କାହିଁକି ବିଫଳ ହେଲା ପେଟିଏମ୍  ଆଇପିଓ ? ଜାଣନ୍ତୁ ପୂରା କାହାଣୀ

ଭାରତର ବୃହତ୍ତମ ଆଇପିଓ କୁହାଯାଉଥିବା ପେଟିଏମ ଆଇପିଓ ବିଫଳ ହେବାରେ ରହିଛି ଏକାଧିକ କାରଣ । କିନ୍ତୁ ଏହାକୁ ନେଇ ଅନ୍ୟ ଟେକ୍-କମ୍ପାନିମାନେ ନିରାଶ ହେବାର କାରଣ ନାହିଁ।

ଭାରତରେ ଡିଜିଟାଲ ନେଣଦେଣ ଲୋକପ୍ରିୟ ହେବା ପରେ ପେଟିଏମ୍ କମ୍ପାନି ଚର୍ଚ୍ଚାକୁ ଆସିଥିଲା । ପରେ ୨୦୧୬ରେ ଦେଶରେ ବିମୁଦ୍ରିକରଣ ଘୋଷଣା ହେବା ସହ ଡିଜିଟାଲ ନେଣଦେଣ ଦ୍ରୁତ ଗତିରେ ବୃଦ୍ଧି ପାଇଲା । ଏହା ସହିତ ହଠାତ ପେଟିଏମର ଚାହିଦା ବଢିଗଲା । ଏପରିକି ଲୋକେ ଡିଜିଟାଲ ଉପାୟରେ ଟଙ୍କା ପଠାଇବା କହିଲେ ପେଟିଏମ୍ ବୋଲି ବୁଝିଲେ ।

କିନ୍ତୁ ଚଳିତ ମାସରେ ଯେତେବେଳେ ପେଟିଏମ୍ ଚଳାଉଥିବା କମ୍ପାନି ‘୧୯୭ କମ୍ୟୁନିକେସନ’ ଆଇପିଓ (ଇନିସିଆଲ ପବ୍ଲିକ ଅଫର) ନେଇ ଆସିଲା, ପ୍ରଥମ ଦିନରେ ହିଁ କମ୍ପାନିର ସେୟାର ଦ୍ରୁତ ଗତିରେ ଖସିଗଲା । ଏହା ଦ୍ବାରା ନିବେଶକମାନେ ବିପୁଳ ପରିମାଣରେ କ୍ଷତି ସହିଲେ । ଏକ ଅଟକଳ ଅନୁସାରେ ପ୍ରଥମ ଦିନରେ ନିବେଶକମାନେ ପ୍ରାୟ ୩୫ ହଜାର କୋଟି ହରାଇଥିଲେ ।

ଷ୍ଟକ ମାର୍କେଟ ଲିଷ୍ଟିଂର ପ୍ରଥମ ଦିନରେ ନିବେଶକଙ୍କୁ ଗୋଟିଏ ଲେଖାଏଁ ପେଟିଏମ ସେୟାର ୨୧୫୦ ଟଙ୍କାରେ ଆବଣ୍ଟନ କରାଯାଇଥିଲା । କିନ୍ତୁ କାରବାର ବେଳେ ଏକ ସମୟରେ ସେୟାର ଦାମ୍ ୧୫୮୬ ଟଙ୍କା ୨୫ ପଇସା ସ୍ତରକୁ ଖସିଯାଇଥିଲା । ଏହାଫଳରେ ପେଟିଏମ୍‌ରେ ନିବେଶ କରିଥିବା ନିବେଶକମାନେ ୩୫ ହଜାର କୋଟି ଟଙ୍କାର କ୍ଷତି ସହିଥିଲେ ।

କାହିଁକି ବିଫଳ ହେଲା ପେଟିଏମ ?

