ନୂଆ ନୀତି ଗ୍ରହଣ ନକଲେ ବି ହ୍ବାଟସ୍‌ଆପ୍ କାମ କରିବ

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍ ଯେଉଁ ନୂଆ ଗୋପନୀୟତା ନୀତି ଆଣିଛି ତାହାକୁ ବର୍ତ୍ତମାନ ସୁଦ୍ଧା ଗ୍ରହଣ କରିନଥିବା ଗ୍ରାହକମାନେ ବିଶେଷ କିଛି ଅସୁବିଧା ଭୋଗିବେ ନାହିଁ। ‌ଆପ୍ ପୂର୍ବରୁ ଯେଭଳି କାମ କରୁଥିଲା ସେହିଭଳି ଜାରି ରହିବ। ଏହାର କୌଣସି ସୁବିଧା ସେମାନଙ୍କ ଲାଗି ବନ୍ଦ ହେବ ନାହିଁ। କଂପାନିର ପ୍ରବକ୍ତା ସ୍ପଷ୍ଟ କରିଛନ୍ତି ଯେ ଯେଉଁମାନେ ଆମ ନୂଆ ଗୋପନୀୟତା ନୀତିକୁ ଗ୍ରହଣ କରିନାହାନ୍ତି ସେମାନଙ୍କ ଲାଗି ଆପ୍‌ର କୌଣସି ସୁବିଧା ବନ୍ଦ ହେବ ନାହିଁ। କୌଣସି ବ୍ୟବହାରକାରୀଙ୍କ ଆକାଉଣ୍ଟ୍ ଡିଲିଟ୍‌ ହେବ ନାହିଁ। ଏହି ଆପ୍ ପୂର୍ବରୁ ଯେଭଳି କାର୍ଯ୍ୟ କରୁଥିଲା ସେହିଭଳି ଜାରି ରହିବ। ବିଭିନ୍ନ କର୍ତ୍ତୃପକ୍ଷ ଓ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ପରେ ଫେସବୁକ୍ ମାଲିକାନାରେ ଥିବା ହ୍ବାଟସ୍‌ଆପ୍ ଏହି ନିଷ୍ପତ୍ତି ନେଇଛି। କଂପାନି ପକ୍ଷରୁ କୁହାଯାଇଛି ଯେ ଅଧିକାଂଶ ଗ୍ରାହକ ନୂଆ ନୀତିକୁ ଗ୍ରହଣ କରିସାରିଛନ୍ତି। ‌

ଯେଉଁମାନେ ଗ୍ରହଣ କରିନାହାନ୍ତି ସେମାନଙ୍କ ଲାଗି କୌଣସି ଅସୁବିଧା ହେବନି। କିନ୍ତୁ ସେମାନଙ୍କ ପାଖକୁ ନିୟମିତ ବ୍ୟବଧାନରେ ଏହି ଅପ୍‌ଡେଟ୍‌ ସମ୍ପର୍କିତ ବାର୍ତା ଆସିବ। କଂପାନି ତରଫରୁ ଆପ୍ ଭିତରେ ନୋଟିଫିକେସନ୍ ମାଧ୍ୟମରେ ବ୍ୟବହାରକାରୀମାନଙ୍କୁ ନୂଆ ନୀତି ଗ୍ରହଣ କରିବା ଲାଗି କୁହାଯିବ। ଚଳିତ ବର୍ଷ ହ୍ବାଟସ୍‌ଆପ୍ ଏହାର ନୂଆ ଗୋପନୀୟତା ନୀତି ଘୋଷଣା କରିବା ପରଠାରୁ ବିବାଦରେ ରହିିଛି। ବିବାଦର ମୁଖ୍ୟ କାରଣ ହେଉଛି ସେଥିରେ ଥିବା ସର୍ତ୍ତ। ଫେସବୁକ୍ ସହିତ ତଥ୍ୟ ବାଣ୍ଟିବା ଲାଗି କଂପାନି ବ୍ୟବହାରକାରୀମାନଙ୍କ ଉପରେ ଏହି ସର୍ତ୍ତ ଜୋରଜବରଦସ୍ତ ଲଦିବାକୁ ଉଦ୍ୟମ କରୁଛି।ଏହି ନିୟମକୁ ମେଡ଼ ୧୫ ସୁଦ୍ଧା ଲାଗୁ କରିବ ବୋଲି କଂପାନି ନିଷ୍ପତ୍ତି ନେଇଥିଲା। କିନ୍ତୁ ସେହି ସମୟ ସୀମାକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଢ଼ାଇ ଦେଇଛି। କଂପାନି ଏହା ସ୍ପଷ୍ଟ କରିଛି ଯେ ଆମ ନୀତିକୁ ଗ୍ରହଣ କରିନଥିବା କୌଣସି ଗ୍ରାହକଙ୍କ ଆକାଉଣ୍ଟ୍‌ ଡିଲିଟ୍‌ ହେବ ନାହିଁ।

ସମ୍ବନ୍ଧିତ ଖବର