ଓଡ଼ିଶା ଆସିଲେ ଘରକୁ ଫେରିବା ଭଳି ଲାଗେ: ସୁଜାତା ଓ ତାନିୟା ବିଶ୍ବାସ

‘ସୂତା’ ପ୍ରତିଷ୍ଠାତାଙ୍କ ସହ ସମ୍ବାଦର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକଙ୍କ ଆଲୋଚନା

ଭୁବନେଶ୍ବର: ‘ସୂତା’ ନାମରେ ଲାଇଫ୍‌ଷ୍ଟାଇଲ୍‌ ବ୍ରାଣ୍ଡ୍‌ ସ୍ଥାପନ କରିଥିବା ଦୁଇ ଭଉଣୀ ସୁଜାତା ଓ ତାନିୟା ବିଶ୍ବାସ ଓଡ଼ିଶାକୁ ବହୁତ ଭଲ ପାଆନ୍ତି। ଏହି ଦୁଇ ଭଉଣୀଙ୍କ ପିଲାଦିନ ଓଡ଼ିଶାରେ କଟିଥିଲା ଓ ଏଠାରେ ସେମାନେ ପାଠ ପଢ଼ିଛନ୍ତି। ତେଣୁ ଯେତେବେଳେ ସେମାନେ ଓଡ଼ିଶା ଆସନ୍ତି ତାଙ୍କୁ ଘରକୁ ଫେରିବା ଭଳି ଲାଗେ ବୋଲି ସେମାନେ କହିଛନ୍ତି। ବକୁଳ ଫାଉଣ୍ଡେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକଙ୍କ ସହ ଏକ ସ୍ବତନ୍ତ୍ର ଆଲୋଚନାରେ ସୁଜାତା ଓ ତାନିୟା ଏହା କହିଛନ୍ତି। ତାନିୟା କହିଛନ୍ତି ଯେ ଓଡ଼ିଶା ତାଙ୍କୁ ଘର ଭଳି ଲାଗେ। ଏଠାରେ ତାଙ୍କ ଜୀବନର ୧୬ ବର୍ଷ ବିତିଛି। ସେ ଭୁବନେଶ୍ବରରେ ରହୁଥିଲେ। ସୁଜାତା କହିଛନ୍ତି ତାଙ୍କୁ ଓଡ଼ିଆ ଲେଖିବା ଓ ପଢ଼ିବା ଆସିଛି। ଯେହେତୁ ଏଠାରେ ସେ ବଢ଼ିଛନ୍ତି ତେଣୁ ଏହା ତାଙ୍କୁ ଘର ଭଳି ଲାଗେ। ସନ୍ତୁଳା ଓ ପଖାଳ ଖାଇବାକୁ ଭଲ ଲାଗେ। ଓଡ଼ିଶା ଆମକୁ ସବୁ କିଛି ଦେଇଛି ବୋଲି ଦୁଇ ଭଉଣୀ କହିଛନ୍ତି। ନିଜ ମା’ ଓ ଅନ୍ୟ ମହିଳାମାନଙ୍କୁ ଦେଖି ସେମାନଙ୍କ ଶାଢ଼ି ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ଏବେ ଲୋକମାନେ ଶାଢ଼ିକୁ କେବଳ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପିନ୍ଧୁଛନ୍ତି। ଶାଢ଼ିକୁ ପୁଣି ଥରେ ପସନ୍ଦର ପୋଷାକରେ ପରିଣତ କରିବା ଲାଗି ସେମାନେ ଉଦ୍ୟମ ଜାରି ରଖିଛନ୍ତି। ଶାଢ଼ି କେତେ ବିବିଧ ତାହା ଯୁବବର୍ଗଙ୍କୁ ଜଣାଇବା ଲାଗି ଆମେ ଉଦ୍ୟମ କରୁଛୁ ବୋଲି ସୁଜାତା କହିଛନ୍ତି। ଉଦାହରଣ ଦେଇ ସେ କହିଛନ୍ତି ଯେ ଶରୀରର ଗଠନ ଯେଉଁଭଳି ହୋଇଥାଉ ନା କାହିଁକି ଶାଢ଼ି ପିନ୍ଧିଲେ ସମସ୍ତେ ଭଲ ଦେଖାଯାଆନ୍ତି। ନିଜ ପିଲାଦିନର ସ୍ମୃତି ପ୍ରତି ଏକ ଶ୍ରଦ୍ଧାଞ୍ଜଳି ହେଉଛି ‘ସୂତା’ ବୋଲି ସେମାନେ କହିଛନ୍ତି।

