ଦରଦାମ୍ ରାକ୍ଷସ କବଳରେ ସାରା ବିଶ୍ବ

ଲଢ଼େଇ ପାଇଁ ଅସ୍ତ୍ର ଉଠାଇଲେ କେନ୍ଦ୍ରୀୟ ବ୍ୟାଙ୍କ, ସୁଧ ବଢ଼ାଇଲେ ଭାରତ, ଆମେରିକା, ବ୍ରିଟେନ୍‌

ନୂଆଦିଲ୍ଲୀ : ଦରଦାମରେ ବୃଦ୍ଧି ଆଉ ଜାତୀୟ ପ୍ରସଙ୍ଗ ହୋଇରହିନାହିଁ। ତାହା ଆନ୍ତର୍ଜାତିକ ପ୍ରସଙ୍ଗରେ ପରିଣତ ହୋଇଛି। ବିଶ୍ବରେ ଏଭଳି କୌଣସି ଦେଶ ନାହିଁ ଯେଉଁଠାରେ ଦରଦାମ୍ ସ୍ଥିତି ଅଣାୟତ୍ତ ହୋଇନାହିଁ। କରୋନା ମହାମାରୀ ପରେ ୟୁକ୍ରେନ୍ ଉପରେ ରୁଷ୍‌ ଆକ୍ରମଣ ସାରା ବିଶ୍ବରେ ଦରଦାମ୍‌କୁ ବେଲଗାମ କରିଦେଇଛି। ‌କିଛି ମାସ ପର୍ଯ୍ୟନ୍ତ ସ୍ଥିତିକୁ ନିରୀକ୍ଷଣ କରିବା ପରେ ଶେଷରେ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏହି ସଙ୍କଟର ମୁକାବିଲା ଲାଗି ନିଜ ଅସ୍ତ୍ରାଗାର ଖୋଲିଛନ୍ତି। ଦରଦାମ୍ ରାକ୍ଷସ କବଳରୁ ଦୁନିଆକୁ ବଞ୍ଚାଇବା ଲାଗି ସେମାନେ ଲଢ଼େଇ ଆରମ୍ଭ କରିଛନ୍ତି। ଏଥିପାଇଁ ସୁଧ ବୃଦ୍ଧିକୁ ସେମାନେ ପ୍ରମୁଖ ଅସ୍ତ୍ର କରିଛନ୍ତି।

ଭାରତରେ‌ ଖୁଚୁରା ମୁଦ୍ରାସ୍ଫୀତି ହାର ୭%ରୁ ଅଧିକ ଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତି ୧୫%ରୁ ଅଧିକ ରହିଛି। ଆମେରିକାର ପ୍ରମୁଖ ମୁଦ୍ରାସ୍ଫୀତି ହାର ୮%ରୁ ଅଧିକ ରହିଛି। ବ୍ରିଟେନ୍‌ରେ ତାହା ୯%ରୁ ଅଧିକ ରହିଛି ଯାହା ଗତ ୪୦ ବର୍ଷ ମଧ୍ୟରେ ସର୍ବାଧିକ। ଖାଦ୍ୟ ସାମଗ୍ରୀ ଓ ଇନ୍ଧନ ମୂଲ୍ୟରେ ହୋଇଥିବା ବୃଦ୍ଧି ଯୋଗୁଁ ବିଶ୍ବର ଅନେକ ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ମୁଦ୍ରାସ୍ଫୀତି ମୁକାବିଲା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଦୁଇ ଥରରେ ସୁଧରେ ୦.୯୦% ବୃଦ୍ଧି କରିସାରିଲାଣି। କେବଳ ଭାରତ ନୁହେଁ ବିଶ୍ବର ସର୍ବବୃହତ ଅର୍ଥନୈତିକ ମହାଶକ୍ତି ଆମେରିକା ମଧ୍ୟ ଦରଦାମ୍‌ ସ୍ଥିତିକୁ ନେଇ ‌ବହୁତ ଚିନ୍ତିତ ରହିଛି। ଗତକାଲି ଆମେରିକାର ଫେଡେରାଲ୍ ରିଜର୍ଭ ସୁଧରେ ୦.୭୫% ବୃଦ୍ଧି କରିଛି। ୧୯୯୪ ପରେ ପ୍ରଥମ ଥର ପାଇଁ ଆମେରିକାରେ ଥରକେ ସୁଧରେ ଏତେ ବଡ଼ ଧରଣର ବୃଦ୍ଧି ହୋଇଛି। ଆମେରିକା ସୁଧ ବଢ଼ାଇବା ପରେ ବ୍ରିଟେନ୍‌ର ବ୍ୟାଙ୍କ ଅଫ୍‌ ଇଂଲଣ୍ଡ୍ କ୍ରମାଗତ ପଞ୍ଚମ ଥର ଲାଗି ଏହାର ପ୍ରମୁଖ ସୁଧକୁ ବଢ଼ାଇଛି।

୨୦୦୮-୦୯ରେ ଦେଖାଦେଇଥିବା ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ପରେ ପ୍ରଥମ ଥର ଲାଗି ବ୍ରିଟେନ୍‌ରେ ସୁଧ ୧.୨୫%କୁ ବୃଦ୍ଧି ପାଇଛି। ୟୁରୋପର ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମଧ୍ୟ ମୁଦ୍ରାସ୍ଫୀତିର ମୁକାବିଲା ଲାଗି ସୁଧ ବଢ଼ାଇଛନ୍ତି। ସ୍ବିଜରଲ୍ୟାଣ୍ଡ୍‌ର ସ୍ବିସ୍‌ ନ୍ୟାସନାଲ୍‌ ବ୍ୟାଙ୍କ, ହଙ୍ଗେରିର ନ୍ୟାସନାଲ୍ ବ୍ୟାଙ୍କ ଅଫ୍‌ ହଙ୍ଗେରି ମଧ୍ୟ ସୁଧ ବଢ଼ାଇଛନ୍ତି। ଶେଷ ଥର ପାଇଁ ୨୦୦୭ରେ ସ୍ବିଜରଲ୍ୟାଣ୍ଡ୍‌ରେ ସୁଧ ହାର ବଢ଼ିଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଭଳି ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଏବେ ଯୁଦ୍ଧକାଳୀନ ଭିତ୍ତିରେ ମହାମାରୀ ମୁକାବିଲା ଲାଗି ଲଢ଼େଇ ଜାରି ରଖିଛନ୍ତି। ଦରଦାମ୍ ନିୟନ୍ତ୍ରଣକୁ ନଆସିବା ପର୍ଯ୍ୟନ୍ତ ସୁଧ ବୃଦ୍ଧି ଜାରି ରହିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସଙ୍କେତ ଦେଇଛନ୍ତି। ଏହା କର୍ପୋରେଟ୍ ଜଗତ ଓ ବିଭିନ୍ନ ଦେଶର ସରକାରଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର