ଆର୍‌ସିଇପିରେ କାହିଁକି ସାମିଲ ହେଲାନି ଭାରତ? ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଭାଗିତା (ଆର୍‌ସିଇପି) ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ)ରେ ଭାରତ ଯୋଗଦେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋକ‌୍‌ଠୋକ୍‌ ମନା କରିଦେଇଛନ୍ତି। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏପ୍ରକାର ନିଷ୍ପତ୍ତିକୁ ବିଭିନ୍ନ ସଂଗଠନ ପ୍ରଶଂସା କରିବା ଆରମ୍ଭ କରିଦେଇଛନ୍ତି। ଚୀନର ୭ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ୧୬ଟି ଦେଶର ରାଷ୍ଟ୍ରମୁଖ୍ୟ ମାନସ ମନ୍ଥନ କରିଥିଲେ ମଧ୍ୟ ଭାରତ ଓହରିଆସିବାରୁ ଏହାକୁ ବଡ଼ ଧକ୍କା ଲାଗିଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ବିଶେଷ ସମୟରେ ବ୍ୟବହାର ପାଇଁ ଗାନ୍ଧୀ ଦେଇଥିବା ମନ୍ତ୍ର (ତଲିସ୍‌ମା) କିମ୍ବା ତାଙ୍କ ନିଜର ବିବେକ ଉକ୍ତ ସଂଗଠନରେ ଯୋଗଦେବାକୁ ତାଙ୍କୁ ଅନୁମତି ଦେଲାନାହିଁ। ତେବେ ଭାରତ ଏହି ମୁକ୍ତ ବାଣିଜ୍ୟ ଅଞ୍ଚଳରେ ଯୋଗ‌ ନଦେବା ପଛରେ ୫ଟି ବଳିଷ୍ଠ କାରଣ ଯଥା ଦେଶର ଅର୍ଥନୈତିକ ମାନ୍ଦାବସ୍ଥା, ଉଚ୍ଚ ବାଣିଜ୍ୟ ନିଅଣ୍ଟ, କୃଷି, ଶିଳ୍ପ ଓ ସେବା କ୍ଷେତ୍ରର ସମସ୍ୟା, ଅତୀତର ବିଫଳତା ଏବଂ ଚୀନର ଖେଳକୁ ବିବେଚନା କରାଯାଉଛି। ସେହି କାରଣ ବିଷୟରେ ଏଠାରେ କିଛି ତଥ୍ୟ ରଖାଯାଇଛି।

ଅର୍ଥନୈତିକ ମାନ୍ଦାବସ୍ଥା
ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ପରଠାରୁ ଭାରତୀୟ ଅର୍ଥନୀତିର ସ୍ଥିତି ଖରାପ ହୋଇଯାଇଛି। ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଛି। ତେଣୁ ଏଭଳି ସମୟରେ ଭାରତ ଯଦି ମୁକ୍ତ ବାଣିଜ୍ୟ ରାଜିନାମାରେ ପ୍ରବେଶ କରିବ ତାହେଲେ ଚୀନ ଭଳି ପ୍ରମୁଖ ରପ୍ତାନିକାରୀ ରାଷ୍ଟ୍ର ସହିତ ଆମ ଦେଶର କୃଷି ଏବଂ ଶିଳ୍ପଜଗତ ପ୍ରତିଯୋଗିତା କରିବା କଷ୍ଟକର ହୋଇପଡ଼ିବ।

ବାଣିଜ୍ୟ ନିଅଣ୍ଟ
ବ୍ୟାବସାୟିକ ଦୃଷ୍ଟିକୋଣରୁ ଦେଖିଲେ ଭାରତର ବାଣିଜ୍ୟ ନିଅଣ୍ଟ ବିଶ୍ବର ପ୍ରାୟ ପ୍ରମୁଖ ଅର୍ଥନୈତିକ ଶକ୍ତି ସହିତ ରହିଛି। ଆରସିଇପିରେ ଭାରତକୁ ବାଦ ଦେଲେ ୧୫ଟି ଦେଶ ରହିଛନ୍ତି। ୧୫ଟି ଦେଶ ମଧ୍ୟରୁ ୧୧ଟି ଦେଶ ସହିତ ଭାରତର ବଡ଼ ଧରଣର ବାଣିଜ୍ୟ ନିଅଣ୍ଟ ରହିଛି। ଗତ ୫ବର୍ଷ ମଧ୍ୟରେ ଭାରତର ବାଣିଜ୍ୟ ନିଅଣ୍ଟ ଏସବୁ ଦେଶ ସହିତ ଦୁଇଗୁଣ ବୃଦ୍ଧି ପାଇଛି। ଅର୍ଥାତ୍ ୨୦୧୩.୧୪ରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ବାଣିଜ୍ୟ ନିଅଣ୍ଟ ୫୪ ବିଲିଅନ ଡଲାରରୁ ବୃଦ୍ଧି ପାଇ ୧୦୫ ବିଲିଅନ ଡଲାରରେ ପହଞ୍ଚିଛି। ଆରସିଇପି ଅଞ୍ଚଳକୁ ଏବେ ଭାରତ ଏହାର ୨୦ ପ୍ରତିଶତ ରପ୍ତାନି କରୁଥିବାବେଳେ ଆମଦାନି ୩୫ ପ୍ରତିଶତରେ ରହିଛି। ୧୦୫ ବିଲିଅନ ଡଲାର ମୂଲ୍ୟର ବାଣିଜ୍ୟ ନିଅଣ୍ଟ ମଧ୍ୟରୁ କେବଳ ଚୀନ୍ ସହିତ ୫୩ ବିଲିଅନ ଡଲାରର ନିଅଣ୍ଟ ରହିଛି। ବାଣିଜ୍ୟ ନିଅଣ୍ଟ ବଢ଼ିଗଲେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ।

