ନୂଆଦିଲ୍ଲୀ: ଗହମକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଥିବା ଭଳି ମନେ ହେଉଛି। ଦରଦାମ୍କୁ ନିୟନ୍ତ୍ରଣରେ ରଖିବା ସହିତ ଗହମ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ସରକାର ଏହାର ଷ୍ଟକ୍ ସୀମା ନିର୍ଧାରଣ କରିଛନ୍ତି। କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ ଖୁଚୁରା ବିକ୍ରେତା, ପାଇକାରୀ ବିକ୍ରେତା, ପ୍ରକ୍ରିୟାକରଣ କରୁଥିବା ସଂସ୍ଥା ଓ ବୃହତ ରିଟେଲ୍ ଶୃଙ୍ଖଳାଗୁଡ଼ିକୁ ପ୍ରତି ଶୁକ୍ରବାର ସେମାନଙ୍କ ଷ୍ଟକ୍ ଘୋଷଣା କରିବାକୁ ପଡ଼ିବ। ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଗହମ ଷ୍ଟକ୍ର ସୀମା ଧାର୍ଯ୍ୟ କରାଯାଇଛି। ସାରା ଦେଶରେ ଏହା ଲାଗୁ କରାଯାଇଛି।
ଦେଶରେ ଗହମର ଅଭାବ ଥିବା ନେଇ ହେଉଥିବା ଚର୍ଚ୍ଚାକୁ ଦୃଢ଼ ଭାବେ ଖଣ୍ଡନ କରି ଶ୍ରୀ ଚୋପ୍ରା କହିଛନ୍ତି ଯେ ବର୍ତ୍ତମାନ ଗହମ ରପ୍ତାନିକୁ ନିଷିଦ୍ଧ କରିବା କିମ୍ବା ଚିନି ରପ୍ତାନି ଉପରୁ କଟକଣା ପ୍ରତ୍ୟାହାର କରିବାର କୌଣସି ଯୋଜନା ନାହିଁ। ସେ କହିଛନ୍ତି ଯେ ପାଇକାରୀ ବିକ୍ରେତାଙ୍କ ଲାଗି ଗହମର ଷ୍ଟକ୍ ସୀମା ୩୦୦୦ ଟନ୍ ଧାର୍ଯ୍ୟ କରାଯାଇଥିବା ବେଳେ ପ୍ରକ୍ରିୟାକରଣକାରୀ ସଂସ୍ଥାଗୁଡ଼ିକ ନିଜ ସ୍ଥାପିତ କ୍ଷମତାର ୭୦ ପ୍ରତିଶତ ଗହମକୁ ଷ୍ଟକ୍ ଭାବେ ରଖିପାରିବେ। ବୃହତ ଖୁଚୁରା ଶୃଙ୍ଖଳାଗୁଡ଼ିକ ନିଜ ଆଉଟ୍ଲେଟ୍ରେ ୧୦ ଟନ୍ ଲେଖାଏଁ ଏବଂ ମୋଟ ଉପରେ ନିଜ ପାଖରେ ୩୦୦୦ ଟନ୍ ଗହମ ରଖିପାରିବେ। ଖୁଚୁରା ବିକ୍ରେତାଙ୍କ ପାଖରେ ୧୦ ଟନ୍ ପର୍ଯ୍ୟନ୍ତ ଗହମ ରହିବ।
ଉପଭୋକ୍ତା ବ୍ୟାପାର ସଚିବ ନିଧି ଖାରେ କହିଛନ୍ତି ଯେ ହରଡ଼ ଡାଲି ଓ ବିରିର ଷ୍ଟକ୍ ସୀମା ନିର୍ଧାରଣ କରାଯିବା ପରେ ମୂଲ୍ୟରେ ସୁଧାର ଦେଖିବାକୁ ମିଳିଛି। ଏହି ଦୁଇ ଡାଲିର କ୍ବିଣ୍ଟାଲ ପିଛା ଦରରେ ୫୦-୨୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଛି। ପିଆଜ ସମ୍ପର୍କରେ ସେ କହିଛନ୍ତି ଯେ ସରକାରଙ୍କ ଭଣ୍ଡାରରେ ଯଥେଷ୍ଟ ପିଆଜ ରହିଛି। ଗତବର୍ଷ ୨.୮୫ ଲକ୍ଷ ହେକ୍ଟରରେ ପିଆଜ ଚାଷ ହୋଇଥିଲା। ଚଳିତ ବର୍ଷ ୩.୫୩ ଲକ୍ଷ ହେକ୍ଟରରେ ଏହି ଚାଷ ହେବ ବୋଲି ସେ ଆକଳନ କରିଛନ୍ତି। ଭଲ ମୌସୁମୀ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଲକ୍ଷ୍ୟ ହାସଲ ହୋଇଯିବ ବୋଲି ସେ ଆଶାବାଦୀ ଅଛନ୍ତି। ଗହମ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦାମ୍ ବଢ଼ୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବାରୁ ତାହାକୁ ଦୃଷ୍ଟିରେ ରଖି ସରକାର ଗହମର ଷ୍ଟକ୍ ସୀମା ଧାର୍ଯ୍ୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/gdgdjgjgj.jpg)