ଗଣେଶ ମୂର୍ତ୍ତି କାହିଁକି ଚୀନ୍‌ରୁ ଆଣିବାକୁ ପଡ଼ୁଛି? ବିସ୍ମୟ ପ୍ରକାଶ କଲେ ଅର୍ଥମନ୍ତ୍ରୀ ନିର୍ମଳା

ନୂଆଦିଲ୍ଲୀ: ଚୀନ୍‌ରୁ ଗଣେଶ ମୂର୍ତ୍ତି ଆମଦାନି ହେଉଥିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଭର୍ଚୁଆଲ୍‌ ମାଧ୍ୟମରେ ବିଜେପିର ତାମିଲନାଡ଼ୁ କର୍ମୀମାନଙ୍କୁ ସମ୍ବୋଧିତ କରିବା ବେଳେ ସେ କହିଛନ୍ତି, ଅଭିବୃଦ୍ଧି ଓ ଉତ୍ପାଦନ ବଢ଼ାଇବା ଏବଂ କର୍ମନିଯୁକ୍ତି ସୃଷ୍ଟି କରିବା ଲାଗି ଆମଦାନି କରିବା ଭୁଲ ନୁହେଁ। ତାହା ନିଶ୍ଚିତ ହେବା ଦରକାର। ଯେଉଁ କଞ୍ଚାମାଲ ଆମ ଦେଶରେ ଉପଲବ୍ଧ ନାହିଁ, କିନ୍ତୁ ଆମ ଶିଳ୍ପ ସଂସ୍ଥାଗୁଡ଼ିକ ଆବଶ୍ୟକ କରୁଛନ୍ତି ତାହା ଆମଦାନି କରିବା ମଧ୍ୟ ଭୁଲ୍ ନୁହେଁ। ଯେଉଁ ସାମଗ୍ରୀ ଆଣିଲେ ନିଯୁକ୍ତି ବଢ଼େ ନାହିଁ କିମ୍ବା ଅଭିବୃଦ୍ଧିକୁ ବଳ ମିଳେ ନାହିଁ ତାହା ଦେଶକୁ ଆତ୍ମନିର୍ଭର କରିପାରିବ ନାହିଁ।

ସାଧାରଣତଃ ପ୍ରତିବର୍ଷ ଗଣେଶ ଚତୁର୍ଥୀ ସମୟରେ ସ୍ଥାନୀୟ କାରିଗରମାନେ ଗଢ଼ୁଥିବା ମାଟି ଗଣେଶ ମୂର୍ତ୍ତିକୁ ଲୋକମାନେ କିଣିଥାନ୍ତି। କିନ୍ତୁ ଏବେ ଚୀନ୍‌ରୁ କାହିଁକି ଗଣେଶ ମୂର୍ତ୍ତି ଆମଦାନି ହେଉଛି ବୋଲି ସେ କହିଛନ୍ତି। ଏଭଳି ସ୍ଥିତି କାହିଁକି ସୃଷ୍ଟି ହେଲା? ଆମେମାନେ କ’ଣ ମାଟିରେ ଗଣେଶ ମୂର୍ତ୍ତି ତିଆରି କରିପାରିବା ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଦୈନନ୍ଦୀନ କାର୍ଯ୍ୟରେ ବ୍ୟବହାର ହେଉଥିବା ସାବୁନ, ପ୍ଲାଷ୍ଟିକ୍ ସାମଗ୍ରୀ, ଧୂପକାଠି ଆଦିକୁ ଦେଶ ଭିତରେ ଏମ୍ଏସ୍‌ଏମ୍‌ଇଗୁଡ଼ିକ ଉତ୍ପାଦନ କରି ଦେଶର ଆବଶ୍ୟକତା ପୂରଣ କରିପାରିବେ ବୋଲି ସେ କହିଛନ୍ତି। ଆତ୍ମନିର୍ଭର ଭାରତ ଅର୍ଥ ନୁହେଁ ସବୁ ପ୍ରକାର ଆମଦାନିକୁ ବନ୍ଦ କରିବା। ଶିଳ୍ପ ଓ ଅଭିବୃଦ୍ଧି ଲାଗି ଯାହା ଦରକାର ତାହା ଆମଦାନି ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର