କରୋନା ଭାଇରସ୍‌ ପାଇଁ ହ୍ବାଟ୍‌ସଆପ୍‌ ଆଣିଲା ଏହି ପରିବର୍ତ୍ତନ, ବହୁ ବ୍ୟବହାରକାରୀଙ୍କୁ ପଠାଇବା ଉପରେ ଅଙ୍କୁଶ

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ଅତ୍ୟଧିକ ହ୍ବାଟ୍‌ସଆପ୍‌ ମେସେଜ ଘୂରି ବୁଲିବା ହେତୁ ଲୋକଙ୍କ ଭିତରେ ଭୟ/ଆତଙ୍କ ସୃଷ୍ଟି ହେଉଛି। ଲୋକଙ୍କ ଭିତରେ ଭୟ ସୃଷ୍ଟି ନ ହେଉ ବୋଲି ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ ପକ୍ଷରୁ ଏକ ପଦକ୍ଷପ ନିଆଯାଇଛି। ଏଣିକି ଏକା ସଙ୍ଗରେ ଆଉ ଏକାଧିକ ନମ୍ବରକୁ ମେସେଜ ପଠାଇ ହେବ ନାହିଁ। ଆପଣ ଜାଣିଥିବେ ନିଶ୍ଚୟ ଯେ ପୂର୍ବରୁ ଗୋଟାଏ ମେସେଜ୍‌କୁ ମାର୍କ କରି ଏକା ସାଥିରେ ୫ ଜଣଙ୍କୁ ପଠାଇ ହେଉଥିଲା। ଏବେ ଗୋଟାଏ ମେସେଜ କେବଳ ଜଣଙ୍କୁ ପଠାଇ ହେବ। ଫଳରେ ମେସେଜ ଭାଇରାଲ୍ ହେବାର ଅବସର ହ୍ରାସ ପାଇବ।

କେବଳ ସେତିକି ନୁହେଁ, ଏଣିକି ହ୍ବାଟ୍‌ସଆପ୍‌ରେ ଏକ ନୂଆ ଫିଚର୍‌ ଯୋଡ଼ି ହୋଇଛି। ଏହି ଫିଚର୍‌ ଫରୱାର୍ଡ ମେସେଜ୍‌ଗୁଡ଼ିକୁ ଯାଞ୍ଚ୍‌ କରିବ। ଏହି ଫିଚର୍‌ ଏବେ ହ୍ବାଟ୍‌ସଆପ୍‌ ବିଟା ଭର୍ସନରେ ଉପଲବ୍ଧ। ଅନ୍ୟ ସମସ୍ତ ‌ବ୍ୟବହାରକାରୀଙ୍କୁ ଏହା ଖୁବ୍‌ ଶୀଘ୍ର ଉପଲବ୍ଧ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ମହାମାରୀ କରୋନା ଭାଇରସ୍‌ ସାରା ପୃଥିବୀରେ  ଆତଙ୍କ ଖେଳାଇଥିବା ବେଳେ ହ୍ବାଟ୍‌ସଆପ୍‌ ଓ ଫେସ୍‌ବୁକ ପରି ସୋସିଆଲ୍‌ ମିଡିଆ ସାଇଟ୍‌ମାନଙ୍କରେ ଏହାକୁ ନେଇ ମାତ୍ରାଧିକ ମେସେଜ୍‌ ଘୂରି ବୁଲିବାରୁ ଲୋକଙ୍କ ଭିତରେ ଭୟାକୂଳ ପରିସ୍ଥିତି ସୃଷ୍ଟି ହେଉଛି। ଏପରି ଏକ ସମସ୍ୟାର ସମାଧାନ କରିବା ପାଇଁ କମ୍ପାନି ଏପରି ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର