ମାଲ୍ୟାଙ୍କ ଲଣ୍ଡନ ଘରର ମାଲିକ କିଏ?

ନୂଆଦିଲ୍ଲୀ: ‘ଲଣ୍ଡନରେ ମୋର କିଛି ସଂପତ୍ତି ନାହିଁ। ମୋ ନାମରେ କେବଳ କିଛି କାର ଅଛି। କିଛି ସୁନା ଗହଣା ଅଛି। ଏହାଛଡ଼ା ମୋର ଆଉ କିଛି ନାହିଁ। ତେଣୁ ମୁଁ ରହୁଥିବା ଘରକୁ ଜବତ କରିବା ଲାଗି ବ୍ୟାଙ୍କ ଲୋକ ଆସିବା ଦରକାର ନାହିଁ। ସେମାନେ ତାରିଖ, ସମୟ ଓ ସ୍ଥାନ ଜଣାନ୍ତୁ। ମୁଁ ନିଜେ ହାଜର ହୋଇ ଏହିସବୁ ଜିନିଷ ବ୍ୟାଙ୍କ ଅଧିକାରୀମାନଙ୍କୁ ହସ୍ତାନ୍ତର କରିଦେବି।’ ଏହା ହେଉଛି ବିଜୟ ମାଲ୍ୟାଙ୍କ ମନ୍ତବ୍ୟ, ଯିଏକି ଭାରତରେ ବ୍ୟାଙ୍କଗୁଡ଼ିକୁ ଋଣରେ ବୁଡ଼ାଇ ଫେରାର ହୋଇଯାଇଛନ୍ତି। ଲଣ୍ଡନରେ ଥିବା ତାଙ୍କ ସମସ୍ତ ସଂପତ୍ତିକୁ ଜବତ କରିବା ଲାଗି ଭାରତୀୟ ବ୍ୟାଙ୍କଗୁଡ଼ିକୁ ଲଣ୍ଡନ କୋର୍ଟ ଅନୁମତି ଦେବାପରେ ମାଲ୍ୟା ଏଭଳି ମନ୍ତବ୍ୟ ଦେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯଦି ଏହି ଘର ମାଲ୍ୟାଙ୍କର ନୁହେଁ, ତାହାହେଲେ ଏହାର ମାଲିକ କିଏ?

ସୂଚନାଯୋଗ୍ୟ, ଅନାଦେୟ ଋଣ ହାସଲ କରିବା ପାଇଁ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବ୍ରିଟେନ୍‌ରେ ଥିବା ସମ୍ପତ୍ତି ଜବତ କରିବାକୁ ବ୍ରିଟେନ୍‌ ହାଇକୋର୍ଟ ନିର୍ଦେଶ ଦେବା ପରେ ଭାରତୀୟ ବ୍ୟାଙ୍କଗୁଡ଼ିକ ବହୁତ ଖୁସି ହୋଇଯାଇଥିଲେ। କିନ୍ତୁ ମାଲ୍ୟାଙ୍କ ଉପରୋକ୍ତ ମନ୍ତବ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ମାଲ୍ୟା କହୁଛନ୍ତି ଯେ ସେଠାରେ ଯେଉଁ ଦୁଇଟି ବିଳାସପୂର୍ଣ୍ଣ ଘର ରହିଛି ତାହା ତାଙ୍କ ନାମରେ ନାହିଁ। ଗୋଟିଏ ଘର ତାଙ୍କ ସନ୍ତାନ ସନ୍ତତିଙ୍କ ନାମରେ ଥିବା ବେଳେ ଅନ୍ୟ ଘରଟି ମାଲ୍ୟାଙ୍କ ମା’ଙ୍କ ନାମରେ ରହିଛି। କିନ୍ତୁ ବ୍ୟାଙ୍କଗୁଡ଼ିକ କହୁଛନ୍ତିି ଯେ ମାଲ୍ୟାଙ୍କ ବ୍ରିଟେନ୍‌ ଘରର ସମ୍ପର୍କ ତାଙ୍କ ପରିବାର ଟ୍ରଷ୍ଟ ସହିତ ରହିଛି। ବିଭିନ୍ନ କଂପାନିର ଜାଲ ବିଛାଇ ଏହି ଘରର ମାଲିକାନାକୁ ବିଭ୍ରାନ୍ତ କରିବାକୁ ପ୍ରୟାସ କରାଯାଇଛି। ତେବେ ବ୍ରିଟେନ୍‌ର ପ୍ରଚଳିତ ଆଇନ ଅନୁଯାୟୀ ମାଲ୍ୟାଙ୍କ ଏହି ଘରଗୁଡ଼ିକୁ ଜବତ କରିବା ଭାରତୀୟ ବ୍ୟାଙ୍କଗୁଡ଼ିକ ପାଇଁ ସହଜ ହେବନି। ମାଲ୍ୟାଙ୍କ ନାମରେ ସେଠାରେ କିଛି କାର୍‌ ଓ ଘଣ୍ଟା ଆଦି ରହିଛି। କିଛି ଦିନ ତଳେ ମାଲ୍ୟା କହିଥିଲେ ଯେ, ମୋ ଘରେ କେହି ହାତ ମାରିପାରିବେନି। କାରଣ ବ୍ରିଟେନ୍‌ର କୌଣସି ଘର ମୋ ନାମରେ ନାହିଁ।

