ନୂଆଦିଲ୍ଲୀ: କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଥିବା ଲୋକମାନେ କ’ଣ କିଣାକିଣି କରନ୍ତି? ସେମାନଙ୍କ ସଉକ କ’ଣ? ତାହା ଜାଣିବାକୁ ଲୋକମାନଙ୍କ ମନରେ ଉତ୍କଣ୍ଠା ରହିବା ସ୍ବାଭାବିକ। ଧନୀକ ଶ୍ରେଣୀର ଲୋକମାନଙ୍କ ଜୀବନଶୈଳୀ ଭିନ୍ନ ପ୍ରକାରର। ସେମାନେ ବିଳାସବ୍ୟସନରେ ବଞ୍ଚିବାକୁ ପସନ୍ଦ କରୁଥିବା ବେଳେ ସେହି ଜୀବନଶୈଳୀ ପାଇଁ ଅାବଶ୍ୟକ ଜିନିଷ କିଣିଥାନ୍ତି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଧନୀ ଲୋକମାନେ ବିଦେଶ ଭ୍ରମଣ କରିବା, ରିଅଲ ଇଷ୍ଟେଟ୍ ସମ୍ପତ୍ତି କିଣିବା, ଦାମୀ ଘଣ୍ଟା, ଦାମୀ ଗାଡ଼ି, କ୍ଲାସିକ୍ କାର୍, ଦାମୀ ମଦ, ସୁନା ଓ ହୀରା ଗହଣା, ରଙ୍ଗିନ ହୀରା, ବିରଳ କଳାକୃତି ଓ ମହଙ୍ଗା ଆସବାବପତ୍ର ଆଦି କିଣିବାରେ ଖର୍ଚ୍ଚ କରିବାକୁ ଭଲପାଆନ୍ତି। ଏହା ବ୍ୟତୀତ ବିଳାସପୂର୍ଣ୍ଣ ହାଣ୍ଡ୍ବ୍ୟାଗ୍, ପର୍ସ, ବେଲ୍ଟ, ପୋଷାକ ଆଦିରେ ମଧ୍ୟ ସେମାନେ ଖର୍ଚ୍ଚ କରୁଛନ୍ତି। କିଛି ଧନୀ ବ୍ୟକ୍ତି ରାଜା ମହାରାଜା, ବିଭିନ୍ନ ରାଷ୍ଟ୍ରର ମୁଖ୍ୟ, ଶେଖ୍ମାନେ ବ୍ୟବହାର କରିଥିବା ଜିନିଷ କିଣିବାକୁ ପସନ୍ଦ କରନ୍ତି। ନିଲାମରେ ଉପଲବ୍ଧ ହେଉଥିବା ସେହି ଜିନିଷଗୁଡ଼ିକୁ ମୋଟା ଅଙ୍କ ଦେଇ କିଣିବା ଲାଗି ସେମାନେ ପଛାନ୍ତି ନାହିଁ। ପଞ୍ଚତାରକା ହୋଟେଲ୍ ଓ ରେସ୍ତୋରାଁରେ ଖାଇବା ମଧ୍ୟ ସେମାନଙ୍କ ଆଉ ଏକ ବଡ଼ ସଉକ। ସ୍ବାସ୍ଥ୍ୟସେବାରେ ମଧ୍ୟ ସେମାନେ ବିପୁଳ ଖର୍ଚ୍ଚ କରୁଛନ୍ତି।
ବିଦେଶ ଭ୍ରମଣ, ତାରକା ହୋଟେଲ୍ରେ ଭୋଜନ
ଦାମୀ ଘଣ୍ଟା, ବ୍ୟାଗ୍, ଗାଡ଼ି, ଆସବାବପତ୍ର
ପ୍ରାଚୀନ ଓ ବିରଳ କଳାକୃତି
ଦାମୀ ପୋଷାକ, ଅଳଙ୍କାର
ବିଦେଶରେ ଦାମୀ ସମ୍ପତ୍ତି
