ଖୁବ୍‌ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ହ୍ଵାଟ୍‌ସଆପ୍‌ ପେ’, ଅନ୍ୟ ପେମେଣ୍ଟ ଆପ୍‌କୁ ଦେଇପାରେ ଟକ୍କର

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଭାରତରେ ଗୁଗଲ ପେ’ ଭଳି ହ୍ଵାଟସ୍‌ଆପ୍‌ ପେ’ର ସୁବିଧା ମଧ୍ୟ ଉପଲବ୍ଧ ହେବ ବୋଲି ଜଣା ପଡ଼ିଛି । ଏ ନେଇ ହ୍ଵାଟସ୍‌ଆପ୍‌ର ଅନ୍ତର୍ଜାତୀୟ ମୁଖ୍ୟ ଉଇଲ୍‌ କୈଥାର୍କ ବୁଧବାର ଦିଲ୍ଲୀରେ ଆୟୋଜିତ ଏକ ଇଭେଣ୍ଟରେ ଯୋଗ ଦେଇ ଜଣାଇଛନ୍ତି । ଭାରତରେ ହ୍ଵାଟସ୍‌ଆପ୍‌ ଆପ୍‌ର ୪୦୦ମିଲିୟନ ବ୍ୟବହାରକାରୀ ଥିବା ବେଳେ ଗତବର୍ଷଠାରୁ କିଛି ବ୍ୟବହାରକାରୀକୁ ନେଇ ପେମେଣ୍ଟର ପରୀକ୍ଷଣ କରାଯାଉଥିବା ସେ କହିଛନ୍ତି । ଟଙ୍କା ପଠାଇବାକୁ ହ୍ଵାଟସ୍‌ଆପ୍‌ରେ ମେସେଜ ପଠାଇବା ଭଳି ସହଜ ଏବଂ ଅନ୍ୟ ପେମେଣ୍ଟ ଆପ୍‌ଠାରୁ ଦ୍ରୁତ କରିବା ହେଉଛି କମ୍ପାନୀର ଲକ୍ଷ ବୋଲି କହିଛନ୍ତି ଅନ୍ତର୍ଜାତୀୟ ମୁଖ୍ୟ ଉଇଲ୍‌ କୈଥାର୍କ ।

ଯଦି ଏହାର ପରୀକ୍ଷଣ ସଫଳ ହେଉଛି, ତେବେ ଭାରତରେ ଏହାର ଗଭୀର ପ୍ରଭାବ ପଡ଼ିବା ସହ ଡିଜିଟାଲ ଅର୍ଥବ୍ୟବସ୍ଥା ଉପରେ ଏକ ବଡ଼ ପରିବର୍ତ୍ତନ ଆସିବ । ଏଇ ବର୍ଷ ଶେଷ ସୁଦ୍ଧା ହ୍ଵାଟସ୍‌ଆପ୍‌ ପେ’ର ସୁବିଧା ଭାରତରେ ଅଧିକରୁ ଅଧିକ ବ୍ୟବହାରକାରୀଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଉଇଲ୍‌ କୈଥାର୍କ । ତେବେ ଏହାର ପ୍ରଭାବ ଫୋନ ପେ, ଗୁଗଲ ପେ ଓ ପେଟିଏମ୍‌ ଭଳି ପେମେଣ୍ଟ ଆପ୍‌ରେ ପଡ଼ିପାରେ ବୋଲି ଆଶା କରାଯାଉଛି ।

aajtak.intoday.in

ଅନ୍ୟ ପକ୍ଷରେ, ଏହି ଇଭେଣ୍ଟରେ ଉପସ୍ଥିତ ଥିବା ନୀତି ଆୟୋଗର ସିଇଓ ଅମିତାଭ କାନ୍ତ କହିଥିଲେ, ଆମେ ହ୍ଵାଟସ୍‌ଆପ୍‌ ପେ’କୁ ଭାରତକୁ ସ୍ୱାଗତ କରୁୁଛୁ । ଭାରତରେ ହ୍ଵାଟସ୍‌ଆପ୍‌ ଆପ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ । ଯଦି ହ୍ଵାଟସ୍‌ଆପ୍‌ ପେ’କୁ ଭାରତରେ ଲଞ୍ଚ କରାଯାଉଛି ତେବେ ଏହାକୁ ଅଧିକରୁ ଅଧିକ ଲୋକ ବ୍ୟବହାର କରିବେ ।

ସମ୍ବନ୍ଧିତ ଖବର