ନୂଆଦିଲ୍ଲୀ: ଆଜି ଯେଉଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ବଳିତ କମ୍ପାନି ଓପନଏଆଇ ସଂପର୍କରେ ଚର୍ଚ୍ଚା ହେଉଛି ତାହାର ପ୍ରତିଷ୍ଠାତା ଜଣେ ଅଧାରୁ ପାଠ ଛାଡ଼ିଥିବା ବ୍ୟକ୍ତି। ସେ ହେଉଛନ୍ତି ସାମ୍ ଅଲ୍ଟମ୍ୟାନ ବା ସାମୁଏଲ ହାରିସ୍ ଅଲ୍ଟମ୍ୟାନ। ଆମେରିକା ମିଶୋରିର ସେଣ୍ଟ ଲୁଇସ୍ରେ ୧୯୮୫ ମସିହାରେ ଏକ ଇହୁଦୀ ପରିବାରରେ ତାଙ୍କର ଜନ୍ମ। ଅଲ୍ଟମ୍ୟାନଙ୍କୁ ୮ ବର୍ଷ ବୟସରେ କମ୍ପ୍ୟୁଟର ମିଳିଥିଲା। ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ସେ କମ୍ପ୍ୟୁଟର ସାଇନ୍ସ ପଢ଼ୁଥିଲେ ମଧ୍ୟ ୨୦୦୫ରେ ପାଠ ଛାଡ଼ି ଲୁପ୍ଟ ନାମକ ଏକ କମ୍ପାନି ଆରମ୍ଭ କରିଥିଲେ। ୨୦୦୫ରେ ୧୯ ବର୍ଷ ବୟସରେ ସେ ଅନ୍ୟମାନଙ୍କ ସହ ମିଶି ଏହି ଉଦ୍ୟୋଗ ଆରମ୍ଭ କରିଥିଲେ। ୨୦୧୫ରେ ଓପନଏଆଇର ପ୍ରତିଷ୍ଠା ହୋଇଥିଲା। ସେ ଏହାର ସିଇଓ ଅଛନ୍ତି।
କୃତ୍ରିମ ବୁଦ୍ଧିମତା ବା ଏଆଇ ପ୍ରଯୁକ୍ତି ମାନବ ସମାଜ ଲାଗି ସବୁଠୁ ବଡ଼ ବିପଦ ଓ ଏହାକୁ ନେଇ ହେଉଥିବା ପରୀକ୍ଷାନିରୀକ୍ଷା ତୁରନ୍ତ ବନ୍ଦ ହେବା ଦରକାର ବୋଲି ଟେସ୍ଲାର ମୁଖ୍ୟ ଏଲନ୍ ମସ୍କଙ୍କ ସମେତ ପ୍ରଯୁକ୍ତି ଦୁନିଆର ୧୦୦୦ ବିଶେଷଜ୍ଞ ଏକ ଖୋଲା ଚିଠି ଜରିଆରେ ଆହ୍ବାନ ଦେଇଥିଲେ। ମସ୍କ କହିଥିଲେ ଯେ ଚାଟ୍ଜିପିଟି ପ୍ରଭାବରେ ଇଣ୍ଟରନେଟ୍ରେ ଭୁଲ ତଥ୍ୟ ଓ ମିଥ୍ୟା ପ୍ରଚାରର ବନ୍ୟା ଆସିବ। ମସ୍କଙ୍କ ସେହି ମନ୍ତବ୍ୟକୁ ଏଆଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ଏଆଇକୁ ବ୍ୟବହାର କରିବା ଲାଗି ଏକ ନୈତିକ ନୀତି ପ୍ରସ୍ତୁତ ହେଲେ ଏହି ସମସ୍ୟା ରହିବନି। ଏବେବି ବିକାଶ ପର୍ଯ୍ୟାୟରେ ରହିଥିବା ଏକ ପ୍ରଯୁକ୍ତି ଉପରେ ପରୀକ୍ଷାନିରୀକ୍ଷା ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ଯେଉଁ ଆହ୍ବାନ ଦିଆଯାଇଛି ତାହା ପଛର ଉଦ୍ଦେଶ୍ୟ କ’ଣ ବୁଝାପଡ଼ୁନାହିଁ ବୋଲି ସେମାନେ କହିଛନ୍ତି। ଚାଟ୍ଜିପିଟି ବିକାଶ କରିଥିବା ସଂସ୍ଥା ଓପନ୍ଏଆଇ ସହ ମସ୍କ କାର୍ଯ୍ୟ କରୁଥିଲେ। ସବୁ କିଛି ଠିକ୍ଠାକ୍ ନହେବାରୁ ସେ ୨୦୧୮ରେ ସେହି ସଂସ୍ଥାଠାରୁ ଅଲଗା ହୋଇଯାଇଥିଲେ। ଭଲ ସମ୍ପର୍କ ନଥିବାରୁ ସେ ଏଆଇ ବିକାଶକୁ ବିରୋଧ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଅନ୍ୟ କିଛି ବିଶେଷଜ୍ଞ ମତ ଦେଇଛନ୍ତି ଯେ ଏଆଇକୁ ନେଇ ରହିଥିବା ବିପଦକୁ ଅଣଦେଖା କରାଯାଇପାରିବ ନାହିଁ। ମାନବ ସମାଜର ହିତ ପାଇଁ ଏହାକୁ ବ୍ୟବହାର କରିବାରେ କିଛି ଅସୁବିଧା ନାହିଁ। ଯଦି କିଛି ସମସ୍ୟା ରହିଛି ତାହାର ସମାଧାନ ବାଟ ବାହାର କରିବା ଦରକାର।