ଦାୟୀ କିଏ? ଉପା, ଏନ୍‌ଡିଏ, ରିଜର୍ଭ ବ୍ୟାଙ୍କ ନା ଶିଳ୍ପ ଜଗତ

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୫% ସ୍ତରକୁ ଖସିଯାଇଛି। କିଛି ମାସ ତଳେ ବିଶ୍ବର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ଥିବା ଭାରତ ଏବେ ଚତୁର୍ଥ ସ୍ଥାନକୁ ଖସିଯାଇଛି। ମାନ୍ଦାବସ୍ଥା କବଳରେ ପଡ଼ିଛି ଦେଶର ଅର୍ଥନୀତି। ତେବେ ଏଥିପାଇଁ ପ୍ରକୃତରେ କିଏ ଦାୟୀ ତାହା ଏପର୍ଯ୍ୟନ୍ତ ଜଣାପଡ଼ୁନାହିଁ। ମାନ୍ଦାବସ୍ଥାର ଖଳନାୟକ ଭାବେ ଉପା ସରକାର ନା ଏନ୍‌ଡିଏ ସରକାର ନା ରିଜର୍ଭ ବ୍ୟାଙ୍କ ନା ଶିଳ୍ପ ଜଗତ-କିଏ ଦାୟୀ? ଏଥିପାଇଁ ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏ ପକ୍ଷ କିମ୍ବା ମିଳିତ ଭାବେ ସମସ୍ତେ ଦାୟୀ ବୋଲି କୁହାଯାଇପାରେ।

ଉପା ସରକାର
କଂଗ୍ରେସ ନେତୃତ୍ବାଧୀନ ମେଣ୍ଟ ଉପା ୧୦ ବର୍ଷ ଦେଶକୁ ଶାସନ କରିଛି। ଉପା-୨ର କାର୍ଯ୍ୟକାଳ ଶେଷ ହେବା ବେଳକୁ ଦେଶର ଅଭିବୃଦ୍ଧି ହାର ୮% ଥିଲା। ଏହାର ୧୦ ବର୍ଷର ଶାସନ କାଳ ଭିତରେ ହାରାହାରି ଅଭିବୃଦ୍ଧି ୬.୯% ଥିଲା। ୨୦୦୮ର ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥାକୁ ଏହି ସରକାର ସାମ୍ନା କରିଥିଲା। ତେବେ ଏହି ସରକାର ଅମଳରେ ସଂସ୍କାରମୂଳକ ପଦକ୍ଷେପରେ ସମ୍ପୂର୍ଣ୍ଣ ବ୍ରେକ୍ ଲାଗିଥିଲା ବୋଲି ଅଭିଯୋଗ ହୋଇଥାଏ। ଏହା ମଧ୍ୟ ଅଭିଯୋଗ ହୁଏ ଯେ, ୨୦୦୮ ମାନ୍ଦାବସ୍ଥା‌ ପରେ ବ୍ୟାଙ୍କଗୁଡ଼ିକ ଆଖିବୁଜା ବିପୁଳ ପରିମାଣର ଋଣ ଆବଣ୍ଟନ କରିଥିଲେ ଯାହାର ପ୍ରଭାବରେ ପାହାଡ଼ ଭଳି ଏନ୍‌ପିଏ ସମସ୍ୟା ସୃଷ୍ଟି ହୋଇଥିଲା। ସେହି ସମସ୍ୟାର ଏବେବି ରହିଛି। ଏହା ଦେଶର ସରକାରୀ ବ୍ୟାଙ୍କଗୁଡ଼ିକୁ ସମ୍ପୂର୍ଣ୍ଣ ଦୁର୍ବଳ କରିଦେଇଛି ବୋଲି କୁହାଯାଉଛି।

ଏନ୍‌ଡିଏ ସରକାର
ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ପ୍ରଥମ ପାଳି ପୂରଣ କରିବା ପରେ ଚଳିତ ବର୍ଷରୁ ଦ୍ବିତୀୟ ପାଳିର ଶାସନ ଆରମ୍ଭ କରିଛି। ଏନ୍‌ଡିଏର ପ୍ରଥମ ପାଞ୍ଚ ବର୍ଷରେ ହାରାହାରି ଅଭିବୃଦ୍ଧି ୭.୫% ରହିଛି ଯାହା ଉପା ଅମଳ ହାରାହାରି ବାର୍ଷିକ ଅଭିବୃଦ୍ଧି ଠାରୁ ଅଧିକ। କିନ୍ତୁ ଏନ୍‌ଡିଏ ସରକାରଙ୍କ ଜିଡିପି ହିସାବ ବିବାଦୀୟ ରହିଛି। ଅଭିବୃଦ୍ଧିକୁ ଅଧିକ ଦେଖାଇବା ଲାଗି ଏନ୍‌ଡିଏ ସରକାର ଜିଡିପି ହିସାବର ଗଣିତକୁ ବଦଳାଇ ଦେଇଛନ୍ତି ବୋଲି ଅଭିଯୋଗ ହେଉଛି। ଏହା ବ୍ୟତୀତ ବିମୁଦ୍ରୀକରଣ ଓ ତ୍ରୁଟିପୂର୍ଣ୍ଣ ଜିଏସ୍‌ଟି କାର୍ଯ୍ୟକାରିତା ଅର୍ଥନୈତିକ ଦୁର୍ଗତିର ପ୍ରମୁଖ କାରଣ ବୋଲି ବିରୋଧୀ ଦଳଗୁଡ଼ିକ ବି ଅଭିଯୋଗ କରୁଛନ୍ତି।

