୧ ଟଙ୍କାରେ ମିଳିବ ୧ ଜିବି ଡାଟା, ଜିଓକୁ କଡା ଟକ୍କର ଦେବାକୁ ଆଗକୁ ଆସିଲା ନୂଆ କମ୍ପାନୀ

ନୂଆଦିଲ୍ଲୀ: ମୋବାଇଲ ଟାରିଫ ମୂଲ୍ୟ ବଢାଇବା ପୂର୍ବରୁ ରିଲାଏନ୍ସ ଜିଓ ଶସ୍ତା ପ୍ଲାନ ଦ୍ୱାରା ଗ୍ରାହକଙ୍କୁ ଆକୃଷ୍ଟ କରିଥିଲା | ରିଲାଏନ୍ସ ଜିଓ ଲଂଚ ହେବା ପରେ ଲୋଭନୀୟ ଅଫର ଦେଇ ଅନ୍ୟ ଟେଲିକମ କମ୍ପାନୀଙ୍କ ପାଖରୁ ବହୁ ସଂଖ୍ୟାରେ ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ସଫଳ ମଧ୍ୟ ହୋଇଥିଲା | କିଛି ଦିନ ତଳେ ଜିଓ ନିଜର ଟାରିଫ ମୂଲ୍ୟରେ ଦର ବୃଦ୍ଧି କରିଥିଲା | ମୂଲ୍ୟ ବଢ଼ିଥିବାବେଳେ ଡାଟା ମଧ୍ୟ କମିଥିଲା | ଏବେ କିନ୍ତୁ ଜିଓକୁ କଡା ଟକ୍କର ଦେବାକୁ ବାଙ୍ଗାଲୋରର ଏକ ଷ୍ଟାର୍ଟଅପ କମ୍ପାନୀ ଅଣ୍ଟା ଭିଡିଛି | ଏହି କମ୍ପାନୀର ନାମ ହେଉଛି ୱାଇଫାଇ ଡବା |

Photo-twitter

ଏହି କମ୍ପାନୀ ୨୦୧୭ ମସିହାରେ ଆରମ୍ଭ ହୋଇଥିବାବେଳେ ଏବେ ମାତ୍ର ୧ ଟଙ୍କାରେ ୧ ଜିବି ଡାଟାର ଅଫର ଲଞ୍ଚ କରିଛି | ଜିଓ ଠାରୁ ୩୬୦ ଗୁଣ କମ ମୂଲ୍ୟରେ ଏହି କମ୍ପାନୀ ଡାଟା ଦେଉଥିବାର ଦାବି କରିଛି | ୱାଇଫାଇ ଡବାର କହିବା ମୁତାବକ କୌଣସି ତୃତୀୟ ପକ୍ଷ ହାର୍ଡ଼ୱେୟାର ବା ସଫ୍ଟୱେୟାରର ବ୍ୟବହାର କରୁନଥିବାରୁ ଲୋକଙ୍କୁ କମ ମୂଲ୍ୟରେ ଅଧିକ ଡାଟା ଦିଆଯାଉଛି |

Photo-twitter

ୱାଇଫାଇ ଡବା ପକ୍ଷରୁ ତିନିଟି ପ୍ଲାନ ବାବଦରେ ଘୋଷଣା କରାଯାଇଛି | ପ୍ରଥମ ପ୍ଲାନରେ ୧ ଟଙ୍କାରେ ୧ ଜିବି ଡାଟା ମିଳୁଥିବାବେଳେ ଦ୍ଵିତୀୟ ପ୍ଲାନରେ ୧୦ ଟଙ୍କାରେ ୫ ଜିବି ଡାଟା, ତୃତୀୟ ପ୍ଲାନରେ ୨୦ ଟଙ୍କାରେ ୧୦ ଜିବି ଡାଟା ମିଳୁଛି | ସବୁ ପ୍ଳାନର ବୈଧତା ୨୪ ଘଣ୍ଟା ରହିଛି | ବର୍ତ୍ତମାନ ପାଇଁ କେବଳ ବାଙ୍ଗାଲୋରରେ ଏହି ସେବା ଉପଲବ୍ଧ ହେଉଛି |

ସମ୍ବନ୍ଧିତ ଖବର