ମୁମ୍ବାଇ: ଲୋକପ୍ରିୟ ମେସେଜିଂ ଅାପ୍ ହ୍ବାଟ୍ସଆପ୍ ଏକ ନୂଆ ଫିଚର୍ର ଘୋଷଣା କରିଛି। ଏହି ଫିଚର୍ ଜରିଆରେ ଏଣିକି ହ୍ବାଟ୍ସଆପ୍ ଗ୍ରୁପ୍ କଲ୍ରେ ୩୨ ଜଣ ଯୋଡ଼ି ହୋଇପାରିବେ। ଏବେ ଗ୍ରୁପ୍ କଲ୍ରେ ସର୍ବାଧିକ ୮ ଜଣ କଥା ହୋଇ ପାରୁଛନ୍ତି।
ଏହା ବ୍ୟତୀତ କମ୍ପାନି ଆହୁରି ଏକ ସୁବିଧା ମଧ୍ୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଗ୍ରୁପ୍ର ଆଡ୍ମିନ୍ ନିକଟରେ ଏବେ ଗ୍ରୁପ୍ ମେସେଜ୍ ଡିଲିଟ୍ କରିବାର ସାମର୍ଥ୍ୟ ରହିବ। ଥରେ ସେ ମେସେଜ ଡିଲିଟ୍ କରିବା ପରେ ଗ୍ରୁପ୍ର ଅନ୍ୟ କୌଣସି ସଦସ୍ୟ ତାହାକୁ ଆଉ ଦେଖିପାରିବେ ନାହିଁ।
ମେଟା ପ୍ଲାଟ୍ଫର୍ମର ସିଇଓ ତଥା ହ୍ବାଟ୍ସର ମାଲିକ ମାର୍କ ଜୁକରବର୍ଗ କହିଛନ୍ତି, ‘ଆପଣଙ୍କ ଗ୍ରୁପ୍ ଚାଚ୍କୁ ଆହୁରି ସଜହ କରିବାକୁ ଆମେ ଏହି ସୁବିଧା ଯୋଗାଇ ଦେବୁ। ଗୋଟାଏ କମ୍ୟୁନିଟିରେ ଆପଣ ଭିନ୍ନ ଭିନ୍ନ ଗ୍ରୁପ୍କୁ ଏଣିକି ଏକତ୍ର କରିପାରିବେ। ଏହାବ୍ୟତୀତ ଆମେ ଲାର୍ଜ ଫାଇଲ୍ ସେୟାରିଂ ଏବଂ ବଡ଼ ଧରଣର ଗ୍ରୁପ୍ କଲ୍ ସୁବିଧା ବି ଯୋଗାଇ ଦେବୁ।’
ଉଲ୍ଲେଖଯୋଗ୍ୟ, ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେସେଜିଂ ଆପ୍ ହ୍ବାଟ୍ସଆପ୍ ଗୋଟାଏ ପରେ ଗୋଟାଏ ନୂଆ ଫିଚର୍ ଲଞ୍ଚ୍ କରିବାରେ ଲାଗିଛି। କମ୍ପାନି ପୂର୍ବରୁ ଆହୁରି ଏକ ଫିଚର୍ ଲଞ୍ଚ କରିବାକୁ ଯାଉଛି ବୋଲି ସୂଚନା ପ୍ରଦାନ କରିଥିଲା। ଆପଣ ଜାଣିଥିବେ ନିଶ୍ଚୟ ଯେ ହ୍ବାଟ୍ସଆପ୍ ଜରିଆରେ ଅନେକ ଗୁଜବ ପ୍ରଘଟ ହେଉଥିବା ଅଭିଯୋଗ ପୂର୍ବରୁ ହୋଇସାରିଛି। ଏହାକୁ ନେଇ କମ୍ପାନି ଦୀର୍ଘ ଦିନ ଧରି କାମ କରି ଚାଲିଥିଲା। ଏଥିପାଇଁ ନିକଟରେ ଏକ ନୂଆ ଫିଚର ସଂପର୍କରେ ସୂଚନା ଦେଇଥିଲା କମ୍ପାନି। ନୂଆ ଫିଚର ଜରିଆରେ ଆଉ ହ୍ବାଟ୍ସଆପ୍ ଗ୍ରୁପ୍ରେ ମନଇଚ୍ଛା ମେସେଜ୍ ପଠାଇ ପାରିବେନି ଗ୍ରାହକ ବୋଲି ସୂଚନା ରହିଥିଲା। ଫରୱାର୍ଡ ମେସେଜ୍କୁ ମାତ୍ର ଗୋଟାଏ ହିଁ ଗ୍ରୁପ୍ରେ ସେୟାର କରିହେବ ବୋଲି ଘୋଷଣା ହୋଇଥିଲା।