ରିଜର୍ଭ ବ୍ୟାଙ୍କ
ଅନେକ କାରଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ମଧ୍ୟ ମାନ୍ଦାବସ୍ଥାର ଖଳନାୟକ କୁହାଯାଇପାରେ। ସରକାରୀ ବ୍ୟାଙ୍କଗୁଡ଼ିକ ୧୧ ଲକ୍ଷ କୋଟି ଟଙ୍କାର ଏନ୍‌ପିଏ ପାହାଡ଼ ଉପରେ ଠିଆ ହୋଇ କାରବାର କରୁଥିଲେ। ୨୦୧୪-୧୫ ପର୍ଯ୍ୟନ୍ତ ସେଥିପ୍ରତି ଧ୍ୟାନ ଦିଆଯାଇନଥିଲା। ଏହା ପରେ, ଏନ୍‌ପିଏ କମାଇବା ଲାଗି ହଠାତ୍ ବ୍ୟାଙ୍କ ଗୁଡ଼ିକ ଉପରେ ଚାପ ପ୍ରୟୋଗ କରାଗଲା। ଋଣ ନେଇଥିବା ବଡ଼ ଗ୍ରାହକଙ୍କୁ କୋର୍ଟକୁ ଟାଣିବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦିଆଗଲା। ଋଣ ଓ ବ୍ୟବସାୟ ପରିଚାଳନା କରିବା ବଦଳରେ ବ୍ୟାଙ୍କଗୁଡ଼ିକ ବୁଡ଼ିଯାଉଥିବା ଋଣ (ଏନ୍‌ପିଏ) ଅସୁଲ କରିବା ଉପରେ ଅଧିକ ଧ୍ୟାନ ଦେଇ ନିଜର ମୌଳିକ କାର୍ଯ୍ୟକୁ ଗୌଣ କରିଦେଇଥିଲେ। ରିଜର୍ଭ ବ୍ୟାଙ୍କ ଦୀର୍ଘଦିନ ପର୍ଯ୍ୟନ୍ତ ରେପୋ ହାର କମ୍ କରିନଥିଲା। ସେଥିପାଇଁ ବ୍ୟାଙ୍କଗୁଡ଼ିକ ପାଖରେ ନଗଦ ଟଙ୍କା ମାତ୍ରା କମିଯାଇଥିଲା ବୋଲି କୁହାଯାଉଛି।

ଶିଳ୍ପ ଜଗତ
୨୦୦୮ ଅର୍ଥନୈତିକ ମାନ୍ଦାବସ୍ଥା ପରବର୍ତ୍ତୀ ସମୟରେ ସାରା ବିଶ୍ବର ଶିଳ୍ପ ଜଗତ ଜଗିରଖି କାରବାର କରିବା ଉପରେ ଧ୍ୟାନ ଦେଇଥିଲା। କିନ୍ତୁ ଭାରତରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ଘରୋଇ କ୍ଷେତ୍ରର କଂପାନିଗୁଡ଼ିକ ବଡ଼ ବଡ଼ ଇସ୍ପାତ କାରଖାନା ଓ ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିବା ଲାଗି ବିପୁଳ ପରିମାଣର ଋଣ ନେଇଥିଲେ। ଖଣି କ୍ଷେତ୍ରରେ ମଧ୍ୟ ନିବେଶ ପରିମାଣ ବଢ଼ାଇଥିଲେ। ବିଦେଶର ଦେବାଳିଆ କଂପାନିଗୁଡ଼ିକୁ ଅଧିଗ୍ରହଣ କରିଥିଲେ। ସେତେବେଳେ ବଜାର ବିଶେଷଜ୍ଞଙ୍କ କଥାକୁ ସେମାନେ ଶୁଣିନଥିଲେ। ବିପୁଳ ପରିମାଣର ଋଣ ନେଇ ତାହାକୁ ଠିକ୍ ଭାବେ ନିବେଶ କରିପାରି ନଥିଲେ। ସେତେବେଳେ ‌ବଡ଼ ଧରଣର ଋଣ ନେଇଥିବା ଅଧିକାଂଶ ସଂସ୍ଥା ଦେବାଳିଆ ହୋଇ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)କୁ ଟଣା ହୋଇଛନ୍ତି।

ସମ୍ବନ୍ଧିତ ଖବର