ବ୍ରିଟେନ୍‌ର: କର୍ଣ୍ଣଓ୍ଵାଲ୍‌ ଟେରେସ୍‌ରେ ମାଲ୍ୟାଙ୍କ ଯେଉଁ ଘର ରହିଛି ତାହା ମାଡାମ୍‌ ଟୁସାଡସ୍‌ ସଂଗ୍ରହାଳୟ ଓ ବେଣ୍ଟ୍‌ଲି କାର୍‌ର ଜନ୍ମ ସ୍ଥାନ ପାଖାପାଖି ରହିଛି। ଏହି ସମ୍ପତ୍ତିର ମାଲିକାନା ବ୍ରିଟିସ୍‌ ଭର୍ଜିନ୍‌ ଦ୍ୱୀପର ‘ଆର୍‌ସିଭି’ ନାମକ ଏକ ସଂସ୍ଥା ନାମରେ ରହିଛି। ଆର୍‌ସିଭି ସଂସ୍ଥାଟି ଗ୍ଲାଡ୍‌କୋ ପ୍ରପର୍ଟିଜ୍‌ ଓ ନେଭିସ୍‌ ଅଧୀନରେ ରହିଛି ଯାହାର ମାଲିକ ହେଉଛି କଣ୍ଟିନେଣ୍ଟାଲ୍‌ ଆଡମିନିଷ୍ଟ୍ରେଟିଭ୍‌। କଣ୍ଟିନେଣ୍ଟାଲ୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ଟିକସର ସ୍ୱର୍ଗ ଭାବେ ବିବେଚନା କରାଯାଉଥିବା ସେଣ୍ଟ୍‌ କିଟସ୍‌ର ଏକ ସଂସ୍ଥା ହୋଇଥିବା ବେଳେ ନେଭିସ୍‌ ହେଉଛି ମାଲ୍ୟାଙ୍କ ପରିବାର ଦ୍ୱାରା ପରିଚାଳିତ ସିଲେଟା ଟ୍ରଷ୍ଟ୍‍ ଅଧୀନରେ ରହିଛି। ସେହିପରି, ଲେଡିଓ୍ଵାକ୍‌ରେ ଥିବା ହର୍ଟଫର୍ଡସାୟାର ଇଷ୍ଟେଟ୍‌ର ସମ୍ପର୍କ ମଧ୍ୟ ମାଲ୍ୟାଙ୍କ ପରିବାର ଦ୍ୱାରା ପରିଚାଳିତ ଟ୍ରଷ୍ଟ୍‍ ସହିତ ରହିଛି।

ସମ୍ବନ୍ଧିତ ଖବର