ପାର୍ବଣରେ କିଣାକିଣି: ୭୫% ଗ୍ରାହକଙ୍କ ପସନ୍ଦ ଅନଲାଇନ୍‌

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଭାରତୀୟ ଖୁଚୁରା ବିକ୍ରେତା ସଂଘ ବା ରିଟେଲର୍ସ ଆସୋସିଏସନ ଅଫ୍ ଇଣ୍ଡିଆ (ଆରଏଆଇ) ପକ୍ଷରୁ କିଣାକିଣି ସମ୍ପର୍କରେ ଏକ ସର୍ଭେ କରାଯାଇଥିଲା। କରୋନା ମହାମାରୀ ପରିପ୍ରେକ୍ଷୀରେ ଚଳିତବର୍ଷ ୭୫ ପ୍ରତିଶତ ଗ୍ରାହକ ଅନଲାଇନ୍‌ରେ କିଣାକିଣି କରିବାକୁ ପସନ୍ଦ କରିବେ ବୋଲି କହିଛନ୍ତି। ମାର୍କେଟ ରିସର୍ଚ୍ଚ କମ୍ପାନି ଲିଟମସ୍ ୱାର୍ଲଡ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏହି ସର୍ଭେରୁ ଏହା ମଧ୍ୟ ଜଣାଯାଇଛି ଯେ ୬୬ ପ୍ରତିଶତ ଗ୍ରାହକ ‌ଦୋକାନରୁ ଏବଂ ୩୭ ପ୍ରତିଶତ ଗ୍ରାହକ ମଲ୍‌ରୁ କିଣାକିଣି କରିବେ। ସେହିଭଳି ସର୍ଭେରେ ଭାଗ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫୩ ପ୍ରତିଶତ କହିଛନ୍ତି ସେମାନେ ଚଳିତବର୍ଷ ପାର୍ବଣରେ ପୋଷାକପତ୍ର କିଣିବେ।

ଏହାପଛକୁ ୪୭ ପ୍ରତିଶତ ଆପ୍ଲାଏନସେସ୍‌, ୩୪ ପ୍ରତିଶତ ଫର୍ଣ୍ଣିଚର, ୧୫ ପ୍ରତିଶତ ମୋବାଇଲ ‌ଫୋନ୍ ଏବଂ ୯ ପ୍ରତିଶତ ଗ୍ରାହକ ଗହଣା କିଣିବେ ବୋଲି ମତ ଦେଇଛନ୍ତି। ଅନଲାଇନ ସମେତ ଷ୍ଟୋରରୁ ମଧ୍ୟ ଗ୍ରାହକମାନେ କିଣାକିଣି କରିବାକୁ ଆଗଭର ଅଛନ୍ତି ବୋଲି ଆରଏଆଇର ସିଇଓ କୁମାର ରାଜଗୋପାଳନ କହିଛନ୍ତି। ୨୧ ପ୍ରତିଶତ ଗ୍ରାହକ ଚଳିତବର୍ଷ ପୂଜାରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ବଜେଟ୍ ଧାର୍ଯ୍ୟ କରିଥିବାବେଳେ ୨୬ ପ୍ରତିଶତ ଗ୍ରାହକ ୫ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ, ୨୪ ପ୍ରତିଶତ ଗ୍ରାହକ ୧୫ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ, ୨୩ ପ୍ରତିଶତ ଗ୍ରାହକ ୩୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ୪ ପ୍ରତିଶତ ଗ୍ରାହକ ୧ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି। ୬୭ ପ୍ରତିଶତ ଗ୍ରାହକ ସେମାନଙ୍କ କିଣାକିଣି ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରିବାକୁ ଯୋଜନା ରଖିଛନ୍ତି। ଏହାପଛକୁ ୩୭ ପ୍ରତିଶତ ଗ୍ରାହକ ଡେବିଟ୍ କାର୍ଡରେ ୨୮ ପ୍ରତିଶତ ଗ୍ରାହକ ନଗଦ ଅର୍ଥରେ, ୨୧ ପ୍ରତିଶତ ଗ୍ରାହକ ୟୁପିଆଇରେ ଏବଂ ୧୪ ପ୍ରତିଶତ ଗ୍ରାହକ ଇଣ୍ଟରନେଟ୍ ବ୍ୟାଙ୍କିଂ ମାଧ୍ୟମରେ ପେମେଣ୍ଟ କରିବା ଯୋଜନା ରଖିଛନ୍ତି। ଲୋକମାନେ ଯେଉଁ ସପିଂ କରିବେ ସେଥିରୁ ୯୪ ପ୍ରତିଶତ ସପିଂ ନିଜ ଉଦ୍ଦେଶ୍ୟରେ କରିବେ ବୋଲି କହିଛନ୍ତି। ୮୦୦ ଜଣଙ୍କୁ ନେଇ ଅନଲାଇନରେ ଏହି ସର୍ଭେ କରାଯାଇଥିଲା। ୧୫ ଦିନ ଭିତରେ ଏହି ସର୍ଭେ କରାଯାଇଛି।

ସମ୍ବନ୍ଧିତ ଖବର