ନୂଆଦିଲ୍ଲୀ: କିଛି ମାସ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ବନ୍ଦ ହୋଇଯାଇଥିବା ବିମାନ କଂପାନି ଜେଟ୍ ଏୟାରୱେଜ୍ର ମାଲିକ ନରେଶ ଗୋୟଲଙ୍କ ବିରୋଧରେ ଅର୍ଥ ଆତ୍ମସାତ ଅଭିଯୋଗ ଆସିଛି। ସେ ପାଣ୍ଠି ହଡ଼ପ କରିନେବା ପରେ ଜେଟ୍ର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିଲା ଏବଂ ଏହା ଆଉ କେବେବି ଅଣ୍ଟା ସଳଖି ଠିଆ ହୋଇପାରିନଥିଲା। ଏହି ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ଜାଣିବା ପାଇଁ ଦେଶର ଦୁଇ ପ୍ରମୁଖ ତଦନ୍ତ ଏଜେନ୍ସି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଓ ସିରିଅସ୍ ଫ୍ରଡ୍ ଇନଭେଷ୍ଟିଗେସନ୍ ଅଫିସ୍ (ଏସ୍ଏଫ୍ଆଇଓ) ତରଫରୁ ତଦନ୍ତ ଆରମ୍ଭ କରାଯାଇଛି। ଏସ୍ଏଫ୍ଆଇଓ ପକ୍ଷରୁ ଅର୍ଥ ଆତ୍ମସାତ ଅଭିଯୋଗର ତଦନ୍ତ କରାଯାଉଛି। ଜେଟ୍ର ପ୍ରତିଷ୍ଠାତା ନରେଶ ଗୋୟଲ ଓ ତାଙ୍କ ପତ୍ନୀ ଅନିତା ଗୋୟଲ ଉଭୟଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ଜେଟ୍ରେ ହୋଇଥିବା ବିଦେଶୀ ପୁଞ୍ଜିନିବେଶ ବେଳେ ମଧ୍ୟ ଆଇନ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଇଡି ତରଫରୁ ତାହାର ତଦନ୍ତ କରାଯାଉଛି। ଏବେ କେବଳ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। କୌଣସି ଏଫ୍ଆଇଆର୍ ଦାୟର କରାଯାଇନାହିଁ। ଆବୁଧାବିର କଂପାନି ଏତିହାଦ୍ ଏୟାରୱେଜ୍ ପକ୍ଷରୁ ଜେଟ୍ ପ୍ରିଭିଲେଜ୍ ନାମକ ସଂସ୍ଥାରେ କରାଯାଇଥିବା ୧୫୦ ନିୟୁତ ଡଲାର ନିବେଶ ବେଳେ ବିଦେଶୀ ପୁଞ୍ଜିନିବେଶ ନିୟମ ଉଲ୍ଲଂଘନ କରାଯାଇଥିଲା। ଏଥିରେ ନରେଶଙ୍କ କ’ଣ ଭୂମିକା ରହିଥିଲା ତାହାର ଯାଞ୍ଚ କରାଯାଉଛି।
ନରେଶ ୪ଟି ବଡ଼ ସୁଟକେସ୍ ନେଇ ବିଦେଶ ଯାଉଥିଲେ
ନୂଆଦିଲ୍ଲୀ: ଦେଶ ଛାଡ଼ି ଚାଲିଯିବାକୁ ବସିଥିବା ଜେଟ୍ ଏୟାରୱେଜ୍ର ପ୍ରତିଷ୍ଠାତା ନରେଶ ଗୋୟଲ ଓ ତାଙ୍କ ପତ୍ନୀ ଅନିତାଙ୍କ ବିଷୟରେ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ମୁମ୍ବାଇ ବିମାନ ବନ୍ଦରରେ ସେମାନେ ଏମିରେଟସ୍ର ଏକ ବିମାନରେ ଦୁବାଇ ବାଟ ଦେଇ ଲଣ୍ଡନ ଯିବାକୁ ଚାହୁଥିଲେ। ସେ ଯେଉଁ ବିମାନରେ ବସିଥିଲେ ତାହା ରନ୍ୱେରେ ଦୌଡ଼ିବା ଆରମ୍ଭ କରିସାରିଥିଲା। କିନ୍ତୁ ଶେଷ ମୁହୂର୍ତରେ ବିମାନଟିକୁ ଅଟକାଇ ଦିଆଯାଇଥିଲା ଏବଂ ବିମାନ ଭିତରୁ ଗୋୟଲ ଦମ୍ପତିଙ୍କୁ ବାହାର କରାଯାଇଥିଲା। ନିଜ ସହିତ ୪ଟି ବଡ଼ ସୁଟ୍କେସ୍ ନେଇ ସେମାନେ ବିଦେଶ ଯାଉଥିଲେ। ସବୁ ସୁଟ୍କେସ୍ ଅନିତାଙ୍କ ନାମରେ ଥିଲା। ସୁଟ୍କେସ୍ଗୁଡ଼ିକୁ ମଧ୍ୟ ବିମାନରୁ ବାହାର କରାଯାଇଥିଲା। ସେଥିପାଇଁ ବିମାନଟି ନିର୍ଧାରିତ ସମୟ ଠାରୁ ଏକ ଘଣ୍ଟାରୁ ଅଧିକ ବିଳମ୍ବରେ ଆକାଶରେ ଉଡ଼ିଥିଲା। ଦିନ ୩ଟା ୩୫ ମିନିଟ୍ରେ ଏହି ବିମାନଟି ଛାଡ଼ିବାର ଥିଲା। ମାତ୍ର ଗୋୟଲ ଦମ୍ପତିଙ୍କୁ ବିମାନର ବାହାର କରିବା ପ୍ରକ୍ରିୟା ଯୋଗୁ ସନ୍ଧ୍ୟା ୫ଟାରେ ବିମାନ ଛାଡ଼ିଥିଲା। ପୂର୍ବରୁ ଜାରି କରାଯାଇଥିବା ଲୁକ୍ ଆଉଟ୍ ସର୍କୁଲାର ଯୋଗୁ ଗୋୟଲ ଦମ୍ପତି ଦେଶ ଛାଡ଼ିିବା ପୂର୍ବରୁ ଧରାପଡ଼ିଥିଲେ।