‘ସୂତା’ର ପ୍ରଥମ ଶାଢ଼ିର ଯାତ୍ରା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସୁଜାତା କହିଥିଲେ ଯେ ଆମର ପ୍ରଥମ ଶାଢ଼ି ଥିଲା ଏକ ମଲ୍‌ମଲ୍‌ ଶାଢ଼ି ଯାହା ଗୋଟିଏ ରଙ୍ଗରେ ପ୍ରସ୍ତୁତ କରାଯାଇଥିଲା। ଆମେ ପଶ୍ଚିମବଙ୍ଗର ଗାଁରେ ଘରେ ଘରେ ବୁଲିଥିଲୁ। ସାଧା ଶାଢ଼ି ବିଷୟରେ ପ୍ରଥମେ ବୁଣାକାରଙ୍କୁ ବୁଝାଇବା କଷ୍ଟକର ହୋଇଥିଲା କାରଣ ସେମାନେ ଭାବୁଥିଲେ ଯେ ତାହାକୁ ‌ଆମେ ପିନ୍ଧିବୁ ନାହିଁ। ସେ କହିଛନ୍ତି ଯେ ସଂସ୍ଥାର ଅଧିକାଂଶ ଗ୍ରାହକଙ୍କ ବୟସ ହେଉଛି ୧୮-୨୫ ବର୍ଷ। ଅର୍ଥାତ ବହୁ ଯୁବତୀ ଏବେ ଶାଢ଼ି ପିନ୍ଧୁଛନ୍ତି ବୋଲି ସେ କହିଛନ୍ତି। ବୁଣାକାରଙ୍କ ପ୍ରତିଭା ଓ କୌଶଳର ସଂରକ୍ଷଣ ସମ୍ପର୍କରେ ସେ କହିଛନ୍ତି ଯେ ଆମେ ଯେଉଁ ବୁଣାକାରଙ୍କ ସହ କାମ କରୁ ତାଙ୍କୁ ୩୬୫ ଦିନର କାମ ଦେବାକୁ ଉଦ୍ୟମ କରୁଛୁ। ବୁଣାକାରମାନେ ଚାହାନ୍ତି ତାଙ୍କ କଳାକୁ ସମ୍ମାନ ମିଳୁ। ତେଣୁ ସୂତାରେ ସେମାନଙ୍କ କଳାକୁ ସମ୍ମାନ ଦେବା ଲାଗି ବ୍ୟବସ୍ଥା କରାଯାଇଛି।