ପେଟିଏମର ଆଇପିଓ ବିଫଳ ହେବାର ଏକାଧିକ କାରଣ ଦର୍ଶାଉଛନ୍ତି ବିଶେଷଜ୍ଞ । ତେବେ ଏକ ସାଧାରଣ କାରଣ ହେଉଛି ସମୟ (ବା ଅସମୟ) । ଯେଉଁ ସମୟରେ ପେଟିଏମ୍ ବଜାରକୁ ଆସିଲା ତାହା ଠିକ ସମୟ ନଥିଲା ବୋଲି କୁହାଯାଉଛି । କାରଣ ୨୦୧୬ରେ ବଜାରରେ ପେଟିଏମର ଯେପରି ଆଧିପତ୍ୟ ଥିଲା ଏବେ ତାହା ନାହିଁ । ଡିଜିଟାଲ ପେମେଣ୍ଟ ବଜାରରେ ଏବେ କିଛି ବିଦେଶୀ କମ୍ପାନିଙ୍କ ଆଧିପତ୍ୟ ରହିଛି । ଏପରି ଦୁଇଟି କମ୍ପାନି ହେଲେ ଗୁଗୁଲ ପେ ଓ ଫୋନପେ । ଗୁଗୁଲ ପେ ଆମେରିକୀୟ କମ୍ପାନି ଗୁଗୁଲ ଦ୍ବାରା ପରିଚାଳିତ ହେଉଥିବାବେଳେ ଫୋନ ପେ ଇ-କମର୍ସ କମ୍ପାନି ଫ୍ଲିପକାର୍ଟର ଏକ ଶାଖା କମ୍ପାନି । ଫ୍ଲିପକାର୍ଟ ଏବେ ଆମରିକୀୟ କମ୍ପାନି ଓ୍ବାଲମାର୍ଟ ମାଲିକାନାରେ ଅଛି । ଏହି ଦୁଇ କମ୍ପାନିଙ୍କ ଅଧିପତ୍ୟ ବଢିବା ସହ ପେଟିଏମର ସ୍ଥିତି ପୂର୍ବାପେକ୍ଷା ଦୁର୍ବଳ ହୋଇଛି । ଅନ୍ୟପକ୍ଷରେ କରୋନା ଦ୍ବାରା ପ୍ରଭାବିତ ଭାରତୀୟ ଅର୍ଥନୀତି ଏବେ ବି ନିଜର ସ୍ବାଭାବିକ ଅଭିବୃଦ୍ଧି ପଥକୁ ଫେରିନାହିଁ । ଏଣୁ ବର୍ତ୍ତମାନ ଆଇପିଓ ପାଇଁ ଠିକ ସମୟ ନଥିଲା ବୋଲି କୁହାଯାଉଛି ।

ପେଟିଏମ ପକ୍ଷରୁ ଧାର୍ଯ୍ୟ ସେୟାର ମୂଲ୍ୟ ବାସ୍ତବତାଠାରୁ ଦୂରରେ ଥିଲା ବୋଲି କେତେକ ବଜାର ବିଶେଷଜ୍ଞ କହୁଛନ୍ତି । ଭାରତର ବୃହତ୍ତମ ଆଇପିଓ ଆଣିବାକୁ ଯାଇ ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ବାସ୍ତବତାକୁ ଭୁଲିଗଲେ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ନାଇକା ପରି ଏକ ଅପେକ୍ଷାକୃତ ଛୋଟ କମ୍ପାନି ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ କରିଥିବାରୁ ତାହାର ଆଇପିଓ ସଫଳ ହୋଇପାରିଥିଲା ।

ପ୍ରତିଷ୍ଠାତାଙ୍କ ଆଖିରେ ଲୁହ

ସେୟାର ବଜାରରେ ପେଟିଏମ୍ ପ୍ରବେଶ କରିବା ପରେ ଏହାର ପ୍ରତିଷ୍ଠାତା ବିଜୟ ‌ଶେଖର ଶର୍ମା ଭାବବିହ୍ବଳ ହୋଇପଡ଼ିଛନ୍ତି। ଷ୍ଟକ ବଜାରରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଜଣେ ସ୍କୁଲ ଶିକ୍ଷକଙ୍କ ପୁଅ ବିଜୟ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ। ୨୦୧୦ରେ ସେ ମୋବାଇଲ୍‌ ରିଚାର୍ଜ ସୁବିଧା ପ୍ରଦାନକାରୀ ସଂସ୍ଥା ଭାବେ ପେଟିଏମ୍‌କୁ ସ୍ଥାପନ କରିଥିଲେ। ଉବର୍‌ ଭଳି ସଂସ୍ଥା ଭାରତରେ ପ୍ରବେଶ କରିବା ପରେ ଡିଜିଟାଲ୍ ପେମେଣ୍ଟ୍‌ର ଚାହିଦା ବଢ଼ିଥିଲା। ଏହାର ପ୍ରଭାବରେ ପେଟିଏମ୍‌ ଖୁବ୍‌ କମ୍ ସମୟରେ ବେଶ ଚର୍ଚ୍ଚିତ ହୋଇପଡ଼ିଥିଲା। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିବା ପରେ ପେଟିଏମ୍ ଦେଶର କୋଣ ଅନୁକୋଣରେ ଚର୍ଚ୍ଚିତ ହୋଇଥିଲା। ପେଟିଏମ୍‌ର ଆଇପିଓ ଜାରି କରିବା ପରେ ବିଜୟ ଏବେ ଜଣେ ବିଲିଓନେୟାର (୧୦୦ କୋଟି ଡଲାରରୁ ଅଧିକ) ଧନୀ ହୋଇପାରିଛନ୍ତି। ତାଙ୍କ ସମ୍ପତ୍ତି ମୂଲ୍ୟ ୨୪୦ କୋଟି ଡଲାର ହେବ ବୋଲି ଜଣାପଡ଼ିଛି ।

