ଏଥର ସ୍କ୍ରଲ୍‌ କରି ନୁହେଁ, ସର୍ଚ କରି ହ୍ବାଟ୍‌ସଆପ୍‌ରେ ପଢ଼ିପାରିବେ ପୁରୁଣା ମେସେଜ୍‌

ମୁମ୍ବାଇ: ହ୍ବାଟ୍‌ସଆପ୍‌କୁ ଆପଣ ସବୁଠାରୁ ଅଧିକ ଲୋକପ୍ରିୟ ମେସେଜିଂ ଆପ୍‌ ଭାବେ ଜାଣନ୍ତି। ଏହାର ନୂଆ ନୂଆ ନିଆରା ଫିଚର୍‌ ଗ୍ରାହକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ। ବେଳେ ବେ‌ଳେ ଆପଣ ପୁରୁଣା ଚାଟ୍‌କୁ ପଢ଼ିବାକୁ ଭାବିଥି‌ବେ ନିଶ୍ଚୟ, ମାତ୍ର ଅଧିକାଂଶ ସମୟରେ ସେହି ଚାଟ୍‌କୁ ଖୋଜି ପାଇବାରେ ସମସ୍ୟା ହୋଇଥାଏ। ଏହି ସମସ୍ୟାକୁ ଆଉ ବେଶୀ ଦିନ ବରଦାସ୍ତ କରିବାକୁ ପଡ଼ିବନି। କାରଣ ଏଣିକି ହ୍ବାଟ୍‌ସଆପ୍‌ ଏକ ଏପରି ଫିଚର ଲଞ୍ଚ୍‌ କରିବାକୁ ଯାଉଛି, ଯେଉଁଥିରେ ଆପଣ ସହଜରେ ପୁରୁଣା ମେସେଜ୍‌କୁ ଖୋଜି ପାଇଯିବେ। ହ୍ବ‌ାଟ୍‌ସଆପ୍‌ର ଏହି ନୂଆ ଫିଚରରେ ଆପଣ ମେସେଜ୍‌କୁ ଖୋଜିବା ପାଇଁ କୌଣସି ଏକ ଶବ୍ଦ, ସଂଖ୍ୟା କିମ୍ବା ସେହି ଚାଟ୍‌ କରିଥିବାର ତାରିଖ ଅନୁସାରେ ସର୍ଚ କଲେ ବି ସହଜରେ ମେସେଜ୍‌କୁ ପାଇଯିବେ।

ଆପଣ ଜାଣିଥିବେ ନିଶ୍ଚୟ ଯେ କେବଳ ଭାରତରେ ୪୦ କୋଟିରୁ ଅଧିକ ହ୍ବାଟ୍‌ସଆପ୍‌ ବ୍ୟବହାରକାରୀ ଅଛନ୍ତି। ଲୋକଙ୍କ ପ୍ରାଇଭେସିକୁ ନେଇ ମଧ୍ୟ ଆପ୍‌ ଲଗାତର ନୂଆ ନୂଆ ଫିଚର୍‌ ନେଇ ଆସୁଥିବା ଦେଖିବାକୁ ମିଳିଛି।

ତେବେ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ହ୍ବାଟସ୍‌ଆପ୍‌ରେ ଏବେ ନୂଆ କରି ‘ଲିଭ୍ ଗ୍ରୁପ୍‌ ସାଇଲେଣ୍ଟ୍‌ଲି’ ଫିଚର୍‌ ଯୋଡ଼ି ହୋଇଛି। ଏହା ଦ୍ବାରା ଆପଣ କେଉଁ ଗ୍ରୁପ୍‌ରୁ ଗୁପ୍ତ ଭାବେ ବାହାରି ପାରିବେ। ଗ୍ରୁପ୍‌ର ଅନ୍ୟ ସଦସ୍ୟମାନଙ୍କୁ ଲିଭ୍‌ ଗ୍ରୁପ୍‌ ମେସେଜ୍‌ ବି ଯିବ ନାହିଁ।

ପୂର୍ବରୁ ଆପଣ ଲାଷ୍ଟ୍‌ ସିନ୍‌ ଓ ଡିପି ହାଇଡ୍‌(ଲୁଚାଇବା) ଫିଚର୍‌ ବିଷୟରେ ଜାଣିଛନ୍ତି। ଏବେ ଆପଣ ଅନ୍‌ଲାଇନ୍‌ ଷ୍ଟାଟସ୍‌କୁ ବି ହାଇଡ୍‌ କରିପାରିବେ। ଅର୍ଥାତ, ଆପଣ ଅନ୍‌ଲାଇନ୍‌ ଅଛନ୍ତି କି ନାହିଁ ତାହାର ସୂଚନା ଅନ୍ୟ କାହାକୁ ମିଳିବ ନାହିଁ।

ସମ୍ବନ୍ଧିତ ଖବର