ନୂଆଦିଲ୍ଲୀ: କିଙ୍ଗ୍‌ଫିସର ଏୟାରଲାଇନ୍ସ ଉପରେ ବାକି ପଡ଼ିଥିବା ୯ ହଜାର କୋଟି ଟଙ୍କାରୁ ଊର୍ଧ୍ୱ ବ୍ୟାଙ୍କ ଋଣ ମାମଲାରେ ଭାରତର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଖୁବ୍‌ଶୀଘ୍ର ଏକ ବଡ଼ ସଫଳତା ମିଳିବାକୁ ଯାଉଛି। ତଦନ୍ତରେ ସହଯୋଗ ନକରି ବ୍ରିଟେନ ପଳାଇଥିବା ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ହୃଦୟ ଏବଂ ମନ ବଦଳିଛି। ପଳାତକ ଅର୍ଥନୈତିକ ଅପରାଧୀ ଆଇନ ବଳରେ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ଲାଗି ଇଡି ପଦକ୍ଷେପ ନେବା ଆରମ୍ଭ କରିଛି। ଏହି ସମ୍ପତ୍ତି ଚାଲିଯିବା ଭୟ ଏବେ ମାଲ୍ୟାଙ୍କୁ ଘାରିଛି। ଫଳରେ ଭାରତ ଫେରିବାକୁ ସେ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଏହି ମାମଲା ସହ ଜଡ଼ିତ ଜଣେ ବ୍ୟକ୍ତିଙ୍କ ସୂତ୍ରରୁ ଜଣାପଡ଼ିଛି। ଭାରତ ଫେରି ଆସିବା ସମ୍ପର୍କରେ ସେ ଇଡିକୁ ଜଣାଇଛନ୍ତି। ଚଳିତବର୍ଷ ଜୁନ୍‌ରେ ଇଡି ମୁମ୍ବାଇର ଏକ ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟର ଦ୍ୱାରସ୍ଥ ହୋଇଥିଲା। ନୂଆକରି ଘୋଷିତ ପଳାତକ ଅର୍ଥନୈତିକ ଅପରାଧୀ ଅଧ୍ୟାଦେଶ ଅଧୀନରେ ମାଲ୍ୟାଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରିବା ସହିତ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ଲାଗି ଆବେଦନ କରାଯାଇଥିଲା। ଏଥିସହିତ ମାଲ୍ୟାଙ୍କର ପ୍ରାୟ ୧୨,୫୦୦ କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିବା ଲାଗି ଅନୁମତି ମାଗିଥିଲା।

Advertisment

ନୂଆଦିଲ୍ଲୀ: ପଳାତକ ହୀରା ଗହଣା ବ୍ୟବସାୟୀ ତଥା ପିଏନ୍‌ବି ମହାଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ୍‌ ଚୋକ୍‌ସି ଏବେ କାରବୀୟ ଦେଶ ଆଣ୍ଟିଗୁଆରେ ଲୁଚିଛନ୍ତି। ଆଣ୍ଟିଗୁଆର ପାସପୋର୍ଟ ହାସଲ କରି ସେ ସେଠାରେ ବାସ କରୁଛନ୍ତି। ଇଣ୍ଟରପୋଲ୍‌ ପକ୍ଷରୁ ଜାରି ହୋଇଥିବା ଡିଫ୍ୟୁଜନ୍‌ ନୋଟିସ ପରିପ୍ରେକ୍ଷୀରେ ଆଣ୍ଟିଗୁଆ କର୍ତ୍ତୃପକ୍ଷ ଭାରତର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଏହି ସୂଚନା ଦେଇଛନ୍ତି। ଇଣ୍ଟରପୋଲ୍‌ ପକ୍ଷରୁ ନିରବ ଓ ତାଙ୍କ ଭାଇ ନିଶାଲଙ୍କ ନାମରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିଥିବା ବେଳେ ମେହୁଲ୍‌ଙ୍କ ନାମରେ ଏହି ନୋଟିସ ଜାରି ଏବେ ବିଚାରାଧୀନ ରହିଛି। ଚଳିତମାସ ୮ ତାରିଖରେ ମେହୁଲ୍‌ ଆମେରିକାରୁ ଯାଇ ଆଣ୍ଟିଗୁଆରେ ପହଞ୍ଚିଛନ୍ତି। ଆମେରିକାର ଜେଟ୍‌ବ୍ଲୁ ବିମାନ ସେବା ପ୍ରଦାନ କାରୀ କମ୍ପାନିର ବିମାନରେ ଯାଇ ଆଣ୍ଟିଗୁଆର ଭିସି ବାର୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇଛନ୍ତି।