ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ଏଣିକି ତାରିଖ ସର୍ଚ କରି କାଢ଼ିପାରିବେ ପୁରୁଣା ମେସେଜ୍‌

ମୁମ୍ବାଇ: ବ୍ୟବହାରକାରୀଙ୍କୁ ବାନ୍ଧି ରଖିବାରେ ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ ଶୀର୍ଷ ସ୍ଥାନରେ ରହିପାରିଛି। କମ୍ପାନି ବ୍ୟବହାରକାରୀଙ୍କ ସକାଶେ ଏକ ନୂଆ ଫିଚର୍‌ ଆଣିବାର  ଯୋଜନା ରଖିଛି। ଏହି ନୂଆ ଫିଚର୍‌ ଜରିଆରେ ବ୍ୟବହାରକାରୀମାନେ  ସର୍ଚ କରି ତାରିଖ ଅନୁସାରେ‌ ମେସେଜ କାଢ଼ି ପାରିବେ। ନିଜ କାର୍ଯ୍ୟସ୍ଥଳୀରେ ନିୟମିତ ହ୍ବାଟ୍‌ସଆପ୍‌ ବ୍ୟବହାର କରୁଥିବା ବ୍ୟବହାରାକରୀଙ୍କ ପାଇଁ ଏହା ଖୁବ୍ ଫଳପ୍ରଦ ସାବ୍ୟସ୍ତ ହେବ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ନୂଆ ଫିଚର୍‌ ଉପରେ କମ୍ପାନି କାମ କରିବା ଆରମ୍ଭ କରି ସାରିଲାଣି। ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ରେ ଏହି ନୂଆ ଫିଚର୍‌ ଉପଲବ୍ଧ ହେବ ବୋଲି ସୂଚନା ରହିଛି।

ଆପଣ ଜାଣିଥିବେ ନିଶ୍ଚୟ ଯେ ଏବେ ହ୍ବାଟ୍‌ସଆପ୍‌ରୁ ସିଧାସଳଖ ମେସେଜ୍‌ ସର୍ଚ କରାଯାଇ ପାରୁଛି। ଗୋଟାଏ ମେସେଜ୍‌ ସର୍ଚ କରି ମିଳିଗଲା ପରେ ପୂରା ଚାଟିଂ ଇତିହାସ ମିଳିବା ବି ସହଜ ହୋଇଥାଏ।

ଜାଣିବାକୁ ମିଳିଛି ଯେ ଏହି ନୂଆ ଫିଚର୍‌ ବି ଚାଟ ୱିଣ୍ଡୋରେ ଉପଲବ୍ଧ ହେବ। ଫଳରେ ବ୍ୟବହାରକାରୀ ସହଜରେ ତାରିଖ ସର୍ଚ କରି ପୂରା କଥୋପକଥନକୁ କାଢ଼ି ଦେଇପାରିବେ।

ଚାଟ୍‌ ଇତିହାସ କିମ୍ବା ନିର୍ଦ୍ଦିଷ୍ଟ ତାରିଖର ‌ମେସେଜ୍‌ କାଢ଼ିବା ଏତେଟା ସହଜ ‌ହେଉ ନଥିଲା। ଏବେ କିନ୍ତୁ ଏହି ସମସ୍ୟା ସମାଧାନ ହେବାକୁ ଯାଉଛି। ଚାଟ୍‌ ୱିଣ୍ଡୋର ଏକ କୋଣରେ କ୍ୟାଲେଣ୍ଡର୍‌ ରହିବ। ସେହି କ୍ୟାଲେଣ୍ଡର୍‌ରେ ମାରି ବ୍ୟବହାରକାରୀ ‌ମେସେଜ୍‌ ସର୍ଚ କରିପାରିବେ।

ସମ୍ବନ୍ଧିତ ଖବର