ଫେସବୁକ୍‌ ସହ ତଥ୍ୟ ବାଣ୍ଟିବ ହ୍ବାଟସ୍‌ଆପ୍

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍ ଏହାର ବ୍ୟବହାରକାରୀଙ୍କ ପାଇଁ ନୂଆ ଗୋପନୀୟତା ନୀତି ଓ ସର୍ତାବଳୀ ଜ‌ାରି କରିଛି। ଫେସବୁକ୍‌ର ଅନ୍ୟ ଉତ୍ପାଦ ‌ଓ ସେବାଗୁଡ଼ିକ ସହ ଯେଭଳି ଅଧିକ ସମନ୍ବୟ ରହିପାରିବ ତାହାକୁ ଏଥିରେ ଦୃଷ୍ଟି ଦିଆଯାଇଛି। ଭାରତ ସମେତ ବିଭିନ୍ନ ଦେଶର ବ୍ୟବହାରକାରୀମାନଙ୍କୁ ଏହି ସର୍ତାବଳୀ ଗ୍ରହଣ କରିବା ଲାଗି ସୂଚନା ଆସିଛି। ହ୍ବାଟସ୍‌ଆପ୍ କିଭଳି ତଥ୍ୟ ସଂଗ୍ରହ ଏବଂ ପରିଚାଳନା କରୁଛି ତାହାର ଏକ ଝଲକ ଏଥିରେ ଦେଖିବାକୁ ମିଳିଛି। କାରବାର ଏବଂ ପେମେଣ୍ଟ୍‌ ଡାଟା ସହିତ ସ୍ଥାନର ସୂଚନା ଆଦି ତଥ୍ୟ ଏହି ଆପ୍ ସଂଗ୍ରହ ପ୍ରକ୍ରିୟାରେ ଆସିବ। ହ୍ବାଟସ୍‌ଆପ୍ କିଭଳି ଫେସବୁକ୍ ସହିତ ସୂଚନା ଆଦାନପ୍ରଦାନ କରୁଛି ତାହା ନୂଆ ସର୍ତାବଳୀରେ ଉଲ୍ଲେଖ ରହିଛି।

ହ୍ବାଟସ୍‌ଆପ୍ ବ୍ୟବହାରକାରୀଙ୍କ ପାଖକୁ ପଠାଉଥିବା ସୂଚନାରେ ଉଲ୍ଲେଖ କରିଛି ଯେ ଫେସବୁକ୍‌ ସହିତ ଆଦାନପ୍ରଦାନ କରାଯାଉଥିବା ତଥ୍ୟରେ ଫୋନ୍ ନମ୍ବର, କାରବାର ତଥ୍ୟ, ସେବା ସମ୍ପର୍କିତ ସୂଚନା, ବ୍ୟବସାୟ ସମେତ ଅନ୍ୟମାନଙ୍କ ସହିତ କିଭଳି ଯୋଗାଯୋଗ କରାଯାଉଛି, ମୋବାଇଲ୍‌ ଡିଭାଇସ୍‌ର ସୂଚନା, ଆଇପି ଠିକଣା ଏବଂ ଦରକାର ପଡ଼ିଲେ ଅନ୍ୟ ସୂଚନା ସାମିଲ କରାଯିବ। ଏଥିପାଇଁ କଂପାନି ତରଫରୁବ୍ୟବହାରକାରୀଙ୍କ ଅନୁମତି ମଗାଯାଇଛି। ଫେସବୁକ୍ ସହିତ କଂପାନି ଯେଉଁ ସବୁ ତଥ୍ୟ ଆଦାନପ୍ରଦାନ କରୁଛି ତାହାକୁ ନେଇ ହ୍ବାଟସ୍‌ଆପ୍ ଏକ ଏଫ୍‌ଏକ୍ୟୁ ଜାରି କରିଛି। ହ୍ବାଟସ୍‌ଆପ୍‌ର ଏହି ନୀତି ଚଳିତ ବ‌ର୍ଷ ଫେବ୍ରୁଆରି ୮ରୁ ଲାଗୁ ହେବ। ହ୍ବାଟସ୍‌ଆପ୍ ସେବା ବ୍ୟବହାର କରିବା ଜାରି ରଖିବା ଲାଗି ଏହି ନୂତନ ଗୋପନୀୟତା ନୀତିକୁ ଗ୍ରହଣ କରିବାକୁ ପଡ଼ିବ। ଯେଉଁମାନେ ଏଥିରେ ରାଜି ନହେବେ ସେମାନେ ହ୍ବାଟସ୍‌ଆପ୍‌ ବ୍ୟବହାର କରିପାରିବେନି।

ସମ୍ବନ୍ଧିତ ଖବର