କାହିଁକି ହେବ ତିନି ବ୍ୟାଙ୍କର ମିଶ୍ରଣ?

ନୂଆଦିଲ୍ଲୀ: ତିନିଟି ସରକାରୀ ବ୍ୟାଙ୍କ ବ୍ୟାଙ୍କ୍‌ ଅଫ୍‌ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ ମଧ୍ୟରେ ମିଶ୍ରଣ କରିବାକୁ ମୋଦୀ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମିଶ୍ରଣ ଜରିଆରେ କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି। ସରକାରଙ୍କ ଯୁକ୍ତି ହେଉଛି ସବଳ ବ୍ୟାଙ୍କଗୁଡ଼ିକ ସହ ଦୁର୍ବଳ ବ୍ୟାଙ୍କର ମିଶ୍ରଣରେ ନୂତନ ବ୍ୟାଙ୍କ ଗଠନ କଲେ ସବୁ ବ୍ୟାଙ୍କ ମଜବୁତ ହେବେ ଓ ସେମାନଙ୍କ ଋଣ ପ୍ରଦାନ କ୍ଷମତା ବଢ଼ିବ। ଏଥି ସହିତ ବ୍ୟାଙ୍କ ପରିଚାଳନାରେ ହେଉଥିବା ଖର୍ଚ କମିଯିବ।
ମିଶ୍ରଣର ନିଷ୍ପତ୍ତି ବିଷୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି ଯେ, ସରକାରୀ ବ୍ୟାଙ୍କଗୁଡ଼ିକ ଆର୍ଥିକ ସ୍ତରରେ ଦୁର୍ବଳ ହୋଇପଡ଼ିଥିବାରୁ ସେମାନେ ଋଣ ଦେଇପାରୁନାହାନ୍ତି। ସେଥିପାଇଁ ଅର୍ଥନୀତିର ଗତି ପ୍ରଭାବିତ ହେଉଛି। ଅତ୍ୟଧିକ ଏନ୍‌ପିଏ ଯୋଗୁ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ମଧ୍ୟ ବହୁତ ଖରାପ ହୋଇଯାଇଛି। ସେ କହିଛନ୍ତି ଯେ, ମିଶ୍ରଣ ପରେ ଯେଉଁ ନୂଆ ବ୍ୟାଙ୍କ ଗଠନ ହେବ ତାହା ବ୍ୟାଙ୍କ ସେବାକୁ ଆହୁରି ବ୍ୟାପକ କରିବ।
ତିନି ସରକାରୀ ବ୍ୟାଙ୍କର ମିଶ୍ରଣରେ କୌଣସି କର୍ମଚାରୀ ପ୍ରଭାବିତ ହେବେ ନାହିଁ ଓ ବ୍ୟାଙ୍କଗୁଡ଼ିକର ପରିଚୟ ମଧ୍ୟ ବଜାୟ ରହିବ। ନୂତନ ବ୍ୟାଙ୍କ ପୁଞ୍ଜି ଦୃଷ୍ଟିରେ ବହୁତ ସୁଦୃଢ଼ ରହିବ। ବ୍ୟାଙ୍କର ଗ୍ରାହକ ସଂଖ୍ୟା ବହୁତ ବଢ଼ିଯିବ। ଜମା ଉପରେ ହେଉଥିବା ଖର୍ଚ କମିଯିବ। ଗ୍ରାହକମାନଙ୍କୁ ଉନ୍ନତ ମାନର ଉତ୍ପାଦ ଓ ସେବା ମିଳିପାରିବ। ଏହି ତିନି ବ୍ୟାଙ୍କକୁ ଫିନାକଲ୍‌ ସିବିଏସ୍‌ ନେଟ୍‌ଓ୍ଵର୍କରେ ସାମିଲ କରାଯିବ। ନୂଆ ବ୍ୟାଙ୍କକୁ ଦୃଢ଼ କରିବା ପାଇଁ ସରକାର ଅଧିକ ପୁଞ୍ଜି ମଧ୍ୟ ପ୍ରଦାନ କରିବେ।
ଦେଶର ତିନି ବଡ଼ ବ୍ୟାଙ୍କ
ମାନଦଣ୍ଡ ଷ୍ଟେଟ୍‌ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମିଶ୍ରଣ ବ୍ୟାଙ୍କ
ବ୍ୟବସାୟ ୪୭.୩୭ ଲକ୍ଷ କୋଟି ୧୫.୧୩ ଲକ୍ଷ କୋଟି ୧୪.୮୨ ଲକ୍ଷ କୋଟି
ଶାଖା ୨୨୪୨୮ ୪୮୦୮ ୯୪୮୯
କର୍ମଚାରୀ ୨,୫୯,୯୮୦ ୮୮,୦୦୦ ୮୫,୬୭୫
ଏନ୍‌ପିଏ ୫.୨୯% ୦.୪% ୫.୭୧%
(କାରବାର ଟଙ୍କା ହିସାବରେ)
ମିଶ୍ରଣ ହେଉଥିବା ବ୍ୟାଙ୍କର ସ୍ଥିତି
ମାନଦଣ୍ଡ ବିଓବି ବିଜୟା ବ୍ୟାଙ୍କ ଦେନା ବ୍ୟାଙ୍କ ମୋଟ
ବ୍ୟବସାୟ ୧୦,୨୯୮୧୧ ୨,୭୯,୬୪୭ ୧,୭୨,୯୭୩ ୧୪,୮୨,୪୨୨
ଶାଖା ୫୫୦୨ ୨୧୨୯ ୧୮୫୮ ୯୪୮୯
କର୍ମଚାରୀ ୫୬,୩୬୧ ୧୫,୮୭୪ ୧୩,୪୪୦ ୮୫,୬୭୫
ଏନ୍‌ପିଏ ୫.୪୦% ୪.୧୦% ୧୧.୦୪% ୫.୭୧%
(କାରବାର କୋଟି ଟଙ୍କା ହିସାବରେ)

ସମ୍ବନ୍ଧିତ ଖବର