ସେମାନଙ୍କ ଦ୍ବାରା ପ୍ରସ୍ତୁତ କୌଣସି ସମ୍ଭାର ଯଦି ଗ୍ରହଣୀୟ ନହୁଏ, ତଥାପି ଆମେ ସେମାନଙ୍କୁ କାମ ଦେଉଛୁ। ଏ ସମ୍ପର୍କରେ ତାନିୟା କହିଛନ୍ତି ଯେ ଆମେ ଯେଉଁମାନଙ୍କ ସହ କାମ କରୁଛୁ ସେମାନଙ୍କ ପିଲାମାନେ କେବଳ ରୋଜଗାର ପାଇଁ ଏହି କଳା ଶିଖୁନାହାନ୍ତି। ସେହି କଳା ସେମାନଙ୍କ ଭିତରେ ଅନ୍ତର୍ନିହିତ ରହିଛି। ସେହି ପିଲାମାନେ ଆମକୁ କରୋନା ମହାମାରୀ ସମୟରେ ବହୁତ ସାହାଯ୍ୟ କରିଥିଲେ। ସେମାନେ ନିଜ ଅଭିଭାବକଙ୍କୁ ଇଣ୍ଟରନେଟ୍ ବିଷୟରେ ବୁଝାଇଥିଲେ ଯାହା ଜରିଆରେ ସେମାନେ ଆମ ସହ ଯୋଗାଯୋଗରେ ରହିପାରିଥିଲେ। ସୂତାର ୧୬,୦୦୦ରୁ ଅଧିକ ବୁଣାକାରଙ୍କ ନେଟୱର୍କ ରହିଛି। ସୁଜାତା ଓ ତାନିୟା ଏକ ୧୫୦ ଜଣିଆ ଲୋକଙ୍କ ଟିମ୍ ଜରିଆରେ କଂପାନିର ପରିଚାଳନା କରୁଛନ୍ତି। କାହାଣୀ ଦ୍ବାରା ସୂତା ଗଭୀର ଭାବେ ଅନୁପ୍ରାଣିତ। ପ୍ରତି ଶାଢ଼ିର ଏକ କାହାଣୀ ରହିଛି। ଲୋକମାନେ ସେହି କାହାଣୀକୁ ବହୁତ ପସନ୍ଦ କରୁଛନ୍ତି। ଆମର ଏକ ବଡ଼ ଟିମ୍ ରହିଛି ଯାହା କଣ୍ଟେଣ୍ଟ୍ ଉପରେ କାମ କରୁଛି। ଗ୍ରାହକମାନେ କ’ଣ ଚାହୁଛନ୍ତି ତାହା ମାର୍କେଟିଂ ଟିମ୍‌ ଜରିଆରେ ଜଣାପଡ଼ୁଛି। ଗ୍ରାହକମାନେ ଆମ ଶାଢ଼ିକୁ କାହାଣୀ ସହିତ ମନେ ରଖନ୍ତୁ ବୋଲି ଆମେ ଚାହୁଛୁ ବୋଲି ସେମାନେ କହିଛନ୍ତି। ଇନଷ୍ଟାଗ୍ରାମ୍‌ରେ ସୂତାର ଅଧ ନିୟୁତରୁ ଅଧିକ ଅନୁଗାମୀ ରହିଛନ୍ତି।
ସୁଜାତା ସିଇଟି ଭୁବନେଶ୍ବର ଓ ଆଇଆଇଏଫ୍‌ଟି ଦିଲ୍ଲୀରେ ପାଠ ପଢ଼ିଥିବା ବେଳେ ଏସାର୍‌ ଗ୍ରୁପ୍ ଓ ଜିନ୍ଦଲ ଗ୍ରୁପ୍‌ରେ କାର୍ଯ୍ୟ କରିଛନ୍ତି। ଆଇଆଇଟି-ବମ୍ବେରୁ ଇ-କମର୍ସରେ ସେ ପିଏଚ୍‌ଡି କରିଛନ୍ତି। ସେହିପରି, ତାନିୟା‌ ହେଉଛି ବେଷ୍ଟ ଓମେନ୍ ଏଣ୍ଟ୍ରେପ୍ରେନେଉର୍ସ ୨୦୧୯-ସି ଦି ପିପୁଲ୍‌ର ବିଜୟିନୀ। ତାନିୟାଙ୍କ ନିଜର ପଡ୍‌କାଷ୍ଟ୍‌ ଜରିଆରେ ଉଦ୍ୟମିତା ପ୍ରତି ରହିଥିବା ନିଜର ଆଗ୍ରହ ବିଷୟରେ ଆଲୋଚନା କରୁଛଛନ୍ତି।

ସମ୍ବନ୍ଧିତ ଖବର