ତେଲଦର କମିବା ସଂପର୍କରେ କ’ଣ କହିଲେ ପେଟ୍ରୋଲିୟମ ମନ୍ତ୍ରୀ ?

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ଏବେ ହ୍ରାସ ପାଇଛି, ରାଷ୍ଟ୍ରାୟତ୍ତ ତେଲ କମ୍ପାନିମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଧୁରିଛି । ଏହା ସତ୍ତ୍ବେ ଦେଶରେ ପେଟ୍ରୋଲ, ଡିଜେଲ ଦର କମୁନାହିଁ । ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯେ ଦେଶରେ ତେଲ ଦର କେବେ କମିବ ?

ଏ ସଂପର୍କରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ତେଲଦର ସ୍ଥିର ରହିଲେ ଦେଶରେ ତେଲଦର କମାଇବା ସମ୍ପର୍କରେ ତେଲ କମ୍ପାନିମାନେ ନିଷ୍ପତ୍ତି ନେଇପାରିବେ । ପୁଣି ତେଲ କମ୍ପାନିମାନେ ଯଦି ପରବର୍ତ୍ତୀ ତ୍ରୈମାସରେ ଭଲ ପ୍ରଦର୍ଶନ କରନ୍ତି ତେବେ ସେମାନେ ନିଜେ ଦର ହ୍ରାସ କରିବା ସ୍ଥିତିରେ ରହିପାରିବେ ।

କିନ୍ତୁ ତେଲଦର କେବେ କମିବ ସେ ସମ୍ପର୍କରେ କୌଣସି ସିଧାସଳଖ ଉତ୍ତର ଦେଇନାହାନ୍ତି କେନ୍ଦ୍ରମନ୍ତ୍ରୀ । ସେ ନିଜେ ଏସଂପର୍କରେ ନିଜେ କୌଣସି ଘୋଷଣା କରିବା ସ୍ଥିତିରେ ନାହାନ୍ତି । ଏକଥାକୁ ସେ ତେଲ କମ୍ପାନିଙ୍କ ଉପରେ ଛାଡ଼ିଦେଇଛନ୍ତି ।

ଗତ ତ୍ରୈମାସରେ ତେଲକମ୍ପାନିମାନେ ଠିକଠାକ୍ ପ୍ରଦର୍ଶନ କରିଥିଲେ ଓ ନିଜର କିଛି କ୍ଷତିର ଭରଣା କରିଥିଲେ । ଆଗକୁ କଣ କରାଯାଇପାରିବ ସେ ସମ୍ପର୍କରେ ଦେଖାଯାଉଛି ବୋଲି ସେ କହିଛନ୍ତି ।

ତେଲଦର ଏକ ପରିବର୍ତ୍ତନଶୀଳ ବିଷୟ ହୋଇଥିବାବେଳେ ମୋଦୀ ସରକାର ଏପ୍ରିଲ ୨୦୨୨ରୁ ଦର ବଢାଇନାହାନ୍ତି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର