କିଏ ସମ୍ଭାଳିବ ସାଇରସ୍‌ଙ୍କ ପରିବାର ବ୍ୟବସାୟ? ୩୦ ବିଲିଅନ ଡଲାରର ବିଶାଳ ସାମ୍ରାଜ୍ୟ

ଗୋପାଳପୁର ବନ୍ଦରରେ ସିଂହଭାଗ ଅଂଶଧନ; କୋରାପୁଟ, ବଲାଙ୍ଗୀର ମେଡିକାଲ୍ କଲେଜ ନିର୍ମାଣ

ନୂଆଦିଲ୍ଲୀ: ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସାଇରସ୍‌ ମିସ୍ତ୍ରୀ ପ୍ରାଣ ହରାଇବା ପରେ ତାଙ୍କ ପରିବାରର ବିଶାଳ ବ୍ୟବସାୟ ସାମ୍ରାଜ୍ୟ ‘ସାପୋର୍ଜି ପାଲୋଞ୍ଜି ଗ୍ରୁପ୍‌’ର ଭବିଷ୍ୟତ ପ୍ରତି ବଡ଼ ଧରଣର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଇରସଙ୍କ ବାପା ପାଲୋଞ୍ଜି ମିସ୍ତ୍ରୀ ପୂର୍ବରୁ କଂପାନିର ଦେଖାଶୁଣା କରୁଥିଲେ। ଗତ ଜୁନ୍‌ରେ ତାଙ୍କ ଦେହାନ୍ତ ହେବା ପରେ ସାଇରସଙ୍କ ଦାୟିତ୍ବ ବଢ଼ିଯାଇଥିଲା। ବଡ଼ ଭାଇ ସାପୋର ମିସ୍ତ୍ରୀଙ୍କ ସହ ମିଶି ସାଇରସ୍‌ କଂପାନି ଉପରେ ଥିବା ୩୭ ହଜାର କୋଟି ଟଙ୍କାର ଋଣ ବୋଝକୁ ହାଲୁକା କରିବା ଲାଗି ଉଦ୍ୟମ କରୁଥିଲେ। ଏହି ପ୍ରକ୍ରିୟାରେ ତାଙ୍କୁ ନିଜର ମୂଲ୍ୟବାନ କଂପାନି ୟୁରେକା ଫୋର୍ବସ୍ ଓ ଷ୍ଟର୍ଲିଂ ଆଣ୍ଡ୍‌ ୱିଲ୍‌ସନ୍‌କୁ ବିକ୍ରି କରିବାକୁ ପଡ଼ିଥିଲା। ଦୁଇ ଭାଇ ମିଶି କଂପାନିର ଋଣକୁ ୧୩,୫୦୦ କୋଟି ଟଙ୍କା କମ୍ କରିଥିଲେ। ଏବେବି ୨୩,୫୦୦ କୋଟି ଟଙ୍କାର ଋଣ ଶୁଝିବା ବାକି ଥିବା ବେଳେ ବଡ଼ ଭାଇ ସା ପୋରଙ୍କୁ ସାଇରସ ଏକା ଛାଡ଼ି ଚାଲିଯାଇଛନ୍ତି। ସାଇରସଙ୍କ ପରିବାରର କାରବାର ମୁଖ୍ୟତଃ ରିଅଲ ଇଷ୍ଟେଟ୍‌ ଉପରେ ପର୍ଯ୍ୟବେସିତ। ସେହି କ୍ଷେତ୍ର ଅନେକ ଆହ୍ବାନ ଦେଇ ଗତି କରୁଛି। ଋଣ କମ୍ କରିବା ଲାଗି ବ୍ୟାଙ୍କଗୁଡ଼ିକ ନିୟମିତ ବ୍ୟବଧାନରେ କଂପାନି ଉପରେ ଚାପ ପକାଉଛନ୍ତି। କଂପାନି ଗତବର୍ଷ ୟୁରେକା ଫୋର୍ବସ୍‌କୁ ବିକ୍ରି କରିବା ପରେ ସାଇରସଙ୍କ ପରିବାର ସେଥିରୁ ୩,୧୦୦ କୋଟି ଟଙ୍କା ପାଇଥିଲେ। ସେହିପରି ୱିଲ୍‌ସନ୍ ଆଣ୍ଡ୍‌ ଷ୍ଟର୍ଲିଂ ବିକ୍ରିରୁ ୨୮୫୦ କୋଟି ଟଙ୍କା ମିଳିଥିଲା। ତେବେ ଋଣ ଶୁଝିବା ପାଇଁ ତାହା ଯଥେଷ୍ଟ ନଥିଲା। ବାକି ଥିବା ଋଣକୁ ଶୁଝିବା ଲାଗି କଂପାନି ଏବେ ଏହାର ଆଉ ଏକ ମୂଲ୍ୟବାନ ସମ୍ପତ୍ତି ଆଫ୍‌କନ୍‌ ଇନଫ୍ରାଷ୍ଟ୍ରକ୍‌ଚରକୁ ବିକ୍ରି କରିବା ଉପରେ ବିଚାର କରୁଛି।

୨୩,୫୦୦ କୋଟିର ଋଣ ବୋଝ, ବଡ଼ ଭାଇଙ୍କ ଉପରେ ଏବେ ସବୁ ଦାୟିତ୍ବ

ରିଅଲ ଇଷ୍ଟେଟ୍‌ ଡେଭେଲପର ଭାବେ ସାପୋର୍ଜି ପାଲୋଞ୍ଜି ଗ୍ରୁପ୍ ବହୁ ଆକର୍ଷଣୀୟ ଓ ଐତିହାସିକ କୋଠା ନିର୍ମାଣ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ କୋଠା, ମୁମ୍ବାଇର ଓବରଏ ହୋଟେଲ୍‌, ଓମାନର ରାଜାଙ୍କ ରାଜ ପ୍ରାସାଦ, ରାଜସ୍ଥାନର ନଥଦ୍ବାରରେ ପ୍ରଭୁ ଶିବଙ୍କ ପ୍ରତିମା, ଦୁବାଇର ଜୁମେଇରା ଲେକ୍ ଟାୱାର, ମରିସସର ଇବେନି ସାଇବର ସିଟି, ଚେନାବ ରେଳ ପୋଲ, ଅଟଳ ଟନେଲ, ଢାକା-ଚିଟାଗଙ୍ଗ ରେଳ କରିଡର ଓ ପ୍ରଥମ କୋଲକାତା ମେଟ୍ରୋ, ନୂଆଦିଲ୍ଲୀର ଜବାହାର ନେହେରୁ ଷ୍ଟାଡିୟମ୍, ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମ୍, ମୁମ୍ବାଇ ସେଣ୍ଟ୍ରାଲ ରେଳ ଷ୍ଟେସନ ଆଦିକୁ ଏହି ସଂସ୍ଥା ନିର୍ମାଣ କରିବାର ରେକର୍ଡ ନିଜ ନାମରେ ରଖିଛି।
୨୦୧୨ରେ ସାଇରସଙ୍କ ବାପା ପାଲୋଞ୍ଜି ମିସ୍ତ୍ରୀ ଅବସର ଘୋଷଣା କରିଥିଲେ। ସେହିବର୍ଷ ସାଇରସଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ସେଥିପାଇଁ ସାପୋର୍ଜି ପାଲୋଞ୍ଜି ଗ୍ରୁପ୍‌ର ସବୁ ଦାୟିତ୍ବ ବଡ଼ ପୁଅ ସାପୋରଙ୍କୁ ସମ୍ଭାଳିବାକୁ ପଡ଼ିଥିଲା। ତେବେ ୨୦୧୬ରେ ଟାଟା ସନ୍ସରୁ ବିଦା ହେବା ପରେ ପୁଣି ଥରେ ନିଜ ପରିବାର ବ୍ୟବସାୟକୁ ସମ୍ଭାଳିବା ପାଇଁ ସାଇରସ କାମ କରିଥିଲେ। ଇତି ମଧ୍ୟରେ ସାପୋର ନିଜ ପୁଅ ଓ ଝିଅକୁ ବ୍ୟବସାୟ ସମ୍ଭାଳିବା କଳା ଶିଖାଇବା ଆରମ୍ଭ କରିସାରିଛନ୍ତି। ତାଙ୍କ ପୁଅ ୨୬ ବର୍ଷୀୟ ପାଲୋନଙ୍କୁ କଂପାନିର ବୋର୍ଡରେ ସାମିଲ କରାଯାଇଛି। ଝିଅ ତାନ୍ୟା ମଧ୍ୟ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ ଶାଖାର ଦେଖାଶୁଣା କରୁଛନ୍ତି। ଏହା ବ୍ୟତୀତ ସାଇରସଙ୍କ ଦୁଇ ପୁଅ ଫିରୋଜ ଓ ଜାହାନ ମଧ୍ୟ ଆଗାମୀ ଦିନରେ କଂପାନିର ଦାୟିତ୍ବ ନେବେ। ତାଙ୍କ ପତ୍ନୀ ରୋହିକା ମଧ୍ୟ କିଛି ଦାୟିତ୍ବ ସମ୍ଭାଳିବେ ବୋଲି ଆଶା କରାଯାଉଛି।

ଗୋପାଳପୁର ବନ୍ଦରରେ ସିଂହଭାଗ ଅଂଶଧନ; କୋରାପୁଟ, ବଲାଙ୍ଗୀର ମେଡିକାଲ୍ କଲେଜ ନିର୍ମାଣ

ଭୁବନେଶ୍ବର: ସ‌ାପୋର୍ଜି ପାଲୋଞ୍ଜି ଗ୍ରୁପ୍‌ର ଉପସ୍ଥିତି ଓଡ଼ିଶାରେ ମଧ୍ୟ ରହିଛି। ବ୍ରହ୍ମପୁରରେ ଥିବା ଗୋପାଳପୁର ବନ୍ଦର ଏବେ ସାପୋର୍ଜି ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ୍ ଲିମିଟେଡ୍‌ (ଏସପିପିଏମ୍‌ପିଏଲ୍‌) ଅଧୀନରେ ପରିଚାଳିତ ହେଉଛି। ତାହା ଉପରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ଓ ସାପୋର୍ଜି ପାଲୋଞ୍ଜି ଗ୍ରୁପ୍ ମଧ୍ୟରେ ସ୍ଥାପନ ହୋଇଥିବା ଏକ କନସୋଟିୟମ୍। ସେହି କନସୋର୍ଟିୟମ୍‌ରେ ସାପୋର୍ଜି ପାଲୋଞ୍ଜି ଗ୍ରୁପ୍‌ର ୬୭ ପ୍ରତିଶତ ଅଂଶଧନ ରହିଛି। ରାଜ୍ୟରେ ଦୁଇଟି ମେଡିକାଲ୍ କଲେଜ ନିର୍ମାଣ କରିବାର କାର୍ଯ୍ୟବରାଦ ମଧ୍ୟ ସାପୋର୍ଜି ପାଲୋଞ୍ଜି ଗ୍ରୁପ୍‌ର ଇଞ୍ଜିନିୟରିଂ ଆଣ୍ଡ୍ କନଷ୍ଟ୍ରକ୍ସନ ଶାଖା ହାସଲ କରିଛି। କୋରାପୁଟ ଓ ବଲାଙ୍ଗୀର ମେଡିକାଲ୍ କଲେଜକୁ ଏହି ସଂସ୍ଥା ନିର୍ମାଣ କରୁଛି। ମେଡିକାଲ କଲେଜର ଏକାଡେମିକ୍ କୋଟା, ହଷ୍ଟେଲ କୋଟା, ଆବାସିକ କ୍ବାର୍ଟର ଓ ସର୍ଭିସ୍ ବିଲ୍‌ଡିଂ ଆଦିକୁ ଏହା ନିର୍ମାଣ କରୁଛି।

ସମ୍ବନ୍ଧିତ ଖବର