ଭୁବନେଶ୍ବର: ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର (ଏନ୍‌ଆଇସି) ଦ୍ବାରା ଅନଲାଇନ୍ ‌‌‌ଟେଣ୍ଡର ପାଇଁ ଇ-ପ୍ରକ୍ୟୁରମେଣ୍ଟ ବ୍ୟବସ୍ଥାକୁ ରାଜ୍ୟ ସରକାର ୨୦୦୮ରେ ଗ୍ରହଣ କରିଥିଲେ। କିନ୍ତୁ ଏନ୍‌ଆଇସି ସହ ଚୁକ୍ତି କରିବାକୁ ଭୁଲିଗଲେ।‌ ସେଥିପାଇଁ ଇ-ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତାର ସୁଯୋଗ ରହୁଛି। ବିଡ୍‌ ଦାଖଲ କରୁଥିବା ବିଡର୍‌ମାନଙ୍କ ସହ ଡିଜିଟାଲ ସିଗ୍ନେଚର ସାର୍ଟିଫିକେଟ୍ ମେଳ ଖାଉନାହିଁ। ସେମାନଙ୍କ ପ୍ରମାଣୀକରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଯାହା ଫଳରେ ବିଡ୍‌ ଦାଖଲକାରୀ ଜଣକ ଯେକୌଣସି ସମୟରେ ବିଡ୍‌ ଦାଖଲ କରିନଥିବା ଦର୍ଶାଇବାର ଆଶଙ୍କା ରହୁଛି ବୋଲି ସିଏଜି ରିପୋର୍ଟରୁ ଜଣାପଡ଼ିଛି।

Advertisment

ଏକାଧିକ ବିଡର୍‌ଙ୍କ ନାମରେ ସମାନ ପାନ୍‌ ନମ୍ବର
ସମୟ ସୀମା ପରେ ବି ବିଡ୍‌ ଦାଖଲ
ଟେଣ୍ଡର ଦସ୍ତାବିଜ୍‌ ବିକ୍ରି ପୂର୍ବରୁ ବିଡ୍‌ ଦାଖଲ
ମାନୁଆଲ ଉପାୟରେ ଅନୁଶୀଳନ

ଇ-ପ୍ରକ୍ୟୁରମେଣ୍ଟ ଉପରେ ସିଏଜି ପ୍ରସ୍ତୁତ କରିଥିବା ରିପୋର୍ଟ କହୁଛି ୨୫,୧୦୯ଟି ବିଡ୍‌ ଦାଖଲକାରୀଙ୍କ ପାନ୍ ନମ୍ବର ସ୍ବତନ୍ତ୍ର ନଥିଲା। ସେହି ସମାନ ପାନ୍ ନମ୍ବରକୁ ଏକାଧିକ ବିଡ୍‌ ଦାଖଲକାରୀ ପ୍ରଦାନ କରିଥିଲେ। ବିଡ୍‌ ଦାଖଲରେ ମଧ୍ୟ ବ୍ୟାପକ ତ୍ରୁଟିବିଚ୍ୟୁତିକୁ ଧରିଛନ୍ତି ସିଏଜି। ୪୮୬ଟି ଟେଣ୍ଡର ମଧ୍ୟରୁ ୧୬୮ଟି ମାମଲାରେ ବିଡ୍‌ ଦାଖଲ କରିବା ଲାଗି ୧ରୁ ୯ ଦିନର ଅଳ୍ପ ସମୟ ଦିଆଯାଇଥିଲା। ଏତେ କମ୍ ସମୟ କାହିଁକି ଦିଆଗଲା, ତାହାର କୌଣସି କାରଣ ବି ଦର୍ଶାଯାଇନଥିଲା। ସେହିପରି ୨୨୪ଟି ଟେଣ୍ଡରର ୨୨୮ଟି ବିଡ୍‌କୁ ସମୟ ସୀମା ଶେଷ ହେବା ପରେ ଦାଖଲ କରାଯାଇଥିଲା। ସେଭଳି ବିଡ୍‌କୁ ରୋକିବା ଲାଗି ଇ-ପ୍ରକ୍ୟୁରମେଣ୍ଟ୍‌ ସିଷ୍ଟମ୍‌ରେ କୌଣସି ବ୍ୟବସ୍ଥା ନ ଥିବା ସିଏଜି କହିଛନ୍ତି। ତେଣୁ ମାନୁଆଲ୍ ଉପାୟରେ ପିଛିଲା ତାରିଖ ପକାଇ ବିଡ୍ ଦାଖଲ କରିହେଉଛି। 

ଅନ୍ୟ ପକ୍ଷରେ ୧୨ଟି ‌ଟେଣ୍ଡର ସମ୍ପର୍କିତ ୧୪ଟି ବିଡ୍‌କୁ ଟେଣ୍ଡର କାଗଜପତ୍ର ବିକ୍ରି ଆରମ୍ଭ ହେବା ପୂର୍ବରୁ ଦାଖଲ କରାଯାଇଥିଲା। ୬,୨୬,୧୧୫ଟି ବିଡ୍‌କୁ ବିଡ୍‌ ସୃଷ୍ଟି ସମୟ ପୂର୍ବରୁ ଦାଖଲ କରାଯାଇଥିଲା। ବିଡ୍‌ ପ୍ରମାଣୀକରଣ ବ୍ୟବସ୍ଥାର ଅଭାବରୁ ଏଭଳି ଘଟୁଥିବା ସିଏଜି କହିଛନ୍ତି। କେବଳ ସେତିକି ନୁହେଁ, ଉଭୟ ବୈଷୟିକ ଓ ଆର୍ଥିକ ବିଡ୍‌ର ଅନୁଶୀଳନ, ଭେଣ୍ଡରଙ୍କ ସହିତ ମୁଲଚାଲ, କାର୍ଯ୍ୟବରାଦ ପ୍ରଦାନ କରିବା ଭଳି ଗୁରୁତ୍ବପୂର୍ଣ୍ଣ କାମକୁ ମାନୁଆଲ ଉପାୟରେ କରାଯାଉଥିବା ସିଏଜି କହିଛନ୍ତି।