ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ଦେଶର ଅଭିବୃଦ୍ଧିକୁ ପ୍ରଭାବିତ କରିଥିବା ପ୍ରମୁଖ କାରକ ମଧ୍ୟରେ ରହିଛି ମୁଦ୍ରାସ୍ଫୀତି, ଯାହା ଉଚ୍ଚା ରହିଛି। ସେପ୍ଟେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୬ ପ୍ରତିଶତ ସୀମାକୁ ଅତିକ୍ରମ କରିଯାଇଥିଲା। ଖାଦ୍ୟ ସାମଗ୍ରୀ ଦରବୃଦ୍ଧି ବର୍ଷ ସାରା ଚିନ୍ତାର କାରଣ ହୋଇରହିଛି। ଅନ୍ୟ ପକ୍ଷରେ କର୍ପୋରେଟ୍ ସଂସ୍ଥାଗୁଡ଼ିକର ଆୟ ଚାରିବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଛି। ତେଣୁ ସେମାନଙ୍କ ପୁଞ୍ଜିନିବେଶ କ୍ଷମତା ସଙ୍କୁଚିତ ହୋଇଛି। ଋଣ ସୁଧ ହାର ଉଚ୍ଚ ସ୍ତରରେ ରହିଥିବାରୁ ଘରୋଇ କ୍ଷେତ୍ରର ଉପଯୋଗିତା କମ୍ ହୋଇଛି। ଗ୍ରାମାଞ୍ଚଳରେ ସୁଧାର ସଙ୍କେତ ଦେଖାଦେଇଥିଲେ ମଧ୍ୟ ମଜୁରିରେ ବୃଦ୍ଧି ହେଉନଥିବାରୁ ତାହାର ପ୍ରତିଫଳନ ଅର୍ଥନୀତିରେ ଦେଖିବାକୁ ମିଳିନାହିଁ। ତେବେ ବର୍ଷର ଦ୍ବିତୀୟ ଭାଗରେ ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ ବ୍ୟୟ ବୃଦ୍ଧି ପାଇବ। ଏଥର ଫସଲ ଅମଳ ମଧ୍ୟ ଉତ୍ସାହଜନକ ରହିବା ଆଶା କରାଯାଉଛି ଯାହା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବ। ନିର୍ମାଣ କାର୍ଯ୍ୟ ଓ ସେବା କ୍ଷେତ୍ରରେ କାର୍ଯ୍ୟକଳାପ ତ୍ବରାନ୍ବିତ ହେବା ଆଶା କରାଯାଉଛି। ତାହା ହେଲେ ଅଭିବୃଦ୍ଧି ହାର ପୂର୍ବ‌ାପେକ୍ଷା ଅଧିକ ରହିବ ବୋଲି ଆଶା କରାଯାଇପାରେ। 

Advertisment

ରିଜର୍ଭ ବ୍ୟାଙ୍କ ଉପରେ ଚାପ ବଢ଼ିଲା
ସୁଧ କମାଇବାକୁ ବାଧ୍ୟ ହୋଇପାରେ

ଅର୍ଥନୀତି ମନ୍ଥର ହେବା ଭାରତୀୟ ରିଜର୍ଭ ବ୍ୟାଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିଛି। ଡିସେମ୍ବରରେ ‌ଏହା ସୁଧ କମ୍ କରିବାକୁ ବାଧ୍ୟ ହୋଇପାରେ ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି। ସୁଧ ଅଧିକ ରହୁଥିବାରୁ ଘରୋଇ ଉପଯୋଗିତା ଓ ନିବେଶ ଗୁରୁତର ଭାବେ ପ୍ରଭାବିତ ହୋଇଛି ଯାହା ଅର୍ଥନୀତିକୁ ପଛୁଆ ଟାଣୁଛି। ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୭.୨ ପ୍ରତିଶତ ହେବ ବୋଲି ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିଛି। କିନ୍ତୁ ସେଭଳି ଧରଣର ଅଭିବୃଦ୍ଧି ସମ୍ଭବ ହେବାର ସମ୍ଭାବନା ହ୍ରାସ ପାଇଛି। ନିଜ ଆକଳନକୁ ସତ ପ୍ରମାଣିତ କରିବାକୁ ହେଲେ ରିଜର୍ଭ ବ୍ୟାଙ୍କକୁ ସୁଧ କମ୍ କରିବାକୁ ହେବ। ସୁଧକୁ ନେଇ ରିଜର୍ଭ ବ୍ୟାଙ୍କର ରହିଥିବା ଆଭିମୁଖ୍ୟକୁ ସରକାରୀ ସ୍ତରରେ ସମାଲୋଚନା ଆରମ୍ଭ ହୋଇଗଲାଣି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ସୁଧ କମ୍ କରିବା ଲାଗି ରିଜର୍ଭ ବ୍ୟାଙ୍କକୁ ଆହ୍ବାନ ଦେଇଛନ୍ତି। ଦୁଇ ବର୍ଷ ହେଲାଣି ସୁଧ ହାରକୁ ରିଜର୍ଭ ବ୍ୟାଙ୍କ ଉଚ୍ଚା ରଖିଛି। ଖୁଚୁରା ମୁଦ୍ରାସ୍ଫୀତି ଉପରେ ନିୟନ୍ତ୍ରଣ ହାସଲ କରିବା ଯଦିଓ ଏହାର ମୁଖ୍ୟ ଉଦ୍ଦେଶ୍ୟ, କିନ୍ତୁ ତାହାର ପ୍ରଭାବରେ କମ୍ପାନିଗୁଡ଼ିକର ଲାଭ କମ୍ ହୋଇଛି, ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଛି ଓ ମଜୁରି ହ୍ରାସ ପାଇଛି। ଆମେରିକା, ୟୁରୋପରେ ସୁଧ ହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ସୁଧ କମାଇବା ଲାଗି ରିଜର୍ଭ ବ୍ୟାଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ଦ୍ବିତୀୟ ତ୍ରୈମାସିକରେ ଅର୍ଥନୀତି ତଳକୁ ଖସିଯିବା ଏହି ଚାପକୁ ଆହୁରି ବଢ଼ାଇ ଦେଇଛି।