ଭୁବନେଶ୍ବରରେ ହେବ ୨ ନୂଆ ପଞ୍ଚତାରକା ହୋଟେଲ୍‌

୧୨୧୪ କୋଟିର ୮ ଶିଳ୍ପ ପ୍ରକଳ୍ପ ମଞ୍ଜୁର, ୨୪୨୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ବର : ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି କର୍ତ୍ତପୃକ୍ଷଙ୍କ ୯୯ତମ ବୈଠକରେ ଆଜି ୧୨୧୪ କୋଟି ଟଙ୍କାର ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଏହି ବୈଠକରେ ଆଜି ମାନୁଫାକ୍‌ଚରିଂ, ପ୍ଲାଷ୍ଟିକ୍, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଆତିଥେୟତା କ୍ଷେତ୍ରର ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ରାଜଗାଙ୍ଗପୁରରେ ଏନର୍ଜାଇଜ୍ ମିନେରାଲ୍ସ ୨୫୬ କୋଟି ଟଙ୍କା ବିନିଯୋଗରେ ଏକ ୨.୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଲୁହାପଥର ବେନିଫିକେସନ୍ ପ୍ଲାଣ୍ଟ୍ ଓ ୧.୨ ନିୟୁତ ଟନ୍‌ର ପେଲେଟ୍‌ ପ୍ଲାଣ୍ଟ୍ ସ୍ଥାପନ କରିବ। ଆଇଟିସି ପକ୍ଷରୁ ଭୁବନେଶ୍ବରର ଡୁମୁଡୁମାରେ ଏକ ପଞ୍ଚତାରକା ହୋଟେଲ୍ ନିର୍ମାଣ କରାଯିବ। କଂପାନି ଏଥିରେ ୧୪୧.୧୪ କୋଟି ଟଙ୍କା ବିନିଯୋଗ କରିବ ଯଦ୍ବାରା ହୋଟେଲ୍‌ରେ ୧୨୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଫାଲ୍‌କନ୍‌ ରିଅଲ ଇଷ୍ଟେଟ୍‌ ପକ୍ଷରୁ ଭୁବନେଶ୍ବରରେ ମଧ୍ୟ ଏକ ପଞ୍ଚତାରକା ହୋଟେଲ୍‌ ନିର୍ମାଣ କରାଯିବ। ଏଥିରେ ୧୨୦.୨୬ କୋଟି ଟଙ୍କା ବିନିଯୋଗ ହେବ ଓ ୯୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବ୍ରିଟାନିଆ ଇଣ୍ଡଷ୍ଟ୍ରି ଏହାର ଖୋର୍ଦ୍ଧା କାରଖାନାରେ ବିସ୍କୁଟ, କେକ୍ ଓ ରସ୍କ ଆଦିର ଉତ୍ପାଦନ ବଢ଼ାଇବା ଲାଗି ୯୯.୬୦ କୋଟି ଟଙ୍କା ନିବେଶ କରିବାକୁ ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ମଧ୍ୟ ମଞ୍ଜୁରି ମିଳିଛି। ଇଣ୍ଡାଲ୍‌କ ସ୍ପିରିଟ୍‌ସ ନାମକ ସଂସ୍ଥା ବରଗଡ଼ରେ ଏକ ଡିଷ୍ଟିଲାରି ଓ ବଟଲିଂ ପ୍ଲାଣ୍ଟ୍‌ ସ୍ଥାପନ କରିବା ଲାଗି ୨୧୫.୧୫ କୋଟି ଟଙ୍କା ନିବେଶ କରିବ। ମାଶ ସ୍ପିରିଟସ୍‌ ପକ୍ଷରୁ ଝାରସୁଗୁଡ଼ାରେ ୨୦୪.୬୦ କୋଟି ଟଙ୍କା ନିବେଶ କରାଯିବ ଓ ସେଥିରେ ୨୮୯ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସର୍ବେଶ ରିଫ୍ରାକ୍ଟରିଜ୍ ୧୨୩.୨୫ କୋଟି ଟଙ୍କା ବିନିଯୋଗରେ ସୁନ୍ଦରଗଡ଼ର କୁଆରମୁଣ୍ଡାରେ ଉତ୍ପାଦନ କ୍ଷମତାର ସମ୍ପ୍ରସାରଣ କରିବ। ପୂର୍ବ ପ୍ୟାକେଜିଂ ପକ୍ଷରୁ ପାରାଦୀପ ପ୍ଲାଷ୍ଟିକ ପାର୍କରେ ୬୦ କୋଟି ଟଙ୍କା ବିନିଯୋଗ କରି କାଷ୍ଟ ପଲିପ୍ରପିଲିନ୍ ଉତ୍ପାଦନ କରାଯିବ।

ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ଏହି ସବୁ ପ୍ରସ୍ତାବକୁ ‌ବୈଠକରେ ଉପସ୍ଥାପନ କରି କହିଛନ୍ତି ଯେ ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ନିବେଶ ପ୍ରସ୍ତାବ ଦେଇଛନ୍ତି ଯାହା ଦ୍ବାରା ବିଭିନ୍ନ କ୍ଷେତ୍ରର ବିକାଶ ତ୍ବରାନ୍ବିତ ହେବ। ସେହିପରି, ଇପିକଲ୍‌ର ଏମ୍‌ଡି ନିତୀନ ଭାନୁଦାସ ଜୱାଲେ କହିଛନ୍ତି ଯେ ବ୍ୟବସାୟ କରିବାର ବାତାବରଣ ସହଜ ହୋଇଥିବାରୁ ଆର୍ସେଲର ମିତ୍ତଲ ଭଳି ସଂସ୍ଥା ମଧ୍ୟ ଏବେ ଓଡ଼ିଶାକୁ ନିବେଶର ଏକ ଉତ୍କୃଷ୍ଟ ସ୍ଥାନ ଭାବେ ବିଚାର କରିଛନ୍ତି। ଏହି ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡକ୍ଟର ମୋନା ଶର୍ମା, ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ଇଡ୍‌କୋର ସିଏମ୍‌ଡି ସଞ୍ଜୟ କୁମାର ସିଂହ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର