ହ୍ବାଟ୍‌ସଆପ୍‌ ୨ ଘଣ୍ଟା ଅଚଳ: ଓଡ଼ିଶାରେ ୨.୩ କୋଟି ଲୋକ ଛଟପଟ

ଦୁଃଖ ପ୍ରକାଶ କଲା କମ୍ପାନି, ବିଶ୍ବବ୍ୟାପୀ ୨୦୦ କୋଟି ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ହ୍ବାଟସଆପ୍‌ ଦୁଇ ଘଣ୍ଟା ଅଚଳ ହେବା ଯୋଗୁ ଆଜି ରାଜ୍ୟରେ ପାଖାପାଖି ୨ କୋଟି ୩୦ ଲକ୍ଷ ଲୋକ ୨ ଘଣ୍ଟା କାଳ ପ୍ରାୟ ଛଟଛଟ ହୋଇଥିଲେ। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତଥ୍ୟ ସୂଚନା ଅନୁଯାୟୀ, ଦେଶରେ ୧୪୦ କୋଟି ଲୋକଙ୍କ ମଧ୍ୟରୁ ୧୧୮ କୋଟି ଲୋକଙ୍କ ପାଖରେ ମୋବାଇଲ ଫୋନ ଉପଲବ୍ଧ ରହିଛି। ସେଥିରୁ ପ୍ରାୟ ୪୦ କୋଟି ଲୋକ ୨ଜି ନେଟୱାର୍କରେ ରହିଛନ୍ତି। ସେମାନଙ୍କ ପାଖରେ ଥିବା ଫିଚର ଫୋନ୍‌ରେ ହ୍ବାଟସ୍‌ଆପ୍ ବ୍ୟବହାର କରିବା ସୁବିଧା ନାହିଁ। ମୁଖ୍ୟତଃ କଲ୍ କରିବା ଏବଂ ଟେକ୍ସଟ ମେସେଜ କରିବା ଲାଗି ବୟସ୍କ ଓ ସ୍ମାର୍ଟଫୋନ ବ୍ୟବହାର ଜାଣିନଥିବା ବ୍ୟକ୍ତିମାନେ ତାହା ବ୍ୟବହାର କରୁଛନ୍ତି। ସାଢ଼େ ୪ କୋଟି ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଓଡ଼ିଶାରେ ଅଗଷ୍ଟ ସୁଦ୍ଧା ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୩୦ ଲକ୍ଷରୁ ଅଧିକ ରହିଛି। ରାଜ୍ୟରେ ପ୍ରତି ୧୦୦ ଜଣରେ ୭୫ ଜଣଙ୍କର ମୋବାଇଲ ଫୋନ ରହିଛି। କିନ୍ତୁ ୨ଜିର ଜାତୀୟ ହାର ବିଚାରକୁ ନେଲେ ଓଡ଼ିଶାରେ ପ୍ରାୟ ୧ କୋଟି ଲୋକ ଏବେ ବି ସ୍ମାର୍ଟଫୋନ ଠାରୁ ଦୂରରେ ରହିଛନ୍ତି ବୋଲି କୁହାଯାଇ ପାରିବ। ଅବଶିଷ୍ଟ ୨ କୋଟି ୩୦ ଲକ୍ଷ ମୋବାଇଲ ଗ୍ରାହକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ଆଜି ହ୍ବାଟ୍‌ସଆପ୍‌ରେ ଦେଖାଦେଇଥିବା ବିଭ୍ରାଟ ଯୋଗୁ ‌ସେମାନେ ପ୍ରଭାବିତ ହୋଇଛନ୍ତି।

ଦୁଃଖ ପ୍ରକାଶ କଲା କମ୍ପାନି
ବିଶ୍ବବ୍ୟାପୀ ୨୦୦ କୋଟି ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ବର ବିଭିନ୍ନ ଦେଶରେ ଆଜି ହ୍ବାଟ୍‌ସଆପ୍‌ ପାଖାପାଖି ୨ ଘଣ୍ଟା ଠପ୍ ହୋଇଯାଇଥିଲା। ଟେକ୍ସ୍‌ଟ, ଅଡିଓ ଏବଂ ଭିଡିଓ ବାର୍ତ୍ତା ପ୍ରେରଣ ଠାରୁ ଆରମ୍ଭ କରି ହ୍ବାଟ୍‌ସଆପ୍‌ରେ ଲୋକମାନେ କଲ୍ କରିପାରି ନଥିଲେ। ଫଳରେ ଉକ୍ତ ସେବା ଉପରେ ଅତିମାତ୍ରାରେ ନିର୍ଭରଶୀଳ ହୋଇ ପଡ଼ିଥିବା ବ୍ୟକ୍ତିମାନେ ଛଟ‌ପଟ ହୋଇଥିଲେ। କେବଳ ମୋବାଇଲରେ ‌ହ୍ବାଟ୍‌ସଆପ୍‌ ବ୍ୟବହାର କରୁଥିବା ବ୍ୟକ୍ତି ନୁହେଁ, ‌ଡେସ୍କଟପ୍ ଏବଂ ଲାପଟପ୍‌ରେ ହ୍ବାଟ୍‌ସଆପ୍‌ ବ୍ୟବହାର କରୁଥିବା ବ୍ୟକ୍ତିମାନେ ବି ହାତବାନ୍ଧି ବସିଥିଲେ। ଟ୍ବିଟର ସମେତ ଅନ୍ୟ ସାମାଜିକ ଗଣମାଧ୍ୟମରେ ହ୍ବାଟ୍‌ସଆପ୍‌ କାମ କରୁ ନଥିବା ଖବର ବିଜୁଳି ବେଗରେ ପ୍ରସାର ହୋଇଥିଲା। ମଧ୍ୟାହ୍ନ ପରେ ପରେ ୧୨ଟା ୭ ବେଳକୁ ଏହି ସେବା ଅଚଳ ହୋଇଯାଇଥିଲା। ଅପରାହ୍ଣ ୨ଟା ୧୫ ମିନିଟ ବେଳକୁ ସ୍ଥିତି ସ୍ବାଭାବିକ ହୋଇଥିଲା।

ସାରା ବିଶ୍ବରେ ସର୍ବାଧିକ ସମୟ ପାଇଁ ଆଜି ହ୍ବାଟ୍‌ସଆପ୍‌ କାମ କରି ନଥିଲା। ସର୍ଭର ଡାଉନ୍ କାରଣରୁ ଏହା ହୋଇଥିବା ଜଣାପଡ଼ିଥିଲା। କିଛି ସମୟ ପରେ କମ୍ପାନି ପକ୍ଷରୁ ଏଥିପାଇଁ ଦୁଃଖ ପ୍ରକାଶ କରାଯାଇଥିଲା। ହ୍ବାଟ୍‌ସଆପ୍ ସେବା ଯୋଗାଇ ଦେଉଥିବା କମ୍ପାନି ମେଟା ପକ୍ଷରୁ କୁହାଯାଇଥିଲା ଯେ ହ୍ବାଟ୍‌ସଆପ୍‌ ଦେଖାଦେଇଥିବା ସମସ୍ୟାକୁ ଆମେ ସମାଧାନ କରୁଛୁ। ଏହି ଅସୁବିଧା ପାଇଁ ଆମେ ଦୁଃଖିତ। ତେବେ କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ସେବା ଠପ୍‌ ହୋଇଯାଇଥିଲା ସେ ସଂପର୍କରେ କଂପାନିର ପ୍ରବକ୍ତା କିଛି କହିନାହାନ୍ତି। ମଧ୍ୟାହ୍ନ ୧୨ଟା ୭ ମିନିଟ ବେଳକୁ ବହୁସଂଖ୍ୟକ ହ୍ବାଟସଆପ୍‌ ବ୍ୟବହାରକାରୀ ଅସୁବିଧାର ସମ୍ମୁଖୀନ ହୋଇଥିବା ଡାଉନ ଡିଟେକ୍ଟର ନାମକ ଟ୍ରାକିଂ ସଂସ୍ଥା ଜାଣିବାକୁ ପାଇଥିଲା। ଅପରାହ୍ଣ ୧ଟା ବେଳକୁ ୨୫ ହଜାରରୁ ଅଧିକ ରିପୋର୍ଟ ଏହାକୁ ମିଳିଥିଲା। ଏଥିରୁ ୭୦ ପ୍ରତିଶତରୁ ଅଧିକ ଅଭିଯୋଗ ଥିଲା ହ୍ବାଟ୍‌ସଆପ୍‌ରେ ମେସେଜ୍ ଯାଉନାହିଁ।

ଏହାବ୍ୟତୀତ ଅନ୍ୟମାନେ ସର୍ଭର ସହିତ ସଂଯୋଗ ବିଚ୍ଛିନ୍ନ ଏବଂ ଆପ୍‌ କ୍ରାସ୍ ହୋଇଯାଇଥିବା ମେସେଜ୍ ମାନ ଦେଇଥିଲେ। ଅପରାହ୍ଣ ୩ଟା ବେଳକୁ ଏହି ଅଭିଯୋଗ ସଂଖ୍ୟା ୧୦୦୦କୁ ହ୍ରାସ ପାଇଥିଲା। ଭାରତ ସମେତ ଆମେରିକା, ବ୍ରିଟେନ୍‌, ଜର୍ମାନୀ, ଦକ୍ଷିଣ ଆଫ୍ରିକା, ବାହାରିନ, ବାଂଲାଦେଶ, ଇଟାଲୀ ଏବଂ ତୁର୍କୀ ଆଦି ଦେଶରେ ହ୍ବାଟସ୍‌ଆପ୍ ଅଚଳ ରହିଥିଲା। ବିଶ୍ବରେ ପାଖାପାଖି ୨୦୦ କୋଟିରୁ ଅଧିକ ଲୋକ ହ୍ବାଟସଆପ ବ୍ୟବହାର କରୁଛନ୍ତି। ‌େସମାନେ ଆଜି ପ୍ରଭାବିତ ହୋଇଛନ୍ତି। ହ୍ବାଟ୍‌ସଆପ୍‌ କାମ ନକରିବାରୁ କିଛି ବ୍ୟବହାରକାରୀ ପ୍ରଥମେ ଭାବିଥିଲେ ଯେ ସେମାନଙ୍କ ଇଣ୍ଟରନେଟ୍‌ରେ କୌଣସି ସମସ୍ୟା ଦେଖାଦେଇଛି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଅକ୍ଟୋବର ୫ରେ ମେଟା କମ୍ପାନିର ହ୍ବାଟ୍‌ସଆପ, ଇନଷ୍ଟାଗ୍ରାମ ଏବଂ ଫେସବୁକ୍‌ ସେବା ଦୀର୍ଘ ସମୟ ପାଇଁ କାମ କରି ନଥିଲା।

ସମ୍ବନ୍ଧିତ ଖବର