଛି। ଏହାକୁ ଗ୍ରହଣ କରିବା ଲାଗି କାହାକୁ ବାଧ୍ୟ କରାଯିବନି। ଆପ୍ର କୌଣସି ସୁବିଧାକୁ ସୀମିତ ରଖାଯିବନି। ବରଂ ଆଗାମୀ ଦିନରେ ଏହା ଅପ୍ଡେଟ୍ ବିଷୟରେ ବ୍ୟବହାରକାରୀମାନଙ୍କୁ ଅବଗତ କରିବ। ତଥ୍ୟ ସୁରକ୍ଷା ବିଲ୍ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ଏହି ଧାରାରେ କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି। ଫେସବୁକ୍ ମାଲିକାନାରେ ଥିବା ସଂସ୍ଥା ହ୍ବାଟସ୍ଆପ୍ ବିରୋଧରେ ପ୍ରତିଯୋଗିତା କମିସନ ତଦନ୍ତ ଆରମ୍ଭ କରିଥିଲେ। ବିବାଦୀୟ ନୀତି ବିଷୟରେ କମିସନ କେତେକ ତଥ୍ୟ ମାଗିଥିଲେ। ଏହି ତଦନ୍ତକୁ କଂପାନି କୋର୍ଟରେ ଚ୍ୟାଲେଞ୍ଜ୍ କରିଛି। ତେବେ ତଦନ୍ତ ଉପରେ ରୋକ ଲଗାଯିବ ନାହିଁ ବୋଲି କୋର୍ଟ ପ୍ରାରମ୍ଭିକ ଶୁଣାଣିରେ ସ୍ପଷ୍ଟ କରିଛନ୍ତି। ପ୍ରତିଯୋଗିତା କମିସନଙ୍କୁ ଉତ୍ତର ଦେବା ଲାଗି କିଛି ସମୟ ଦେବାକୁ ହ୍ବାଟସ୍ଆପ୍ ତରଫରୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି। କଂପାନି ତରଫରୁ ଚଳିତ ବର୍ଷ ଫେବ୍ରୁଆରିରେ ନୂଆ ଗୋପନୀୟତା ନୀତି ଘୋଷଣା କରାଯାଇଥିଲା। ଆପ୍ରେ ବାର୍ତା ଦେଇ ଏହି ନୀତିକୁ ଗ୍ରହଣ କରିବାକୁ କଂପାନି ବ୍ୟବହାରକାରୀମାନଙ୍କୁ ବାଧ୍ୟ କରିଥିଲା। ନିଜ ମାଲିକ ଫେସବୁକ୍ ସହିତ ବ୍ୟବହାରକାରୀଙ୍କ ତଥ୍ୟ ବାଣ୍ଟିବା ଲାଗ ଏହା ଅନୁମତି ଲୋଡ଼ିଥିଲା। ସେହିଠାରୁ ଏହି ନୀତି ବିବାଦୀୟ ହୋଇପଡ଼ିଛି। ବିଭିନ୍ନ ମହଲରେ କଂପାନିର ଏହି ନୀତିକୁ ସମାଲୋଚନା କରାଯିବାରୁ ବାଧ୍ୟ ହୋଇ ତାହାକୁ ସ୍ଥଗିତ ରଖାଯାଇଛି। ଏହା ପୂର୍ବରୁ ହ୍ବାଟସ୍ଆପ୍ ସ୍ପଷ୍ଟ କରିଛି ଯେ ଯେଉଁମାନେ ଗୋପନୀୟତା ନୀତିକୁ ଗ୍ରହଣ କରିନାହାନ୍ତି ସେମାନଙ୍କ ଆକାଉଣ୍ଟ୍ ଡିଲିଟ୍ ହେବ ନାହିଁ। ତେବେ ଅଧିକାଂଶ ବ୍ୟବହାରକାରୀ ଏହି ନୀତିକୁ ଗ୍ରହଣ କରିସାରିଛନ୍ତି ବୋଲି କଂପାନି କହିଛି।
ହ୍ବାଟସ୍ଆପ୍ର ଏହି ବିବାଦୀୟ ନୀତିକୁ ଲୋକମାନଙ୍କ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ ଭାବେ ବିଚାର କରାଯାଉଛି। ତେଣୁ ଏହି ନୀତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କଂପାନି ଉପରେ ସରକାର ଚାପ ପକାଇଥିଲେ। ବିବାଦୀୟ ନୀତିକୁ ଗ୍ରହଣ କରିବା ଲାଗି କଂପାନି ବାରମ୍ବାର ବ୍ୟବହାରକାରୀଙ୍କୁ ସୂଚିତ କରୁଥିବା ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ ମଧ୍ୟ କହିଛନ୍ତି। ଭାରତରେ ହ୍ବାଟସ୍ଆପ୍କୁ ୫୦ କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି।