ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଗହମ, ଯଅ, ଚଣା, ମସୁର, ସୋରିଷ ଓ କୁସୁମର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବଢ଼ାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ୨୦୨୪-୨୫ ବିପଣନ ଋତୁ ପାଇଁ ରବି ଫସଲଗୁଡ଼ିକର ଏମ୍ଏସ୍ପିକୁ ମଞ୍ଜୁରି ପ୍ରଦାନ କରାଯାଇଛି।
ମସୁରର ଏମ୍ଏସ୍ପି କ୍ବିଣ୍ଟାଲ ପିଛା ୬୪୨୫ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଗହମର ୨୨୭୫ ଟଙ୍କା, ଯଅର ୧୮୫୦ ଟଙ୍କା, ଚଣା ୫୪୪୦ ଟଙ୍କା, ସୋରିଷ ୫୬୫୦ ଟଙ୍କା ଓ କୁସୁମର ଏମ୍ଏସ୍ପି ୫୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାର ରବି ଫସଲର ଏମ୍ଏସ୍ପି ବଢ଼ାଇଛନ୍ତି। ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣା ସ୍ତରରେ ଏମ୍ଏସ୍ପି ନିର୍ଧାରଣ କରିବା ଲାଗି ୨୦୧୮-୧୯ କେନ୍ଦ୍ର ବଜେଟ୍ରେ ଘୋଷଣା କରାଯାଇଥିଲା।
ସେହି ଅନୁସାରେ ଏଥର ଏମ୍ଏସ୍ପି ବୃଦ୍ଧି ଫଳରେ ଗହମ ଉପରେ ୧୦୨ ପ୍ରତିଶତ, ସୋରିଷରେ ୯୮ ପ୍ରତିଶତ, ମସୁରରେ ୮୯ ପ୍ରତିଶତ, ଚଣାରେ ୬୦ ପ୍ରତିଶତ, ଯଅରେ ୬୦ ପ୍ରତିଶତ ଓ କୁସୁମ ଉପରେ ୫୨ ପ୍ରତିଶତ କୃଷି ଉତ୍ପାଦନ ଖର୍ଚ୍ଚର ଲାଭ ମୂଲ୍ୟ ମିଳିପାରିବ। ଚାଷୀମାନଙ୍କୁ ଉଚିତ ଲାଭଜନକ ମୂଲ୍ୟ ପ୍ରଦାନ କରିବା ଏବଂ ଫସଲ ବିବିଧକରଣକୁ ପ୍ରୋତ୍ସାହିତ କରିବା ଏମ୍ଏସ୍ପିର ଉଦ୍ଦେଶ୍ୟ ବୋଲି ସରକାର କହିଛନ୍ତି।