କୃଷି, ଶିଳ୍ପ ଏବଂ ସେବା
ଆର୍‌ସିଇପିକୁ ଭାରତର କୃଷି ଏବଂ ଶିଳ୍ପଜଗତ ଦୃଢ଼ ବିରୋଧ କରୁଛି। କୃଷି, ଶିଳ୍ପ ଏବଂ ସେବା କ୍ଷେତ୍ରକୁ ଉନ୍ମକ୍ତ କରିଦିଆଗଲେ ଭାରତ ଏସବୁ ଦେଶ ସହିତ ପ୍ରତିଯୋଗିତା କରିବା କଷ୍ଟକର ହୋଇପଡ଼ିବ। ଦକ୍ଷିଣ ଏସିଆର ଦେଶଗୁଡ଼ିକ ଭାରତରେ ଗୋଲମରିଚ, ଗୁଜରାତି ଆଦି ବିଭିନ୍ନ ପ୍ରକାର ମସଲା ସହିତ ରବର, ନଡ଼ିଆ ଆଦି ବହୁମାତ୍ରାରେ ଗଦା କରିବେ। ଏଥିସହିତ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଭାରତରେ ଦୁଗ୍ଧଜାତୀୟ ଉତ୍ପାଦ ବଜାରକୁ ହାତେଇବା ପାଇଁ ଅପେକ୍ଷା କରି ରହିଛି। ତେଣୁ ଭାରତୀୟ କୃଷି ଏବଂ ମସଲା, ରବର ଶିଳ୍ପ ଏହାଦ୍ବାରା ଗଭୀର ଭାବେ ପ୍ରଭାବିତ ହେବ। ସେବା କ୍ଷେତ୍ରରେ ଭାରତର ସ୍ଥିତି ଭଲଥିଲେ ମଧ୍ୟ ଚୀନ ଏବଂ ଅନ୍ୟ ଦେଶଗୁଡ଼ିକଠାରୁ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହେବ।

ଅତୀତର ବିଫଳତା
ଅତୀତରେ ଭାରତ ଶ୍ରୀଲଙ୍କା, ଦକ୍ଷିଣ କୋରିଆ, ମାଲେସିଆ, ସିଙ୍ଗାପୁର ଭଳି ଦେଶ ସହିତ ଯେଉଁ ମୁକ୍ତ ବାଣିଜ୍ୟ ରାଜିନାମା କରିଛି ସେଥିରୁ ବିଶେଷ କିଛି ଲାଭ ଉଠାଇ ପାରିନାହିଁ। ୨୦୧୭ରେ ନିତି ଆୟୋଗ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ, ମୁକ୍ତ ବାଣିଜ୍ୟ ରାଜିନାମା ଥିବା ଦେଶରୁ ଭାରତର ଆମଦାନି ବହୁମାତ୍ରାରେ ବଢ଼ିଥିବାବେଳେ ଭାରତର ରପ୍ତାନି ସେହିସବୁ ଦେଶକୁ ଆଶାଠାରୁ କମ୍ ରହିଛି।

ଚୀନର ଖେଳ
ଆମେରିକା ସହିତ ଚୀନର ବାଣିଜ୍ୟ ଯୁଦ୍ଧ ଚାଲିଥିବାରୁ ଏହାର ଉତ୍ପାଦନ କ୍ଷେତ୍ର ଏବଂ ରପ୍ତାନି ଗୁରୁତରଭାବେ ପ୍ରଭାବିତ ହୋଇଛି। ଏହି ଦେଶ ଏବେ ଏକ ବଡ଼ ବଜାର ଖୋଜୁଛି। ଲୋକସଂଖ୍ୟା ଦୃଷ୍ଟିରୁ ଭାରତ ଏକ ବଡ଼ ବଜାର ହୋଇଥିବାରୁ ଏହାକୁ ସାମିଲ କରିବା ଲାଗି ଚୀନ୍‌ ଖେଳ ଖେଳୁଛି।

ସମ୍ବନ୍ଧିତ ଖବର