ତେଲ ଦର ଅସହ୍ୟ, ଅଶୋଧିତ ତେଲ ଦାମ୍ କାହିଁକି ବଢ଼ୁଛି?

ତିନି ଅଙ୍କ ସଂଖ୍ୟା ପାଇଁ ବିଲିଂରେ ହେଉନି ସମସ୍ୟା

ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ହେଉଥିବା ନିୟମିତ ବୃଦ୍ଧି ଜନସାଧାରଣଙ୍କ ପାଇଁ ଅସହ୍ୟ ହେଲାଣି। ଦେଶର ଅନେକ ସ୍ଥାନରେ ପେଟ୍ରୋଲ୍‌ ଦାମ୍ ୧୦୦ ଟଙ୍କାରୁ ଅଧିକ ହୋଇଗଲାଣି। ଏଭଳି ପରିସ୍ଥିତିରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଟିକସ କମ୍ କରିବାକୁ ଚାହୁନଥିବାରୁ ତେଲ ଦାମ୍ ଆଉ କମିବ ନା ନାହିଁ ତାହାକୁ ନେଇ ଲୋକମାନେ ଚିନ୍ତିତ ହୋଇପଡ଼ିଛନ୍ତି

ଦେଶର କେତେକ ସ୍ଥାନ‌ରେ ପେଟ୍ରୋଲ୍ ଦାମ୍ ୧୦୦ ଟଙ୍କାରୁ ଅଧିକ ହୋଇଗଲାଣି। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ୧୦୦.୧୩ ପଇସାରେ ପେଟ୍ରୋଲ୍ ବିକ୍ରି ହେଉଛି। କ୍ରମାଗତ ଭାବେ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ହେଉଥିବା ବୃଦ୍ଧି ସାଧାରଣ ଖାଉଟିକୁ ଚିନ୍ତାରେ ପକାଇଦେଇଛି। ଗରିବ ଓ ମଧ୍ୟବିତ୍ତ ବର୍ଗ ଏହା ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ସାଧାରଣ ବର୍ଗର ଲୋକଙ୍କ ପାଇଁ ତେଲ ଦାମ ଅସହ୍ୟ ସ୍ତରରେ ପହଞ୍ଚିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ୬୩ ଡଲାର ଭଳି ସ୍ତରରେ ଥିବା ବେଳେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୩ ଟଙ୍କା ପାଖାପାଖି ରହିଛି। ଏହି ଦୁଇ ବିଷୟ ଉପରେ ତେଲ ଦାମ୍ କମିବ ନା ବଢ଼ିବ ତାହା ନିର୍ଭର କରୁଛି। ଭାରତରେ କିନ୍ତୁ କିଛିଦିନ ଭିତରେ ତେଲ ଦରରେ ଯେଉଁ ବୃଦ୍ଧି ହେଉଛି ତା’ ପଛର ମୂଳ କାରଣ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାର ଲଗାଇଥିବା ଟିକସ। କରୋନା ମହାମାରୀ ଦ୍ବାରା ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଟିକସ କମାଇବାକୁ ଚାହୁନାହାନ୍ତି। ସ୍ଥିତି ଏଭଳି ହୋଇଛି ଯେ ନେପାଳ ସୀମାରେ ଡିଜେଲ୍‌ର ଚୋରାଚାଲାଣ ଆରମ୍ଭ ହୋଇଛି।

ନେପାଳରୁ ଟ୍ୟାଙ୍କର ଆସି ବିହାରର କିଛି ଅଞ୍ଚଳରେ ରାସ୍ତା କଡ଼ରେ ଠିଆ ହୋଇ ଲୋକମାନଙ୍କୁ ଶସ୍ତାରେ ଡିଜେଲ୍ ବିକ୍ରି କରୁଛନ୍ତି। ଏଭଳି ଏକ ଟ୍ୟାଙ୍କରକୁ ଗତକାଲି ନେପାଳରେ ଅଟକ ରଖାଯାଇଥିଲା। ଭାରତ ଏହାର ୮୫% ତୈଳ ଆବଶ୍ୟକତା ଆମଦାନି ଜରିଆରେ ପୂରଣ କରିଥାଏ। ସାଉଦି ଆରବ, ଇରାକ ଆଦି ଦେଶ ଠାରୁ ଏହା ଅଶୋଧିତ ତେଲ କିଣିଥାଏ। ଭାରତ କିଣୁଥିବା ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ଏବେ ୬୩.୭ ଡଲାର ରହିଛି। ଗତବର୍ଷ ଅକ୍ଟୋବର ପରଠାରୁ ଅଶୋଧିତ ତେଲ ଦାମ୍ ନିୟମିତ ଭାବେ ବୃଦ୍ଧି ପାଉଛି। ଅକ୍ଟୋବରରେ ଏହି ଦାମ୍ ୪୦.୧ ଡଲାର ଥିଲା। ଇତି ମଧ୍ୟରେ ସେଥିରେ ୫୦% ବୃଦ୍ଧି ଘଟିଛି। ଅନେକ ଦେଶରେ ପେଟ୍ରୋଲ୍ ଦାମ୍ ମହାମାରୀ ପୂର୍ବର ସ୍ତରକୁ ଫେରିଥିବା ବେଳେ ଭାରତରେ କିନ୍ତୁ ତାହା ଆକାଶଛୁଆଁ ସ୍ତରରେ ରହିଛି। ରାଜନୈତିକ ଦୃଷ୍ଟିକୋଣରୁ ତେଳ ଦର ବୋ ସମ୍ବଦନଶୀଳ ପ୍ରସଙ୍ଗ ହୋଇଥିବାରୁ ନିର୍ବାଚନ ପାଖେଇ ଆସିଲେ ଦରବୃଦ୍ଧିରୁ ନିସ୍ତାର ମିଳିବ ବୋଲି କୁହାଯାଇପାରିବ।

ତିନି ଅଙ୍କ ସଂଖ୍ୟା ପାଇଁ ବିଲିଂରେ ହେଉନି ସମସ୍ୟା
ଦେଶର ଅଧିକାଂଶ ପେଟ୍ରୋଲ୍ ପମ୍ପ୍‌ର ମେସିନ୍‌ରେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ପ୍ରଦର୍ଶିତ କରିବାର ବ୍ୟବସ୍ଥା ଥିଲା। ଅର୍ଥାତ ଦାମ୍ ୯୯ ଟଙ୍କା ୯୯ ପଇସା ପର୍ଯ୍ୟନ୍ତ ବଢ଼ିଲେ ତାହା ମେସିନ୍‌ରେ ପ୍ରଦର୍ଶିତ ହୋଇପାରିବାର ବ୍ୟବସ୍ଥା ଥିଲା। ଇତି ମଧ୍ୟରୁ କିନ୍ତୁ ଡିଜିଟାଲ୍ ଡିସ୍‌ପ୍ଲେ ବ୍ୟବସ୍ଥାରେ ଉନ୍ନତି ହୋଇସାରିଛି। ଏଥିପାଇଁ ବ୍ୟବହାର ହେଉଥିବା ମେସିନ, ତାହାର ସଫ୍‌ଟଓୟାର ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ଉନ୍ନତି ଆସିଛି। ତେଣୁ ପେ‌ଟ୍ରୋଲ୍‌ ଦାମ୍ ୧୦୦ ଟଙ୍କା ସ୍ତର ଟପିଲେ ମଧ୍ୟ ବିଲିଂ କରିବାରେ ଅସୁବିଧା ହେଉନାହିଁ। ଦେଶର ଅଧିକାଂଶ ପେଟ୍ରୋଲ୍ ପମ୍ପ୍ ନିଜର ଡିଜିଟାଲ୍ ବିଲିଂ ବ୍ୟବସ୍ଥାରେ ଉନ୍ନତି ଆଣିଛନ୍ତି। ସର୍ବଭାରତୀୟ ପେଟ୍ରୋଲିୟମ୍ ଡିଲର ସଂଘର ସଭାପତି ଅଜୟ ବଶଂଲ କହିଛନ୍ତି ଯେ ପମ୍ପ୍‌ରେ ଥିବା ଡିସ୍‌ପ୍ଲେରେ ତିନି ପ୍ରକାର ତଥ୍ୟ ପ୍ରଦର୍ଶିତ ହେଉଛି। ତାହା ହେଉଛି ତେଲର ଲିଟର ପିଛା ଦାମ୍, ତେଲର ପରିମାଣ ଓ ଗ୍ରାହକ ଦେଉଥିବା ମୋଟ ଟଙ୍କା। ଗ୍ରାହକ ଦେଉଥିବା ଟଙ୍କା ଡିସ୍‌ପ୍ଲେରେ ଚାରି ଅଙ୍କ ବିଶିଷ୍ଟ ସଂଖ୍ୟା ପ୍ରଦର୍ଶିତ ହୋଇପାରିବ। ଅର୍ଥାତ ୯୯୯୯ ଟଙ୍କାର ତେଲ ପକାଇଲେ ବି ତାହା ପ୍ରଦର୍ଶିତ ହେବ। ଅନ୍ୟ ଡିସ୍‌ପ୍ଲେରେ ପେ‌ଟ୍ରୋଲ୍ ପମ୍ପ୍‌ଗୁଡ଼ିକ ଚାହିଁଲେ ଷ୍ଟିକର୍‌ ମାରିପାରିବେ। ତାହା ବି ବଡ଼ ସମସ୍ୟା ନୁହେଁ। କାରଣ ପ୍ରାୟ ସବୁ ପେଟ୍ରୋଲ୍ ପମ୍ପ୍‌ରେ ଉନ୍ନତ ଡିଜିଟାଲ୍ ବିଲିଂ ବ୍ୟବସ୍ଥା ରହିଛି। କିଛି ହାତଗଣତି ପୁରୁଣା ପମ୍ପ୍‌ରେ ଏହି ସୁବିଧା ଥାଇନପା‌ରେ ବୋଲି ସେ କହିଛନ୍ତି।