image credit : india tv news

୨୦୧୦ରେ ପ୍ରତିଷ୍ଠିତ ପେଟିଏମରେ ଚୀନ କମ୍ପାନି ଆଣ୍ଟ ଗ୍ରୁପ ଓ ଜାପାନର ସଫ୍ଟବ୍ୟାଙ୍କର ନିବେଶ ଥିବା କୁହାଯାଉଛି । ପ୍ରଥମେ ପେଟିଏମ୍ ମୋବାଇଲ ଫୋନରେ କ୍ରେଡିଟ୍ ଯୋଗ କରିବାକୁ ବ୍ୟବହାର କରାଯାଉଥିଲା । ପରେ ଉବେର ଯେତେବେଳେ ପେଟିଏମକୁ ତୁରନ୍ତ ପେମେଣ୍ଟ ପାଇଁ ତାଲିକାଭୁକ୍ତ କଲା, ତାହାର ଚାହିଦା ବୃଦ୍ଧି ପାଇଲା । ୨୦୧୬ରେ ବିମୁଦ୍ରିକରଣ ଘୋଷଣା ହେବା ପରେ ପେଟିଏମ ଭାରତରେ ଡିଜିଟାଲ ନେଣଦେଣର ଶିଖରରେ ପହଞ୍ଚିଲା । କିନ୍ତୁ ପରବର୍ତ୍ତୀ କାଳରେ ଗୁଗୁଲ ପେ, ଫୋନ ପେ, ଭିମ ଆଦି ୟୁପିଆଇ ଭିତ୍ତିକ ପେମେଣ୍ଟ ସେବା ଆରମ୍ଭ ହେବା ପରେ ପେଟିଏମର ଚାହିଦା କମିବାରେ ଲାଗିଲା । ଚାହିଦା କମିବା ସହ ପେଟିଏମର ବଜାର ଭାଗ ମଧ୍ୟ କମିବାରେ ଲାଗିଲା ।

ଅନ୍ୟ କମ୍ପାନିମାନଙ୍କ ପାଇଁ ଶିକ୍ଷା

ପେଟିଏମ୍‌ର ଦୁର୍ବଳ ପ୍ରଦର୍ଶନରୁ ଅନ୍ୟ କମ୍ପାନିମାନଙ୍କୁ ଏକ ବଡ଼ ଶିକ୍ଷା ମିଳିଛି। ତାହା ହେଉଛି କେବଳ ପ୍ରଚାର ଉପରେ ବିଶ୍ବାସ କରି ନିବେଶ କରିବା ଠିକ୍ ନୁହେଁ। କୌଣସି ସଂସ୍ଥାରେ ନିବେଶ କରିବା ପୂର୍ବରୁ ତାହା ବିଷୟରେ ଭଲ ଭାବେ ଗବେଷଣା କରିବା ଓ ଭବିଷ୍ୟତରେ ସେହି ସଂସ୍ଥା କେତେ ଆଗକୁ ବଢ଼ିବାର ସମ୍ଭାବନା ରହିଛି ତାହା ଜାଣିବା ଜରୁରୀ। ଗୋଟିଏ ଦିନରେ ପେଟିଏମ୍ ଷ୍ଟକ ବଜାରରେ ପ୍ରାୟ ୩୫ ହଜାର କୋଟି ଟଙ୍କା ହରାଇଛି ଯାହା ଟିଭିଏସ୍‌ ମୋଟର ଭଳି କଂପାନିର ମୋଟ ବଜାର ପୁଞ୍ଜି ଠାରୁ ଅଧିକ ।

