ସଡ଼କରେ ରହିବନି ଖାଲଖମା ସମସ୍ୟା, ‘ହ୍ବାଇଟ୍‌ ଟପିଂ’ ପ୍ରଯୁକ୍ତି କରିବ ସମାଧାନ

ଭୁବନେଶ୍ବର : ସଡ଼କରେ ଥିବା ଖାଲଖମା ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହି ସମସ୍ୟାର ସମାଧାନ କରିବା ଲାଗି ଆଇଆଇଟି ଭୁବନେଶ୍ବରର ଆସୋସିଏଟ ପ୍ରଫେସର ଡକ୍ଟର ଦୀନାକର ପାସ୍‌ଲା ଏକ ନୂତନ ପ୍ରଯୁକ୍ତି ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ବିଟୁମିନ୍‌କୁ ବ୍ୟବହାର କରି ନିର୍ମାଣ କରାଯାଉଥିବା ରାସ୍ତାରେ ଅଧିକ ଖାଲଖମା ଦେଖାଦିଏ।‌ ସେହି ସମସ୍ୟାର ସମାଧାନ କରିବ ହ୍ବାଇଟ୍‌ ଟପିଂ ପ୍ରଯୁକ୍ତି। ଅର୍ଥାତ ରାସ୍ତାର ଉପର ଭାଗର କିଛି ଅଂଶକୁ ସମ୍ପୂର୍ଣ୍ଣ ବାହାର କରି ସେଥିରେ ବିଟୁମିନ୍‌ ବଦଳରେ କଙ୍କ୍ରିଟ୍ ବ୍ୟବହାର କରିବା ହେଉଛି ଏହି ପ୍ରଯୁକ୍ତିର ପ୍ରମୁଖ ଅଂଶ। କଙ୍କ୍ରିଟ୍‌ ତିଆରିରେ ବ୍ୟବହାର ହେଉଥିବା ସାମଗ୍ରୀଗୁଡ଼ିକ ମଧ୍ୟରୁ ସିମେଣ୍ଟ୍‌ର ଦାମ୍ ସବୁଠୁ ଅଧିକ ରହିଥାଏ। ତେଣୁ ନିର୍ମାଣ କାର୍ଯ୍ୟକୁ ସୁଲଭ ମୂଲ୍ୟରେ କରିବା ଲାଗି ସିମେଣ୍ଟ୍‌ର ମାତ୍ରା କମ୍ କରି ସେଥିରେ ଫ୍ଲାଏ ଆସ୍‌କୁ ବ୍ୟବହାର କରାଯାଉଛି।

ଯେଉଁ ରାସ୍ତାରେ ଟ୍ରାଫିକ୍ ଭିଡ଼ ଯେମିତି ସେହି ଅନୁସାରେ କଙ୍କ୍ରିଟ୍‌ କେତେ ମୋଟା ହେବ ତାହା ନିର୍ଧାରଣ କରାଯାଉଛି। ଅର୍ଥାତ କମ୍ ଯାନବାହନ ଚଳାଚଳ କରୁଥିବା ରାସ୍ତାର କଙ୍କ୍ରିଟ୍ ପତଳା ରହୁଥିବା ବେଳେ ରାଜପଥ ଭଳି ସଡ଼କରେ ମୋଟା କଙ୍କ୍ରିଟ୍ ବ୍ୟବହାର କରାଯାଏ ବୋଲି ସେ କହିଛନ୍ତି। ହ୍ବାଇଟ୍ ଟପିଂ ପ୍ରଯୁକ୍ତିର ସବୁଠୁ ବଡ଼ ଲାଭ ହେଉଛି ଏହା ଦୀର୍ଘସ୍ଥାୟୀ। ଅର୍ଥାତ ୧୫-୨୦ ବର୍ଷ ପର୍ଯ୍ୟନ୍ତ ଏହା ନଷ୍ଟ ହେବ ନାହିଁ। ଫଳରେ ସଡ଼କର ରକ୍ଷଣାବେକ୍ଷଣ ଖର୍ଚ୍ଚ ବହୁତ କମିଯିବ ବୋଲି ସେ କହିଛନ୍ତି। ହ୍ବାଇଟ୍‌ ଟପିଂ ପ୍ରଯୁକ୍ତିକୁ ମୁମ୍ବାଇ, ଥାନେ, ନାଗପୁର, ପୁନେ, ବେଙ୍ଗାଲୁରୁ, କାନପୁର ଓ ଖଡ଼ଗପୁର ଭଳି ଅଞ୍ଚଳର ୧୦୦୦ରୁ ଅଧିକ କିମି ରାସ୍ତାରେ ବ୍ୟବହାର କରାଯାଇଛି। ଖାଲଖମାରେ ଭର୍ତ୍ତି ଥିବା ରାସ୍ତାଗୁଡ଼ିକୁ ମରାମତି କରିବାର ସବୁଠୁ ସହଜ ମରାମତି ଉପାୟ ହେଉଛି ହ୍ବାଇଟ୍‌ ଟପିଂ ବୋଲି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ଡେପୁଟି ମ୍ୟାନେଜର (ଇଞ୍ଜିନିୟରିଂ) କାଳି କଲ୍ୟାଣ ମହାରଣା କହିଛନ୍ତି।

ସମ୍ବନ୍ଧିତ ଖବର