ନୂଆଦିଲ୍ଲୀ: ରତନ ଟାଟା ଓ ସାଇରସ୍ ମିସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଚାରି ବର୍ଷ ଧରି ଲାଗିଥିବା ଝଗଡ଼ା ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଥିବା ଭଳି ମନେ ହେଉଛି। ଟାଟା ସନ୍ସରେ ଥିବା ୧୮.୫ ପ୍ରତିଶତ ଅଂଶଧନ ମଧ୍ୟରୁ କିଛି ସେୟାର ବନ୍ଧକ ରଖି ଋଣ ଶୁଝିବା ଲାଗି ପାଣ୍ଠି ଯୋଗାଡ଼ କରିବାକୁ ସାଇରସ୍ଙ୍କ ପରିବାର ଚାହୁଥିଲା। ମାତ୍ର ସୁପ୍ରିମକୋର୍ଟ ତାହା ଉପରେ ରୋକ ଲଗାଇ ଦେବା ପରେ ଟାଟା ଠାରୁ ସବୁ ଦିନ ପାଇଁ ଅଲଗା ହେବାକୁ ସାଇରସ୍ଙ୍କ ପରିବାରର କଂପାନି ଏସ୍ପି ଗ୍ରୁପ୍ ଆଗ୍ରହ ପ୍ରକାଶ କରିିଛି। ଟାଟାରେ ଏସ୍ପି ଗ୍ରୁପ୍ର ଥିବା ଅଂଶଧନ ମୂଲ୍ୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ। ଯେଉଁ ଅଂଶଧନ ପାଇଁ ଟାଟାକୁ ଆଜି ହଇରାଣ ହେବାକୁ ପଡ଼ୁଛି ତାହା ଅନ୍ୟ କୌଣସି ଖରାପ ନିବେଶକଙ୍କ ହାତରେ ପଡ଼ୁ ତାହା ଟାଟା କେବେ ଚାହିବ ନାହିଁ। ଖାସ ସେହି କାରଣ ପାଇଁ ନିଜ କଂପାନିର ଅଂଶଧନ ବନ୍ଧକ ରଖିବା ପଦକ୍ଷେପକୁ ଟାଟା ବିରୋଧ କରିଥିଲା। ତେଣୁ ଏବେ ସାଇରସ୍ଙ୍କ ପରିବାର ପାଖରେ ଅଂଶଧନ ବିକ୍ରି ଲାଗି ବେଶି ବିକଳ୍ପ ନାହିଁ। ଯଦି କିଣିବ ତେବେ ସବୁ ସେୟାରକୁ ଟାଟା ଗ୍ରୁପ୍ ହିଁ କିଣିବ। ତୃତୀୟ ପକ୍ଷ ନିବେଶକଙ୍କୁ ଟାଟା ସନ୍ସରେ ସ୍ଥାନ ଦେବାକୁ ରତନ ଟାଟା ଚାହିବେ ନାହିଁ। ଏସ୍ପି ଗ୍ରୁପ୍ର ଅଂଶଧନ କିଣିବା ଲାଗି ଟାଟା ସନ୍ସ ଆଗ୍ରହ ପ୍ରକାଶ କରିଛି। ଏ ସମ୍ପର୍କରେ କଂପାନିର ଆଇନଜୀବୀ ସୁପ୍ରିମକୋର୍ଟଙ୍କୁ ମଧ୍ୟ ଜଣାଇଛନ୍ତି। ୨୦୧୬ରେ ଯେତେବେଳେ ସାଇରସ୍ଙ୍କୁ ବୋର୍ଡ ବୈଠକ ପୂର୍ବରୁ ବିବାଦୀୟ ପରିସ୍ଥିତିରେ ବିଦା କରାଯାଇଥିଲା ତାହାର କିଛି ଦିନ ପରେ ଏସ୍ପି ଗ୍ରୁପ୍ର ଅଂଶଧନ ମୂଲ୍ୟ କେତେ ହେବ ତାହା ଆକଳନ କରିବା ଲାଗି ଟାଟା ସନ୍ସ ବିଭିନ୍ନ ନିବେଶକଙ୍କ ନିକଟରେ ପହଞ୍ଚି କଥାବାର୍ତା କରିଥିଲା। ଏସ୍ପି ଗ୍ରୁପ୍ ଉପରେ ଏବେ ବହୁତ ଋଣ ରହିଛି। ସେହି ସଙ୍କଟରୁ ଉଦ୍ଧାର ପାଇବାକୁ ହେଲେ କଂପାନି ପାଖରେ ସେୟାର ବିକ୍ରି କରିବା ଛଡ଼ା ଅନ୍ୟ କିଛି ବିକଳ୍ପ ନାହିଁ।
କିଏ କିଣିବ ସାଇରସ୍ଙ୍କ ପରିବାରର ସେୟାର?
/sambad/media/post_attachments/wp-content/uploads/2020/09/tata-cyrus.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)