ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପୁଣି ଏକ ସୁଯୋଗ ଦେବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଯଦି ସେଭଳି କିଛି ହେବ ତେବେ ଶକ୍ତିକାନ୍ତ ଏକ ବିରଳ ରେକର୍ଡର ଅଧିକାରୀ ହେବେ। ୧୯୬୦ ପରେ ଲମ୍ବା ସମୟ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବାର ରେକର୍ଡ ତାଙ୍କ ନାମରେ ରହିବ।
୨୦୧୮ରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ଜଣେ ବିଶ୍ବସ୍ତ ଅଧିକାରୀ ଥିଲେ ଶକ୍ତିକାନ୍ତ। ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ଥିବା ବେଳେ ସେ ସରକାରଙ୍କ ପାଇଁ କାର୍ଯ୍ୟ କରୁଥିଲେ। ଶକ୍ତିକାନ୍ତଙ୍କ ଚଳିତ କାର୍ଯ୍ୟକାଳ ଡିସେମ୍ବର ୧୦ରେ ଶେଷ ହେବ। ବିଗତ କିଛି ଦଶନ୍ଧି ମଧ୍ୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ କାର୍ଯ୍ୟକାଳ ହାରାହାରି ଭାବେ ପାଞ୍ଚ ବର୍ଷ ରହିଛି। ଯଦି ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ ତେବେ ସେ ସେହି ରେକର୍ଡ ଭାଙ୍ଗିବେ। ପୂର୍ବରୁ ୧୯୪୯ରୁ ୧୯୫୭ ପର୍ଯ୍ୟନ୍ତ ସାଢ଼େ ସାତ ବର୍ଷ ଲାଗି ବେନେଗଲ ରାମା ରାଓ ରିଜର୍ଭ ବ୍ୟାଙ୍କର ମୁଖ୍ୟ ପଦରେ ଦୀର୍ଘଦିନ କାର୍ଯ୍ୟ କରିଥିଲେ।
ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ବଢ଼ାଇବା ବିଷୟରେ ସରକାର ଚିନ୍ତା କରୁଥିବା ଏଥିପାଇଁ ଦାବି କରାଯାଉଛି, କାରଣ ଅନ୍ୟ କୌଣସି ପ୍ରାର୍ଥୀଙ୍କୁ ସେହି ପଦ ଲାଗି ବିଚାରକୁ ନିଆଯାଇନାହିଁ। ତାଙ୍କ ଉତ୍ତରାଧିକାରୀ ଖୋଜିବାକୁ କୌଣସି ଚୟନ କମିଟି ମଧ୍ୟ ଗଠନ କରାଯାଇନାହିଁ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ରହିଛି।