ଷ୍ଟକ ବଜାରରେ ପେଟିଏମ୍ ନିରାଶ କରିବା ପରେ ଆଇପିଓ ଆଣିବାକୁ ଚାହିଁରହିଥିବା ଅନ୍ୟ ସଂସ୍ଥାଗୁଡ଼ିକ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ମୋବିକ୍ବିକ୍ ଓ ଓୟୋ ଆଇପିଓ ଆଣିବେ। ପେଟିଏମ୍‌ର ସ୍ଥିତି ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି। କେବଳ ଏହି ଦୁଇ ସଂସ୍ଥା ନୁହେଁ ଆଇପିଓ ଜରିଆରେ ପାଣ୍ଠି ଯୋଗାଡ଼ କରିବାକୁ ଯୋଜନା ରଖିଥିବା ସବୁ ଷ୍ଟାର୍ଟଅପ୍ ସଂସ୍ଥା ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ସରକାରୀ ବୀମା କଂପାନି ଏଲ୍‌ଆଇସି ଆଇପିଓକୁ ନେଇ ଯେଉଁଭଳି ପ୍ରଚାର ହେଉଛି ତାହାକୁ ନେଇ ମଧ୍ୟ ନିବେଶକମାନେ ସତର୍କ ହୋଇପଡ଼ିଛନ୍ତି ।

ଆଇପିଓ ଆଣୁଥିବା ସଂସ୍ଥାରେ ନିବେଶ କରି କ୍ଷତି ସହୁଥିବା ନିବେଶକମାନଙ୍କ ସ୍ବାର୍ଥ ରକ୍ଷା କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମଧ୍ୟ ସତର୍କ ହୋଇପଡ଼ିଛି। କୌଣସି ସଂସ୍ଥାର ଆଇପିଓକୁ ଅନୁମତି ଦେବାକୁ ପୂର୍ବରୁ ଏହାର ମୂଲ୍ୟାୟନ ପଦ୍ଧତିର ଯାଞ୍ଚ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ବିଷୟରେ ସେବି ବିଚାର କରୁଛି। ପେଟିଏମ୍‌ର ସେୟାର ଦାମ୍ ଯେଉଁଭଳି ସ୍ତରରେ ଧାର୍ଯ୍ୟ କରାଯାଇଛି ତାହା ପ୍ରକୃତ ମୂଲ୍ୟ ନଥିଲା। ବଢ଼ାଇ ଚଢ଼ାଇ ତାହାକୁ ପ୍ରଦର୍ଶନ କରିବା ସହ ପ୍ରଚାର କରାଯାଇଥିବାରୁ ନିବେଶକମାନେ ‌ସେଥିରେ ଭଳି ଯାଇଥିଲେ। ତେଣୁ ଅନ୍ୟ ଯେଉଁ ସଂସ୍ଥା ଆଇପିଓ ଆଣିବେ ସେମାନଙ୍କ ସେୟାରର ମୂଲ୍ୟାୟନ ଠିକ୍ ଅଛି ନା ନାହିଁ ତାହାକୁ ସେବି କଡ଼ାକଡ଼ି ଭାବେ ଯାଞ୍ଚ କରିବା ବିଷୟରେ ବିଚାର କରୁଛି। ଷ୍ଟକ ବଜାରରେ ପ୍ରବେଶ କରିବା ଦିନ ଫ୍ଲପ୍‌ ରହିଥିବା ‌ସଂସ୍ଥା ମଧ୍ୟରେ ପେଟିଏମ୍ ଏକମାତ୍ର ନୁହେଁ, ଏହା ପୂର୍ବରୁ ମଧ୍ୟ କିଛି ସଂସ୍ଥାର ଆଇପିଓକୁ ନେଇ ପ୍ରବଳ ଉତ୍ସାହ ରହିଥିଲା। କିନ୍ତୁ ଷ୍ଟକ ବଜାରରେ ତାଲିକାଭୁକ୍ତ ହେବା ପରେ ସେମାନଙ୍କ ଦୁର୍ବଳ ପ୍ରଦର୍ଶନ ନିବେଶକମାନଙ୍କୁ ନିରାଶ କରିଥିଲା।

ଏହା ସତ୍ତ୍ବେ ଟେକନଲୋଜୀ କମ୍ପାନିମାନଙ୍କ ପାଇଁ ନିରାଶ ହେବାର କୌଣସି କାରଣ ନାହିଁ । କାରଣ ଟେକନଲୋଜୀଭିତ୍ତିକ ଶିଳ୍ପରେ ବଡ଼ ଅଭିବୃଦ୍ଧିର ସୁଯୋଗ ରହିଛି ।

ସମ୍ବନ୍ଧିତ ଖବର