ଧନୀ ଭାରତୀୟମାନେ ସମ୍ପତ୍ତି କିଣିବା ବେଳେ କେବଳ ଭାରତ ଭିତରେ ସୀମିତ ରହିନଥାନ୍ତି। ଦୁବାଇ, ଲଣ୍ଡନ, ନ୍ୟୁୟର୍କ, ସିଙ୍ଗାପୁର ଆଦି ସ୍ଥାନରେ କମର୍ସିଆଲ୍ ସମ୍ପତ୍ତି କିଣିବା ଉପରେ ସେମାନେ ଧ୍ୟାନ ଦେଉଛନ୍ତି। ଏହା ବ୍ୟତୀତ ବିଭିନ୍ନ କମ୍ପାନିର ସେୟାର, ବଣ୍ଡ୍ କିଣିବାରେ ବି ଖର୍ଚ୍ଚ କରୁଛନ୍ତି। କିଛି ଧନୀ ବ୍ୟକ୍ତିଙ୍କ କ୍ରିଫ୍ଟୋକରେନ୍ସିରେ ନିବେଶ କରିବାର ସଉକ ରହିଛି। ଧନୀ ଘର ପିଲାମାନଙ୍କ ଖର୍ଚ୍ଚଶୈଳୀ ଉପରେ ମତ ଦେଇ ଲାମ୍ବୋର୍ଘିନିର ସିଇଓ ଷ୍ଟେଫାନ୍ ୱିଙ୍କଲମ୍ୟାନ୍ କହିଛନ୍ତି ଯେ ଏଠାରେ ୨୫-୩୦ ବର୍ଷ ବୟସର ପିଲାମାନେ ଆମ କାର୍ କିଣୁଛନ୍ତି। ଆମେରିକା ଓ ୟୁରୋପରେ ୪୦-୪୫ ବର୍ଷ ପାଖାପାଖି ବୟସର ଲୋକମାନେ ଲାମ୍ବୋର୍ଘିନି କିଣୁଥିବା ବେଳେ ଏଠାରେ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। କମ୍ପାନିର ମାର୍କେଟିଂ ମୁଖ୍ୟ ଫେଡେରିକୋ ଫୋସିନି କହିଛନ୍ତି ଯେ ଭାରତର ସ୍ବଚ୍ଛଳ ବର୍ଗର ଲୋକମାନେ ଦାମୀ ବ୍ୟାଗ୍, ଗହଣାଠାରୁ ଆରମ୍ଭ କରି ଦାମୀ ଆପାର୍ଟମେଣ୍ଟ କିଣିବାରେ ଖର୍ଚ୍ଚ କରୁଥିବା ବେଳେ ପଞ୍ଚତାରକା ହୋଟେଲ୍ରେ ଛୁଟି କଟାଇବା, କାର୍, ୟାଚ୍ ଓ ଜେଟ୍ କିଣିବା ଲାଗି ଆଗ୍ରହ ଦେଖାଉଛନ୍ତି। ଭାରତରେ ବର୍ଷକୁ ପ୍ରାୟ ୧୦୦୦ ସୁପର ସ୍ପୋର୍ଟସ୍ କାର ବିକ୍ରି ହେଉଛି। ଧନୀକ ଶ୍ରେଣୀର ଲୋକମାନେ ଲାମ୍ବୋର୍ଘିନି ବ୍ୟତୀତ ଫେରାରି, ମାକ୍ଲରେନ୍, ଆଷ୍ଟନ୍ ମାର୍ଟିନ୍ ଓ ଦାମୀ ମର୍ସିଡିସ୍-ବେଞ୍ଜ, ଅଡି, ପୋର୍ସେ ଓ ବିଏମ୍ଡବ୍ଲୁର ଗାଡ଼ି କିଣୁଛନ୍ତି। ସମ୍ପତ୍ତି ବର୍ଗରେ ଧନୀ ଲୋକମାନେ କମର୍ସିଆଲ ସମ୍ପତ୍ତି, ହଲିଡେ ହୋମ୍, ଚାଷ ଜମି ଓ ଫାର୍ମ ହାଉସ୍ ଆଦିରେ ଖର୍ଚ୍ଚ କରୁଛନ୍ତି। ଭାରତ ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଥିବା ବେଳେ ଖୁବ୍ଶୀଘ୍ର ତୃତୀୟ ବଡ଼ ମହାଶକ୍ତି ହେବାକୁ ଯାଉଛି। ଏହି ଯାତ୍ରାରେ ଧନୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧୦ କୋଟିରେ ପହଞ୍ଚିବ ବୋଲି ଗୋଲ୍ଡମ୍ୟାନ୍ ସଚ୍ସ ଆକଳନ କରିଛି। ଏହି ଧନୀ ଲୋକଙ୍କ ପାଇଁ ବଜାରରେ ଏକ ବଡ଼ ପରିବର୍ତ୍ତନ ଘଟିଛି। ପ୍ରିମିୟମ୍ ମାନର ଉତ୍ପାଦ ବିକ୍ରି ବଢ଼ିବାରେ ଲାଗିଛି।