ଭାରତର ୱାରେନ ବ‌ଫେଟ୍ କହାଯାଉଥିବା ରାକେଶ ଝୁନ୍‌ଝୁନ୍‌ୱାଲା କିଏ?

ମୁମ୍ବାଇ: ୧୯୬୦ରେ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କ ଜନ୍ମ ବମ୍ବେ ସହରର ଏକ ରାଜସ୍ଥାନୀ ପରିବାରରେ ହୋଇଥିଲା। ତାଙ୍କ ବାପା ମୁମ୍ବାଇରେ ଜଣେ ଆୟକର ଅଧିକାରୀ ଥିଲେ। ମୁମ୍ବାଇ ସିଡେନ୍‌ହାମ୍ କଲେଜରୁ ସ୍ନାତକ ଶିକ୍ଷା ଶେଷ କରିବା ପରେ ସେ ଜଣେ ସାମ୍ବାଦିକ କିମ୍ବା ପାଇଲଟ୍‌ ହେବାକୁ ମନ କରିଥିଲେ। କିନ୍ତୁ ତାଙ୍କ ଭାଗ୍ୟରେ କିଛି ଅଲଗା ଲେଖା ଥିଲା। ସେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ହେଲେ। ପେସାଦାର ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଭାବେ ପ୍ରଶିକ୍ଷଣ ନେଉଥିବା ବେଳେ ତାଙ୍କୁ ମାସିକ ୬୦ ଟଙ୍କାର ପ୍ରାପ୍ୟ ମିଳୁଥିଲା। ସେଥିରୁ ୧୫ ଟଙ୍କା କଟିଯାଉଥିଲା ଓ ହାତକୁ ଆସୁଥିଲା ମାତ୍ର ୪୫ ଟଙ୍କା। ଯେଉଁ ବ୍ୟକ୍ତି ଦିନେ ସାମ୍ବାଦିକ ହେବାକୁ ଚାହୁଥିଲେ ପରବର୍ତ୍ତୀ ସମୟରେ ସେ ବହୁ ନାମୀଦାମୀ ସମ୍ବାଦପତ୍ର ପାଇଁ ସ୍ତମ୍ଭକାର ଭାବେ କାମ କରିଥିଲେ। ପାଇଲଟ ହେବାକୁ ଚାହୁଥିବା ସେହି ବ୍ୟକ୍ତି ଜଣକ ‘ଆକାଶ ଏୟାର’ ନାମରେ ନୂଆ ବିମାନ କଂପାନି ଆରମ୍ଭ କରିଥିଲେ। ଫୋର୍ବସ୍‌ ଅନୁସାରେ ଝୁନ୍‌ଝୁନ୍‌ୱାଲା ହେଉଛନ୍ତି ୪୨ ହଜାର କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକ। ଦୁନିଆର ୯୯.୯୯ ପ୍ରତିଶତ ଲୋକଙ୍କଠାରୁ ସେ ଅଧିକ ଧନୀ। ଯଦିଓ ସେ ଜଣେ କୋଟିପତି କିନ୍ତୁ ନିବେଶ ଜଗତରେ ତାଙ୍କୁ ମଧ୍ୟ ଅନେକ ଉତ୍‌ଥାନ ପତନ ଦେଇ ଗତି କରିବାକୁ ପଡ଼ିଛି। ୧୯୮୫ରେ ପାଞ୍ଚ ହଜାର ଟଙ୍କାରୁ ସେ ଷ୍ଟକ ବଜାରରେ ନିବେଶ ଆରମ୍ଭ କରିଥିଲେ।

ଝୁନ୍‌ଝୁନ୍‌ୱାଲା କୁହନ୍ତି ଯଦି କିଣିଥିବା ସେୟ‌ାରରୁ ଆଶାନୁରୂପ ଲାଭ ୨-୩ ବର୍ଷରେ ମିଳିଯାଉଛି ତାହାକୁ ଲମ୍ବା ସମୟ ଧରି ରଖିବାର କୌଣସି କାରଣ ନାହିଁ। ନବେ ଦଶକ ପ୍ରାରମ୍ଭରେ ସାରା ବିଶ୍ବରେ ‌ଯେତେବେଳେ ସୂଚନା ପ୍ରଯୁକ୍ତି ବିଦ୍ୟା କଂପାନିଗୁଡ଼ିକର ଦ୍ରୁତ ଅଭ୍ୟୁଦୟ ହେଲା ବହୁ ନିବେଶକ ସେହି ସବୁ ସଂସ୍ଥାର ସେୟାର କିଣି ରାତାରାତି ଧନୀ ହୋଇଯାଇଥିଲେ। କିନ୍ତୁ ଝୁନଝୁନୱାଲା ସେହି ମାୟାଠାରୁ ଦୂରେଇ ରହିଥିଲେ। ଦିନ ଆସିଲା ଯେଉଁମାନେ ପ୍ରଯୁକ୍ତି ସଂସ୍ଥାରେ ଟଙ୍କା ଲଗାଇଥିଲେ ସେମାନେ ବିପୁଳ ପରିମାଣର କ୍ଷତି ସହି ନିରାଶ ହୋଇପଡ଼ିଥିଲେ। ଆମେରିକାର ପ୍ରସିଦ୍ଧ ନିବେଶକ ୱାରେନ ବଫେଟ୍‌ ମଧ୍ୟ ସେହି ରଣନୀତି ସହ ଷ୍ଟକ ବଜାରରେ ନିବେଶ କରୁଥିଲେ। ସେଥିପାଇଁ ଝୁନ୍‌ଝୁନ୍‌ୱାଲାଙ୍କୁ ଭାରତର ୱାରେନ ବ‌ଫେଟ୍ କୁହାଯାଏ। ୨୦୦୮ର ମାନ୍ଦାବସ୍ଥା ସମୟରେ ମଧ୍ୟ ସେ ପତନ ସାମ୍ନା କରିଥିଲେ ଓ ପରବର୍ତୀ ସମୟରେ ପୁଣି ଉପରକୁ ଉଠିିଥିଲେ।ସିନେମା ଜଗତ ପ୍ରତି ତାଙ୍କର ରୁଚି ଥିଲା। ସେ ୨୦୧୨ରେ ଇଂଲିଶ ଭିଙ୍ଗଲିସ୍‌, ୨୦୧୫ରେ ସମିତାଭ୍ ଓ ୨୦୧୬ରେ କି ଆଣ୍ଡ୍‌ କା ବଲିଉଡ୍‌ ସିନେମାର ପ୍ରଯୋଜନା କରିଥିଲେ। ଝୁନଝୁନୱାଲା ଏକଧାରାରେ ଥିଲେ ଜଣେ ନିବେଶକ, ଉଦ୍ୟୋଗୀ, ବଦାନ୍ୟ ବ୍ୟକ୍ତି, ବ୍ୟବସାୟୀ ଓ ସିନେମା ପ୍ରଯୋଜକ।

ସମ୍ବନ୍ଧିତ ଖବର