ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି ଓ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକରେ କାମ କରୁଥିବା କର୍ମଚାରୀମାନେ ଛଟେଇ ଆଶଙ୍କା ଦେଇ ଗତି କରୁଛନ୍ତି। କଂପାନିଗୁଡ଼ିକ ଛଟେଇ ଆରମ୍ଭ କରିଥିବାରୁ ସେମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଆମେରିକାରେ ୨୨ ହଜାର କର୍ମଚାରୀ ଛଟେଇର ଶିକାର ହୋଇଛନ୍ତି। ଭାରତରେ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକରେ କାମ କରୁଥିବା ୧୨ ହଜାରରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି। ପ୍ରଯୁକ୍ତି ଓ ଷ୍ଟାର୍ଟଅପ୍ ଶିଳ୍ପରେ ବିଶ୍ବବ୍ୟାପୀ ଛଟେଇ ଚାଲିଛି।
କରୋନା ମହାମାରୀ ସମୟରେ ବହୁ ଷ୍ଟାର୍ଟଅପ୍ ସଂସ୍ଥା ଚର୍ଚ୍ଚାରେ ଥିଲେ। ନିବେଶକମାନଙ୍କଠାରୁ ବିପୁଳ ପୁଞ୍ଜି ହାସଲ କରି ସେମାନେ ଆଗକୁ ବଢ଼ିଥିଲେ। ମାତ୍ର ମହାମାରୀ ପ୍ରଭାବ ଦୂର ହେବା ପରେ ସେମାନଙ୍କ ଅଭିବୃଦ୍ଧି ଧାରା ପୂର୍ବ ସ୍ତରରେ ନାହିଁ। ତେଣୁ ନିବେଶକମାନଙ୍କ ଚାପରେ ସେମାନେ ଛଟେଇ ଭଳି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସେଭଳି ଷ୍ଟାର୍ଟଅପ୍ ସଂସ୍ଥାରେ ପୁଞ୍ଜିନିବେଶ କରିବାକୁ ମଧ୍ୟ କୌଣସି ନିବେଶକ ଆଗ୍ରହ ଦେଖାଉନାହାନ୍ତି। ବିଶ୍ବବ୍ୟାପୀ ନେଟ୍ଫ୍ଲିକ୍ସ, ରବିନ୍ହୁଡ୍ ଓ ବହୁ କ୍ରିପ୍ଟୋକରେନ୍ସି ସଂସ୍ଥା କର୍ମଚାରୀ ଛଟେଇ କରିଛନ୍ତି। କଏନ୍ବେସ୍, ଜେମିନି, କ୍ରିପ୍ଟୋ ଡଟ୍ କମ୍, ଭଲ୍ଡ, ବାଇବିଟ୍, ବିଟ୍ପାଣ୍ଡା ଭଳି କ୍ରିପ୍ଟୋ ଏକ୍ସଚେଞ୍ଜ୍ ଓ ସଂସ୍ଥା ନିଜ କମର୍ଚାରୀ ସଂଖ୍ୟା ହ୍ରାସ କରିଛନ୍ତି। ପୋକ୍ମନ୍ ଗୋ ଗେମ୍ ବିକାଶ କରିଥିବା ସଂସ୍ଥା ନିଆଣ୍ଟିକ୍ ଏହାର ୮ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଛି। ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ସଂସ୍ଥା ଟେସ୍ଲା ମଧ୍ୟ ଏହାର ୧୦% କର୍ମଚାରୀଙ୍କୁ ଛଟେଇ କରିଛି।
ଭାରତରେ ଓଲା, ବ୍ଲିଙ୍କଇଟ୍, ବାଇଜୁସ୍ର ହ୍ବାଇଟ୍ହ୍ୟାଟ୍ ଜୁନିଅର ଓ ଟପର, ଅନଏକାଡେମି, ବେଦାନ୍ତୁ, କାରସ୍୨୪, ମୋବାଇଲ୍ ପ୍ରିମିୟର ଲିଗ୍ (ଏମ୍ପିଏଲ୍), ଲିଡୋ ଲର୍ଣ୍ଣିଂ, ଏମ୍ଫାଇନ୍, ଟ୍ରେଲ୍, ଫାର୍ଆଇ ଓ ଫର୍ଲାଙ୍କୋ ଭଳି ସଂସ୍ଥା କର୍ମଚାରୀ ଛଟେଇ କରିଛନ୍ତି। ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ୨୦୨୨ରେ ଷ୍ଟାର୍ଟଅପ୍ ଶିଳ୍ପରୁ ଛଟେଇ ହେଉଥିବା କର୍ମଚାରୀଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ହୋଇଯିବ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଓଲା, ଅନଏକାଡେମି, ବେଦାନ୍ତୁ, କାର୍ସ୨୪ ଓ ଏମ୍ପିଏଲ୍ ଭଳି ୟୁନିକର୍ଣ୍ଣ ସଂସ୍ଥା ମଧ୍ୟ କର୍ମଚାରୀ ଛଟେଇ କରୁଛନ୍ତି।