ଆସାମ, ମେଘାଳୟ, ପଶ୍ଚିମବଙ୍ଗ ଓ ରାଜସ୍ଥାନ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଲଗାଇଥିବା ଭାଟ୍ ହ୍ରାସ କରିଛନ୍ତି। ରାଜସ୍ଥାନ ସରକାର ଭାଟ୍‌କୁ ୩୮%ରୁ ୩୬%କୁ ହ୍ରାସ କରିଛନ୍ତି। ଆସାମା ସରକାର ଲଗାଇଥିବା ସ୍ବତନ୍ତ୍ର ୫ ଟଙ୍କାର କୋଭିଡ୍‌ ଟିକସ ପ୍ରତ୍ୟାହାର କରିଛନ୍ତି। ମେଘାଳୟ ସରକାର ପେଟ୍ରୋଲ୍‌ ମୂଲ୍ୟ ୭ ଟଙ୍କା ୪୦ ପଇସା ଓ ଡିଜେଲ୍ ଦାମ୍‌ରେ ୭ ଟଙ୍କା ୧୦ ପଇସା ହ୍ରାସ କରିଛନ୍ତି। ପଶ୍ଚିମବଙ୍ଗ ସରକାର ଉଭୟ ତେଲ ଦାମ୍‌ରେ ୧ ଟଙ୍କା ହ୍ରାସ କରିଛନ୍ତି। ନାଗାଲ୍ୟାଣ୍ଡ୍‌ ସରକାର ମଧ୍ୟ ଭାଟ୍‌ କମ୍ କରିଛନ୍ତି। ପେଟ୍ରୋଲ୍‌ରେ କର୍ଣ୍ଣାଟକ, କେରଳ, ଆସାମ, ଆନ୍ଧ୍ର, ଦିଲ୍ଲୀ ଓ ମଧ୍ୟପ୍ରଦେଶ ୩୦%ରୁ ଅଧିକ ଭାଟ୍ ଲଗାଇଛନ୍ତି। ସେହିପରି ଡିଜେଲ୍‌ରେ ଓଡ଼ିଶା, ତେଲେଙ୍ଗାନା, ରାଜସ୍ଥାନ ଓ ଛତିଶଗଡ଼ ଉଚ୍ଚ ହାରର ଭାଟ୍‌ ଲଗାଇଛନ୍ତି।

ସମ୍ବନ୍ଧିତ ଖବର