ଭାରତରେ ହ୍ବାଟ୍‌ସଆପ୍ ପେମେଣ୍ଟ ସେବା ଆରମ୍ଭ

ପେମେଣ୍ଟ୍‌ ଆପ୍ ପାଇଁ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ : ଦୀର୍ଘଦିନର ପ୍ରତୀକ୍ଷା ପରେ ଭାରତରେ ହ୍ବାଟସଆପ୍‌କୁ ପେମେଣ୍ଟ ସେବା ପ୍ରଦାନ ପାଇଁ ଅନୁମତି ମିଳିଛି। ଫେସବୁକ୍ ମାଲିକାନାରେ ଥିବା ଏହି କମ୍ପାନିକୁ ଏନପିସିଆଇ ଗତକାଲି ଅନୁମତି ପ୍ରଦାନ କରିଛି। ଫଳରେ ଭାରତରେ ଆଜିଠାରୁ ପେମେଣ୍ଟ ସେବା ଉପଲବ୍ଧ ହେବ ବୋଲି କମ୍ପାନି ଘୋଷଣା କରିଛି। ମେସେଜ୍ ପଠାଇବା ଭଳି ଟଙ୍କା ପଠାଇବା ସହଜ ହେବ ବୋଲି କମ୍ପାନି କହିଛି। ଭାରତରେ ଏବେ ପେଟିଏମ୍‌, ଫୋନପେ, ଗୁଗୁଲ ପେ ଭଳି ପେମେଣ୍ଟ ସେବା ଉପଲବ୍ଧ ହେଉଥିବାବେଳେ ଏବେ ଏଥିରେ ହ୍ବାଟସ୍ଆପ୍‌ ଯୋଡ଼ି ହୋଇଛି। ହ୍ବାଟସଆପ ପକ୍ଷରୁ ଆଜି ଏ ନେଇ ଘୋଷଣା କରାଯାିଛି। ନିରାପଦ ଅର୍ଥ ସ୍ଥାନାନ୍ତର ମେସେଜ ପଠାଇବା ଭଳି ସହଜ ରହିବ। ଲୋକମାନେ ନିରାପଦ ଭାବେ ସେମାନଙ୍କ ପରିବାର ସଦସ୍ୟଙ୍କ ନିକଟକୁ ଟଙ୍କା ପଠାଇ ପାରିବେ। ବ୍ୟାଙ୍କ କିମ୍ବା କୌଣସି ସ୍ଥାନକୁ ନଯାଇ ଗୋଟିଏ ସାମଗ୍ରୀ ପାଇଁ ଅର୍ଥ ଏହା ମାଧ୍ୟମରେ ପ୍ରଦାନ କରିପାରିବେ।

ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ସହଯୋଗରେ କମ୍ପାନି ଏହାର ପେମେଣ୍ଟ ସୁବିଧାର ବିକାଶ କରିଛି। ଏଥିରେ ୟୁନାଇଟେଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ)କୁ ହ୍ବାଟସଆପ ଉପଯୋଗ କରିଛି। ଏଥିପାଇଁ ହ୍ବାଟସଆପ୍ ଭାରତର ୫ଟି ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରିଛି। ସେହି ବ୍ୟାଙ୍କ ଗୁଡ଼ିକ ହେଲା ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଜିଓ ପେମେଣ୍ଟସ ବ୍ୟାଙ୍କ। ଭାରତରେ ହ୍ବାଟ୍‌ସଆପ୍ ମାଧ୍ୟମରେ ଟଙ୍କା ପଠାଇବା ପାଇଁ ହେଲେ ଜଣଙ୍କର ଦେଶରେ ବ୍ୟାଙ୍କ ଆକାଉଣ୍ଟ ଓ ଡେବିଟ୍ କାର୍ଡ ରହିଥିବା ଆବଶ୍ୟକ। ୟୁପିଆଇରେ ଥିବା ଅନ୍ୟ ଆପ୍‌କୁ ମଧ୍ୟ ହ୍ବାଟ୍‌ସଆପ ପେମେଣ୍ଟ ଆପରେ ଟଙ୍କା ପଠାଇ ହେବ। ହ୍ବାଟସଆପ୍ ଆପରେ ଅର୍ଥ ପଠାଉଥିବା ବ୍ୟକ୍ତିଙ୍କୁ ପ୍ରତ୍ୟେକ କାରବାର ପାଇଁ ୟୁପିଆଇ ପିନ୍ ଦେବାକୁ ହେବ। ସମସ୍ତ ଆଇଓଏସ ଓ ଆଣ୍ଡ୍ରଏଡ ୟୁଜର ଏହି ସୁବିଧା ପାଇପାରିବେ। ତେବେ ଏଥିପାଇଁ ୟୁଜରମାନଙ୍କୁ ସେମାନଙ୍କ ଆପ୍‌କୁ ଅପଡେଟ୍ କରିବାକୁ ହେବ। ହ୍ବାଟସଆପକୁ ଏବେ ଭାରତରେ ୨ କୋଟି ୟୁଜରଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି।

ପେମେଣ୍ଟ୍‌ ଆପ୍ ପାଇଁ ଆସିଲା ନୂଆ ନିୟମ
ଆମେରିକୀୟ କମ୍ପାନି ହ୍ବାଟସଆପକୁ ଭାରତରେ ପେମେଣ୍ଟ ସୁବିଧା ଆରମ୍ଭ ପାଇଁ ଏନପିସିଆଇ ଅନୁମତି ଦେବା ପରେ ଏହି କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ ଆଜି ଏକ ନୂଆ ନିୟମ ଆଣିଛି। ଏହି ନିୟମ ଅନୁଯାୟୀ ୟୁପିଆଇର ମୋଟ କାରବାରରେ କୌଣସି ଗୋଟିଏ କମ୍ପାନି ୩୦ ପ୍ରତିଶତରୁ ଅଧିକ କାରବାର କରିପାରିବେ ନାହିଁ। ଏହି ନିୟମ ଦ୍ବାରା ବଜାରରେ ପ୍ରତିଯୋଗିତା ରହିପାରିବ। ତେବେ ଏହି ନିୟମ ଦ୍ବାରା ଗୁଗୁଲ ପେ ଏବଂ ଫୋନପେ ପ୍ରଭାବିତ‌ ହେବାର ଆଶଙ୍କା ରହିଛି। ୨୦୨୧ ଜାନୁଆରି ପହିଲାରୁ ଏହି ନିୟମ ଲାଗୁହେବ।

ସମ୍ବନ୍ଧିତ ଖବର